ETV Bharat / business

Medical Claim: ସାମାନ୍ୟ ଭୁଲ୍ ଯୋଗୁଁ ଖାରଜ ହୋଇପାରେ ସ୍ବାସ୍ଥ୍ୟବୀମା କ୍ଲେମ୍

author img

By

Published : Dec 18, 2022, 1:26 PM IST

ସ୍ବାସ୍ଥ୍ୟବୀମା କ୍ଲେମ୍
ସ୍ବାସ୍ଥ୍ୟବୀମା କ୍ଲେମ୍

ଆଜିକାଲି ସ୍ବାସ୍ଥ୍ୟବୀମା କେତେ ଜରୁରୀ ତାହା ସମସ୍ତଙ୍କୁ ଊଣା ଅଧିକେ ଜଣା । ଏଥିପାଇଁ ବୀମାଧାରକ ନିୟମିତ ଭାବେ ପ୍ରିମିୟମ ଭରିଥାନ୍ତି । ମାତ୍ର ଅନେକ ସମୟରେ ତାଙ୍କର ଗୋଟିଏ ଛୋଟ ଭୁଲ୍ ପାଇଁ କମ୍ପାନୀ ବୀମା କ୍ଲେମ୍ ଖାରଜ କରିଦେଇଥାନ୍ତି । ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ: ପ୍ରତ୍ୟେକ ପରିବାର ପାଇଁ ସ୍ବାସ୍ଥ୍ୟବୀମା ନିତାନ୍ତ ଜରୁରୀ । ଆଜିକାଲି ମହଙ୍ଗା ଚିକିତ୍ସାସେବା ମଧ୍ୟରେ ସ୍ବାସ୍ଥ୍ୟବୀମା ବିନା ଚିକିତ୍ସା ଖର୍ଚ୍ଚ ଉଠାଇ ସମ୍ଭବପର ହେଉନାହିଁ । ତେଣୁ ପରିବାରର ସୁରକ୍ଷା ପାଇଁ ଲୋକମାନେ ପ୍ରଥମେ ଏହି ବୀମା ନେବାକୁ ପସନ୍ଦ କରୁଛନ୍ତି ଏବଂ ନିୟମିତ ଭାବେ ପ୍ରିମିୟମ ପୈଠ କରୁଛନ୍ତି । ଏହାସତ୍ତ୍ବେ ମଧ୍ୟ ବେଳେବେଳେ ମେଡିକାଲ ଏମର୍ଜେନ୍ସି(Health emergencies) ସମୟରେ ବୀମା କମ୍ପାନୀ ଆପଣଙ୍କ ବୀମା କ୍ଲେମ୍ ସ୍ବୀକାର କରିନଥାନ୍ତି । ସେତେବେଳେ ପଲିସିଧାରକ କାହାକୁ ବା ଦୋଷ ଦେବେ । ତେବେ ଏହି କ୍ଲେମ୍ ଖାରଜ ହେବାର କାରଣ ଆପଣଙ୍କର ଗୋଟିଏ ଛୋଟ ଭୁଲ୍ ହୋଇପାରେ । ସ୍ବାସ୍ଥ୍ୟବୀମା ଚୁକ୍ତିରେ ସାମାନ୍ୟ ତ୍ରୁଟି ପଲିସିଧାରକଙ୍କ ବଡ ଆର୍ଥିକ କ୍ଷତି ସାଧନ କରିଥାଏ ।

ବୀମା ନେବା ସମୟରେ ପଲିସିଧାରକ ଓ କମ୍ପାନୀ ମଧ୍ୟରେ ଏକ ବିଶ୍ବାସ ସ୍ଥାପନ ହୋଇଥାଏ । ଏହି ଟ୍ରଷ୍ଟ ଫ୍ୟାକ୍ଟର କେବଳ ନିୟମ ଓ ସର୍ତ୍ତ ଆଧାରରେ ଲାଗୁ ହୋଇଥାଏ । ଅନେକ ସମୟରେ ପଲିସିଧାରକ ଆବେଦନ ପତ୍ର ପୂରଣ କରିବା ବେଳେ ଅବହେଳା କରିଥାନ୍ତି । ଜାଣତରେ ଅଜଣାତରେ ସେ ଅଧୁରା ସୂଚନା ଦେଇଥାନ୍ତି । ଏହି ଛୋଟ ଭୁଲ୍ ଦରକାର ସମୟରେ ବଡ ସମସ୍ୟା ସୃଷ୍ଟି କରେ । ନିଜ ନାମର ଭୁଲ୍ ବାନନ, ଧୂମ୍ରପାନ ଅଭ୍ୟାସ, ବାର୍ଷିକ ଆୟ ଭୁଲ୍ ତଥ୍ୟା ଇତ୍ୟାଦି ଏଥିରେ ସାମିଲ ଅଟେ ।

