ETV Bharat / city

ସୁଭଦ୍ରାଙ୍କ ସ୍ୱପ୍ନ ଆଗରେ ବାଧକ ଅର୍ଥ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

author img

By

Published : Aug 19, 2022, 10:16 PM IST

ସୁଭଦ୍ରାଙ୍କ ସ୍ବପ୍ନ ଆଗରେ ବାଧକ ଅର୍ଥ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ
ସୁଭଦ୍ରାଙ୍କ ସ୍ବପ୍ନ ଆଗରେ ବାଧକ ଅର୍ଥ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ

ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଇଚ୍ଛାରେ ବେଡି ପକାଇଛି ଅର୍ଥିକ ଅନଟନ । ପାଠ ପଢିବାକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ (letter to cm) ଚିଠିଲେଖିଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ପାଟଣା ରାଇପୁର ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ସୁଭଦ୍ରା ପଣ୍ଡା । ଦେଖନ୍ତୁ ଏହି ରିପୋର୍ଟ

ବାଲେଶ୍ୱର : ପାଠ ପଢି ବହୁତ ଆଗକୁ ଯିବାକୁ ଇଛା । କିନ୍ତୁ ଇଚ୍ଛାରେ ବେଡି ପକାଇଛି ଅର୍ଥିକ ଅନଟନ । ପରିବାରର ପରିସ୍ଥିତି ଏମିତି ଯେ ଓଳିଏ ଖାଇଲେ ଦୁଇ ଓଳିଏ ଉପବାସ ରହିବାକୁ ପଡେ । ପାଠ ପଢିବାକୁ ପ୍ରବଳ ଆଗ୍ରହ ରହିଥିବା ବେଳେ ଅର୍ଥ ସାଜିଛି ବାଧକ । ଏମିତି କୋହଭରା ଚିଠି ମୁଖ୍ୟମନ୍ତ୍ରୀଙ୍କୁ (letter to cm ) ଲେଖି ନିଜର ଦୁଃଖ ଜଣାଇଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ପାଟଣା ରାଇପୁର ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ସୁଭଦ୍ରା ପଣ୍ଡା।

ସୁଭଦ୍ରାଙ୍କ ସ୍ବପ୍ନ ଆଗରେ ବାଧକ ଅର୍ଥ

ପାଠ ପଢିବାକୁ ପ୍ରବଳ ଆଗ୍ରହ ରଖିଥିବା ସୁଭଦ୍ରାଙ୍କ ପାଇଁ ଅର୍ଥ ସାଜିଛି ବାଧକ । ସୁଭଦ୍ରା ଯେତେବେଳେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ମା ମାନସିକ ସ୍ତରରେ ଭାରସାମ୍ୟ ହରାଇ ବସିଲେ। 8 ବର୍ଷ ଧରି ମାଆଙ୍କୁ ମିଳୁଥିବା ଭତ୍ତା ଓ ରାସନ ଚାଉଳରେ ଦୁଇ ପ୍ରାଣୀ ଚଳୁଛନ୍ତି। ଯାହାକୁ ନେଇ ସୁଭଦ୍ରା ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଏହାରି ଭିତରେ ପୁଣି ନିଜ ଭବିଷ୍ୟତ ଗଢିବା ସ୍ୱପ୍ନ ସାଙ୍ଗକୁ ମାଆଙ୍କୁ ଭଲ କରିବାର ଚିନ୍ତା କୁନି ମୁଣ୍ଡରେ ପୃଥିବୀ ମୁଣ୍ଡେଇବା ପରି ଅନୁଭବ ହେଉଛି । ସମସ୍ତ ଦୁଃଖକଷ୍ଟକୁ ଦିନେ ସୁଭଦ୍ରା ଏକ କାଗଜରେ ଲେଖି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ସୁଭଦ୍ରା। ମାଆଙ୍କ ଚିକିତ୍ସା ସାଙ୍ଗକୁ ନିଜର ପାଠପଢ଼ା ଓ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଘର ପାଇଁ ଚିଠିରେ ଦାବି ଜଣାଇଥିଲେ। ସରକାରୀ ସ୍ତରରେ କେବଳ ଚାଉଳ ଗଣ୍ଡେ ଓ 500 ଟଙ୍କା ଭତ୍ତା ଛଡ଼ା ତାଙ୍କୁ ଆଉ କିଛି ମିଳି ନଥିବା ଚିଠି ଯୋଗେ ଅଭିଯୋଗ କରିଛନ୍ତି ସୁଭଦ୍ରା ।

ଘଟଣାକୁ ନେଇ ସୁଭଦ୍ରାଙ୍କ ଶିକ୍ଷକ କହିଛନ୍ତି, "ସରକାରୀ ୫୦୦ ଭତ୍ତାକୁ ଛାଡିଦେଲେ ଆଉ କିଛି ନାହିଁ ବୋଲି ସେ କାନ୍ଦେ ମୋ ପାଖରେ । ଦୁଃଖ ଜଣାଇବା ପାଇଁ ବହୁତ ଚେଷ୍ଟା କରି ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଲା । ଯଦି ମେଧାବୀ ଛାତ୍ରୀଙ୍କୁ ସରକାର କିଛି ସାହାଯ୍ୟ କରିଦିଅନ୍ତି ସେ ଉପକୃତ ହୋଇପାରନ୍ତା ।"


ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଡିସିପିଓ (District Child Protection Officer) ଯୁବକ ମାଝୀ, ରେମୁଣା ବିଡ଼ିଓଙ୍କ ସହ ଆଲୋଚନା କରି ସୁଭଦ୍ରାଙ୍କ ପରିସ୍ଥିତି ତଦନ୍ତ କରିଥିଲେ। ତଦନ୍ତ ପରେ ସୁଭଦ୍ରାଙ୍କ ପାଠପଢ଼ା ଓ ମାଙ୍କ ଚିକିତ୍ସା କରାଇବା ପାଇଁ ମଧ୍ୟ ଡିସିପିଓ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରତିଶ୍ରୁତି ପାଇବା ପରେ ସୁଭଦ୍ରା ମନରେ ପୁଣିଥରେ ଆଶାର କିରଣ ଦେଖିବାକୁ ମିଳିଛି । ଆଗକୁ ଆହୁରି ପାଠ ପଢି ବଡ ମଣିଷ ହେବାନେଇ ସେ ସ୍ୱପ୍ନ ଦେଖିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ତାଙ୍କୁ କେବେ ସହଯୋଗ ମିଳିପାରୁଛି ତାହା ଦେଖିବାକୁ ବାକି ରହିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.