ETV Bharat / city

ଦିଗପହଣ୍ଡିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରା ମାଡ଼, ଜଣେ ମୃତ

author img

By

Published : May 30, 2022, 6:10 PM IST

ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରା ମାଡ଼, ଜଣେ ମୃତ
murder at Digapahandi

ଗଞ୍ଜାମର ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରା ମାଡ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର । ଅଧିକ ପଢନ୍ତୁ

ବ୍ରହ୍ମପୁର: ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରା ମାଡ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ଏହି ଘଟଣା ଗଞ୍ଜାମର ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ଘଟିଛି । ଗତକାଲି ରାତିରେ ବିଜୟ କୁମାର ଗୌଡ (ତୋଫାନ) ନାମକ ଜଣେ ବ୍ୟକ୍ତି ସାମାନ୍ୟ କଳହକୁ ନେଇ ଛୁରାରେ ଆକ୍ରମଣ କରିଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ମୃତ ବ୍ୟକ୍ତି ଜଣକ ହେଲେ ଉକ୍ତ ଗ୍ରାମର ବାବୁ ଗୌଡ ଓ ଗୁରୁତର ହେଲେ ତାଙ୍କ ସହଯୋଗୀ ପ୍ରଦୀପ ସାହୁ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ପରବର୍ତ୍ତୀ ହିଂସା ଚାଲୁଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ପୋଲିସର ପ୍ରଶାସନ ପାଇଁ ଚିନ୍ତା ବଢିଛି । ଗତକାଲି ରାତିରେ ମୃତ ବାବୁ ଓ ପ୍ରଦୀପ ଏକ ବାଇକରେ ଗ୍ରାମକୁ ଯାଉଥିବାବେଳେ ରାସ୍ତାରେ ଠିଆ ହୋଇଥିବା ଅଭିଯୁକ୍ତ ତୋଫାନ ଜାଣିଶୁଣି ବାବୁଙ୍କୁ ଗାଡ଼ି ମଡ଼େଇ ଦେବୁ କି ବୋଲି କହିଥିଲା ।

ଏଥିରେ ଥଟ୍ଟାରେ ବାବୁ କହିଥିଲେ ବାଜିଲେ ବାଜିଯିବ ବୋଲି । ଏଥିରୁ ଉଭୟଙ୍କର ମଧ୍ୟରେ ପାଟିତୁଣ୍ଡ ହୋଇ ଧସ୍ତାଧସ୍ତି ହୋଇଥିଲେ । ତେବେ ଅଭିଯୁକ୍ତ ପୂର୍ବରୁ ଧରିଥିବା ଛୁରୀରେ ବାବୁର ବେକ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ଏହି ସମୟରେ ବାବୁଙ୍କୁ ଛଡାଇବାକୁ ଯାଇଥିବା ପ୍ରଦୀପଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଘଟଣାପରେ ଗ୍ରାମବାସୀ ପହଞ୍ଚି ବାବୁ ଓ ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ବ୍ରହ୍ନପୁର MKCG ରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ମାମଲାରେ ଦିଗପହଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଅଭିଯୁକ୍ତ ଫେରାର ବୋଲି ଜଣାପଡିଛି । ସେପଟେ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣ ବିବେକ ଏମ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.