ETV Bharat / bharat

ପଟିଆଲା ଗୁରୁଦ୍ବାର ପରିସରରେ ମଦ ପିଇଲେ ଯୁବତୀ, ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ

author img

By

Published : May 15, 2023, 10:35 PM IST

ପଞ୍ଜାବରେ ନିଶାସକ୍ତ ମହିଳାଙ୍କୁ ଗୁଳି କରି ହତ୍ୟା
ପଞ୍ଜାବରେ ନିଶାସକ୍ତ ମହିଳାଙ୍କୁ ଗୁଳି କରି ହତ୍ୟା

ପଟିଆଲାରେ ଗୁରୁଦ୍ବାର ନିକଟରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା । ଅନ୍ୟଜଣେ ପୋଲିସ କର୍ମୀ ଆହତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ପଟିଆଲାରେ ଗୁରୁଦ୍ବାର ନିକଟରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛି ଜଣେ ଦୁର୍ବୃତ୍ତ । ମହିଳାଜଣଙ୍କ ନିଶାସକ୍ତ ଅବସ୍ଥାରେ ଏକ ପାଣି ଟାଙ୍କି ନିକଟରେ ବସିଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳମାଡ କରିଥିଲା । ଫଳରେ ମହିଳାଙ୍କର ସେଠାରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆହତ ପୋଲିସ କର୍ମୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ଆଜି ସଂଧ୍ୟାରେ ଏହି ଘଟଣା ଘଟିଛି । ପଟିଆଲାର ଏକ ଗୁରୁଦ୍ବାର ନିକଟରେ ଏହି ମହିଳାଜଣଙ୍କ ଏକ ପାଣି ଟାଙ୍କି ନିକଟରେ ମଦ୍ୟପାନ କରୁଥିଲେ । ଜଣେ ପୋଲିସ କର୍ମୀ ତାଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପୋଲିସ କର୍ମୀଜଣଙ୍କ ତାଙ୍କୁ ବାଧା ଦେବାରୁ ସେ ତାଙ୍କୁ ମଦ ବୋତଲରେ ଆକ୍ରମଣ କରିଥିଲେ । ନିକଟରେ ଯାଉଥିବା ଜଣେ ଯୁବକ ଅଚାନକ ମହିଳାଙ୍କ ଉପରେ ଗୁଳିମାଡ କରିଥିଲା । ଏଥିରେ ମହିଳାଜଣଙ୍କ ସେହି ଠାରେ ହିଁ ପ୍ରାଣ ହରାଇଥିବା ବେଳେ ସମ୍ପୃକ୍ତ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ପରେ ଦୁର୍ବୃତ୍ତଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇସାରିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମହିଳାଙ୍କ ମୃତ୍ୟୁ ହୋଇସାରିଥିବା ଘୋଷଣା କରିଥିଲେ । ପୋଲିସ କର୍ମୀଜଣଙ୍କ ଏବେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି । ପ୍ରାଣ ହରାଇଥିବା ମହିଳାଙ୍କ ପରିଚୟ ସମ୍ପର୍କରେ ମଧ୍ୟ ପୋଲିସ କିଛି ସ୍ପଷ୍ଟ କରିନି ।

ଆକ୍ରମଣ କରିବା ପରେ ଗୁଳି ଚଳାଇଥିବା ଯୁବକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିଲେ ସୁଦ୍ଧା ପୋଲିସ କିନ୍ତୁ ଏସମ୍ପର୍କରେ କିଛି ସ୍ପଷ୍ଟ କରିନି । ସୂଚନା ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତ ହୋଇଥିବା ପୋଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ । ସମସ୍ତ ଦିଗରୁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତ ମହିଳାଙ୍କ ସହ ଆକ୍ରମଣକାରୀ ଯୁବକର କ’ଣ ସମ୍ପର୍କ ସେ ସନେଇ କିଛି ସ୍ପଷ୍ଟ କରିନି । ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.