ETV Bharat / bharat

‘BJP ସହ କଦାପି ମିଶିବୁ ନାହିଁ’: ଅଜିତଙ୍କ ସହ ବୈଠକର ଗୋଟିଏ ଦିନ ପରେ ଶରଦଙ୍କ ସ୍ପଷ୍ଟୋକ୍ତି

author img

By

Published : Aug 13, 2023, 7:34 PM IST

BJP ସହ କଦାପି ମିଶିବୁ ନାହିଁ, ଅଜିତଙ୍କ ସହ ବୈଠକର ଗୋଟିଏ ଦିନ ପରେ ଶରଦଙ୍କ ସ୍ପଷ୍ଟୋକ୍ତି
BJP ସହ କଦାପି ମିଶିବୁ ନାହିଁ, ଅଜିତଙ୍କ ସହ ବୈଠକର ଗୋଟିଏ ଦିନ ପରେ ଶରଦଙ୍କ ସ୍ପଷ୍ଟୋକ୍ତି

ଗତକାଲି ପୁଣରେ ଶରଦଙ୍କୁ ଭେଟିଥିଲେ ଅଜିତ । ଆଜି NCPର ବିଜେପି ମେଣ୍ଟରେ ସାମିଲ ଚର୍ଚ୍ଚାକୁ ଖଣ୍ଡନ କଲେ ଶରଦ । କହିଲେ, କଦାପି ନୁହେଁ । ଅଧିକ ପଢନ୍ତୁ

ମୁମ୍ବାଇ: ଦଳ ବିରୋଧରେ ବିଦ୍ରୋହ କରି ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଶାସକ ମେଣ୍ଟରେ ସାମିଲ ହୋଇ ନାଟକୀୟ ଢଙ୍ଗରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାଓ୍ବାରଙ୍କ ସହ ଦାଦା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ଭଲ ସମ୍ପର୍କ ରହିଛି । ଦଳୀୟ ବିଦ୍ରୋହ ପରେ ମଧ୍ୟ ଦୁହେଁ ଏକାଧିକ ଥର ସାକ୍ଷାତ କରିଛନ୍ତି । ଯାହା ଶରଦଙ୍କ ଭୂମିକା ଓ ରାଜନୈତିକ ଆଭିମୁଖ୍ୟକୁ ମଧ୍ୟ ସନ୍ଦେହ ଘେରକୁ ଟାଣିଛି । ଏହାରି ମଧ୍ୟରେ ଗତକାଲି ପୁଣେରେ ଅଜିତଙ୍କ ସହ ଶରଦଙ୍କ ଭେଟଘାଟକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଶରଦ । ଅଜିତଙ୍କ ସହ ଆଲୋଚନା କୌଣସି ଗୁପ୍ତ ଆଲୋଚନା ନଥିଲା, କିମ୍ବା ଭାରତୀୟ ଜନତା ପାର୍ଟିରେ NCP ରେ କଦାପି ସାମିଲ ହେବ ନାହିଁ ବୋଲି ଶରଦ ସ୍ପଷ୍ଟ କରିଛନ୍ତି ।

ଶରଦ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କହିଛନ୍ତି, "ଏନସିପିର ଜାତୀୟ ସଭାପତି ଭାବରେ ମୁଁ ସ୍ପଷ୍ଟ କରୁଛି ଯେ, ମୋ ଦଳ (ଏନସିପି) ବିଜେପି ମେଣ୍ଟରେ ସାମିଲ ହେବ ନାହିଁ । ଭାରତୀୟ ଜନତା ପାର୍ଟି ସହିତ ଏନ୍‌ସିପିର ରାଜନୈତିକ ବିଚାରଧାରାର କୌଣସି ସାମଞ୍ଜସ୍ୟ ନାହିଁ । କିଛି ଶୁଭେଚ୍ଛୁ ମତେ ଏ ଦିଗରେ ମନାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟି ସହ ଏନ୍‌ସିପି କଦାପି ମେଣ୍ଟ କରିବ ନାହିଁ ।"

ତେବେ ଶରଦଙ୍କ ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । କାରଣ ଯଦି ଏପରି କିଛି ଆଲୋଚନାର ବିଷୟ ନାହିଁ, ତେବେ ଦଳ ବିରୋଧରେ ବିଦ୍ରୋହ କରିଥିବା ଅଜିତ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିବା ଶରଦ କାହିଁକି ବାରମ୍ବାର ସାକ୍ଷାତ ଓ ଆଲୋଚନା କରୁଛନ୍ତି । ଗତମାସ (ଜୁଲାଇ)-2 ତାରିଖରେ ଅତି ନାଟକୀୟ ଢଙ୍ଗରେ ବିଜେପି ନେତୃତ୍ବାଧୀନ ମେଣ୍ଟରେ ଅଜିତଙ୍କ ସହ ଏନସିପିର କିଛି ବରିଷ୍ଠ ନେତା ସାମିଲ ହୋଇଥିଲେ । ଏହି ଗୋଷ୍ଠୀରେ ଶରଦଙ୍କ ବେଶ ଘନିଷ୍ଠ ପ୍ରଫୁଲ୍ଲ ପଟେଲ ଓ ଛଗନ ଭୁଜବଳ ମଧ୍ୟ ସାମିଲ ଥିଲେ । ସେହିଦିନ ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ 8 ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇଥିଲେ ରାଜ୍ୟପାଳ ।

ଏହା ମଧ୍ୟ ପଢନ୍ତୁ :-Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

ଏହାପରେ ଆରମ୍ଭ ହୋଇଥିଲା ଏନ୍‌ସିପିର ଦଳୀୟ ଅସ୍ଥିତ୍ୱ ଯୁଦ୍ଧ । ଶରଦ କ୍ୟାମ୍ପ ଅଜିତ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିବା ବେଳେ ଅଜିତ କ୍ୟାମ୍ପ ନିଜକୁ ମୁଖ୍ୟ ଏନ୍‌ସିପି ଦାବି କରି ଦଳର ମାନ୍ୟତା ପାଇଁ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା । ହେଲା ଏହା ପରେ ଅଜିତ ଓ ଶରଦଙ୍କ ମଧ୍ୟରେ ଏକାଧିକ ଥର ବୈଠକ ମଧ୍ୟ ହେଲାଣି । ଯାହା ଶରଦଙ୍କ ଭୂମିକାକୁ ସନ୍ଦେହକୁ ଟାଣୁଛି । ଏହାରି ମଧ୍ୟରେ ଶରଦ କିନ୍ତୁ ବିଜେପି ମେଣ୍ଟରେ ସାମିଲ ଚର୍ଚ୍ଚାତୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.