ETV Bharat / city

Congress President Poll: ରାଜ୍ୟ କଂଗ୍ରେସ ଭବନରେ ପଡ଼ିଲା ୪୧୨ ଭୋଟ, ଆସିଲେନି ମୋକିମ

author img

By

Published : Oct 17, 2022, 9:42 PM IST

Congress President Poll: ରାଜ୍ୟ କଂଗ୍ରେସ ଭବନରେ ପଡ଼ିଲା ୪୧୨ ଭୋଟ, ଆସିଲେନି ମୋକିମ
Congress President Poll: ରାଜ୍ୟ କଂଗ୍ରେସ ଭବନରେ ପଡ଼ିଲା ୪୧୨ ଭୋଟ, ଆସିଲେନି ମୋକିମ

ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଭବନରେ ପଡ଼ିଲା ୪୧୨ ଭୋଟ । ଏଥିରେ ରାଜ୍ୟ କଂଗ୍ରେସର ୮ ବିଧାୟକ, ସାଂସଦ ସପ୍ତଗିରି ଶଙ୍କର ଉଲାକା, ପିସିସି ସଭାପତି ଏବଂ ଅନ୍ୟ ପିସିସି ସଦସ୍ୟ ମତଦାନ କରିଛନ୍ତି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମତଦାନରୁ ନିଜକୁ ଦୂରେଇ ରଖିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସରିଲା ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ରାଜ୍ୟ କଂଗ୍ରେସ ଭବନରେ ଏନେଇ ମତଦାନର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ କଂଗ୍ରେସର ୮ ବିଧାୟକ, ସାଂସଦ ସପ୍ତଗିରି ଶଙ୍କର ଉଲାକା, ପିସିସି ସଭାପତି ଏବଂ ଅନ୍ୟ ପିସିସି ସଦସ୍ୟ ମାନେ ମତଦାନ କରିଛନ୍ତି । ସମୁଦାୟ ୪୧୨ଟି ଭୋଟ ରାଜ୍ୟରୁ ଗ୍ରହଣ କରାଯାଇଥିବା ବେଳେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମତଦାନରୁ ନିଜକୁ ଦୂରେଇ ରଖିଛନ୍ତି ।

କଂଗ୍ରେସ ହାଇକମାଣ୍ଡ ପଦ ଅଳଙ୍କୃତ କରିବା ପାଇଁ ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ବନ୍ଦ୍ବୀତା । ଏନେଇ ଦେଶବ୍ୟାପୀ ଆଜି ମତଦାନ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ଫଳାଫଳ ଘୋଷଣା ହେବ । ସାରା ଦେଶରେ ୪୦ଟି କେନ୍ଦ୍ରରେ ୯ ହଜାର ୮୦୦ ପିସିସି ସଦସ୍ୟ ମତଦାନ କରିବା ପାଇଁ ମୋଟ ୬୭ଟି ବୁଥର ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ବରସ୍ଥିତ ରାଜ୍ୟ କଂଗ୍ରେସ ଭବନରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ ଗ୍ରହଣ ହୋଇଥିଲା । ତେବେ ଏଠାରେ ରାଜ୍ୟର ୪୨୭ ପିସିସି ସଦସ୍ୟ ମତଦାନ କରିବା ନେଇ ବ୍ୟବସ୍ଥା ହୋଇଥିବା ବେଳେ ୪୧୨ ଜଣ ସଦସ୍ୟ ଭୋଟ ଦେଇଛନ୍ତି । ଭୁବନେଶ୍ବର କଂଗ୍ରେସ ଭବନରେ ସକାଳ ୧୦ରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ରାଜ୍ୟ କଂଗ୍ରେସର ୮ ବିଧାୟକ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ମୋଟ ୪୧୨ ଜଣ ପିସିସି ସଦସ୍ୟ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ କରିଛନ୍ତି । ତେବେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମତଦାନ କରିନାହାନ୍ତି । ସେ ଆଜିର ନିର୍ବାଚନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି । ଦଳର ନିଷ୍ପତ୍ତି ବିରୋଧରେ ଯାଇ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମତଦାନ କରିବା ପରଠାରୁ ଦଳର କୌଣସି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ହେଉନଥିବା ଦେଖିବାକୁ ମିଳୁଛି । ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ତାଙ୍କ ନାଁ ନଥିଲା । ତେବେ ଦଳର ସାଧାରଣ କର୍ମୀ ଭାବରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିବେ ବୋଲି କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.