ସ୍ବାସ୍ଥ୍ୟବୀମା ନେବା ବେଳେ ପଲିସିଧାରକଙ୍କୁ ନିଜ ମେଡିକାଲ ହିଷ୍ଟ୍ରି ସମ୍ପର୍କରେ ସଠିକ ସୂଚନା ପ୍ରଦାନ କରିବାକୁ ପଡିବ । ଅନେକ ଲୋକେ ଏହାମଧ୍ୟ ଚିନ୍ତା କରନ୍ତି ଯେ, ସମସ୍ତ ବିବରଣୀ ପ୍ରଦାନ ଦ୍ବାରା ପଲିସି ମିଳିବ ନାହିଁ ଓ ଅଧିକ ପ୍ରିୟିୟମ ଦେବାକୁ ପଡିବ । ଯଦି ଆପଣ ମଧ୍ୟ ନିଜର ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ଲୁଚାଇ ପଲିସି ନେଉଛନ୍ତି ତାହାହେଲେ ମେଡିକାଲ ଏମର୍ଜେନ୍ସି ସମୟରେ ବୀମା କମ୍ପାନୀ ଆପଣଙ୍କ କ୍ଲେମ୍(Health insurance claim) ଖାରଜ କରିପାରନ୍ତି । ଏହି ସମସ୍ୟାର ସମ୍ମୁଖୀନ ନହେବା ପାଇଁ ସ୍ବାସ୍ଥ୍ୟବୀମା ନେବା ବେଳେ ନିଜ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ସଠିକ୍ ସଠିକ୍ ଦିଅନ୍ତୁ ।

କମ୍ପାନୀ ଗୁଡିକ ପଲିସିଧାରକଙ୍କୁ ମାସକ ଆଗରୁ ବୀମା ନବୀକରଣ ପାଇଁ ସୂଚୀତ କରିଥାନ୍ତି । ହେଲେ କିଛି ଲୋକେ ଏହାକୁ ହାଲୁକା ଭାବେ ନେଇଥାନ୍ତି । ସାଧାରଣତଃ ଏକ୍ସପାରୀର ୩୦ ଦିନ ଯାଏଁ ନବୀକରଣ କରାଯାଇପାରିବ । ପଲିସି ଏକ୍ସପାରୀ ହେବା ସଙ୍ଗେ ସଙ୍ଗେ ବୀମା କଭର ମଧ୍ୟ ଶେଷ ହୋଇଯାଏ । ଯଦି ଏହି ସମୟରେ ଆପଣ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତେବେ କମ୍ପାନୀ କୌଣସି କ୍ଷତିପୂରଣ ପ୍ରଦାନ କରିନଥାଏ । ପଲିସି ନେବା ପରେ ୩୦ ଦିନର ୱେଟିଂ ପିରିୟଡ ରହିଥାଏ । ଏହି ସମୟରେ କେବଳ ଦୁର୍ଘଟଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଚିକିତ୍ସା ଖର୍ଚ୍ଚ ମିଳିଥାଏ । ସେହିପରି ଗମ୍ଭୀର ଅସୁସ୍ଥତା କଭରେଜ ମାମଲାରେ ବୀମାଧାରକ ସୁସ୍ଥ ହେବାର ୩୦ ଦିନ ଯାଏଁ ଜୀବିତ ରହିଲେ ହିଁ କ୍ଲେମ୍ ମିଳିଥାଏ ।

ଯେକୌଣସି ଯୋଜନା କିମ୍ବା ପଲିସି ନେବା ପୂର୍ବରୁ ଏହାର ନିୟମ ଓ ସର୍ତ୍ତ ସମ୍ପର୍କରେ ଭଲ ଭାବେ ବୁଝନ୍ତୁ । ପଲିସି ଡକ୍ୟୁମେଣ୍ଟରେ ସମସ୍ତ ବିବରଣୀକୁ ଦୁଇ ଥର ଯାଞ୍ଚ କରିବା ଉଚିତ୍ । ପ୍ରତ୍ୟେକ ସ୍ବାସ୍ଥ୍ୟ ପଲିସି ସର୍ତ୍ତ ଓ ନିୟମ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥାନ୍ତି ଯାହା କ୍ଷେତ୍ରରେ ବୀମା ଗ୍ରହଣଯୋଗ୍ୟ ହୁଏ ନାହିଁ । ମାତ୍ର ଅନେକ ଲୋକେ ଏ ଦିଗରେ ଧ୍ୟାନ ଦେଇନଥାନ୍ତି । ଯେଉଁ କାରଣରୁ ତାଙ୍କର କ୍ଲେମ୍ ଖାରଜ ହୋଇଥାଏ । ଏଥିପାଇଁ ଯେପରି ଭବିଷ୍ୟତରେ କୌଣସି ସମସ୍ୟା ନହେବ ଏନେଇ ପୂର୍ବରୁ ଯତ୍ନବାନ ହେବା ଜରୁରୀ । ସ୍ବାସ୍ଥ୍ୟବୀମା କ୍ଲେମ୍ ଖାରଜ ହେବାର ଅନ୍ୟ ପ୍ରମୁଖ କାରଣ ହେଲା, ପଲିସିଧାରକ ନିର୍ଦ୍ଧାରିତ ଅବଧି ମଧ୍ୟରେ ବୀମା କମ୍ପାନୀ ସୂଚୀତ ନକରିବା । ଦୁର୍ଘଟଣା କିମ୍ବା ଜରୁରୀ ସ୍ଥିତିରେ ସ୍ବାସ୍ଥ୍ୟବୀମା କ୍ଲେମ୍ କରିବା ସମ୍ଭବ ହୋଇନପାରେ । ହେଲେ ହସ୍ପିଟାଲରେ ଭର୍ତ୍ତି ହେବାର ୨୪ ଘଣ୍ଟାରୁ ୪୮ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ ଜଣାଇବା ଦରକାର । ଯଦି ପଲିସିଧାରକ ସୂଚନା ଦେବା ସ୍ଥିତିରେ ନଥାନ୍ତି ତେବେ ତାଙ୍କର ନୋମିନି ମଧ୍ୟ କମ୍ପାନୀକୁ ଜଣାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.