ETV Bharat / bharat

‘ନିର୍ବାଚନର ମାତ୍ର 2 ମାସ ପୂର୍ବରୁ ମୋତେ ନୋଟିସ କାହିଁକି': କେଜ୍ରିୱାଲ୍

author img

By ETV Bharat Odisha Team

Published : Jan 18, 2024, 4:47 PM IST

Arvind Kejriwal questions ED summons: ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ନୋଟିସ କାହିଁକି ବୋଲି ପ୍ରଶ୍ନ କଲେ । ନିର୍ବାଚନ ପ୍ରଚାର କରାଇନଦେବାକୁ ରାଜନୈତିକ ଷଡ଼ଯନ୍ତ୍ର କହିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ଇଡିକୁ କେଜ୍ରିଓ୍ବାଲଙ୍କ ଉତ୍ତର: ‘ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ମତେ ନୋଟିସ କାହିଁକି’
ଇଡିକୁ କେଜ୍ରିଓ୍ବାଲଙ୍କ ଉତ୍ତର: ‘ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ମତେ ନୋଟିସ କାହିଁକି’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ବାରମ୍ବାର ସମନ ପାଇ ହାଜର ହେଉନଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିକୁ ଚିଠିରେ ପ୍ରତି ଉତ୍ତର ଦେଇଛନ୍ତି । ସାଧାରଣ ନିର୍ବାଚନର ମାତ୍ର 2 ମାସ ପୂର୍ବରୁ ତାଙ୍କୁ କାହିଁକି ସମନ ଜାରି କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । କେଜ୍ରିଓ୍ବାଲ କହିଛନ୍ତି,‘‘ଏହା ଆଇନ ଆଖିରେ ଅବୈଧ ଓ ବେଆଇନ ମଧ୍ୟ । ଏହି ସମୟରେ ମତେ ନୋଟିସ କାହିଁକି ଜାରି କରାଯାଉଛି । ଏହା ସମ୍ପର୍କରେ ମୁଁ ଅନେକ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖି ସାରିଲେଣି । ସେମାନେ ଏହାର କୌଣସି ପ୍ରତିଉତ୍ତର ଦେଉନାହାନ୍ତି । କେବଳ ରାଜନୈତିକ ଷଡଯନ୍ତ୍ରରେ ମତେ ସମନ ଜାରି କରାଯାଉଛି । ଏହି ମାମଲାର ତଦନ୍ତ 2 ମାସ ହେବ ଚାଲିଛି । ହେଲେ ସେମାନେ କୌଣସି ପ୍ରମାଣ ପାଇଲେ ନାହିଁ ।’’

ଆହୁରି ମଧ୍ୟ ସେ କହିଛନ୍ତି, ଏହି ମାମଲାର ଶୁଣାଣି ବେଳେ କୋର୍ଟ ତାଙ୍କୁ (ତଦନ୍ତକାରୀ ସଂସ୍ଥା)କୁ ଚଢାଉ ବେଳେ କ’ଣ ଜବତ ହୋଇଛି ବୋଲି ବାରମ୍ବାର ପ୍ରଶ୍ନ କରୁଛନ୍ତି । କାର୍ଯ୍ୟାନୁଷ୍ଠାନରେ କେତେ ଟଙ୍କା ଜବତ ହୋଇଛି, ସେ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ନିକଟରେ କୌଣସି ଉତ୍ତର ନାହିଁ । ଲୋକଙ୍କୁ ମାଡ଼ ମାରି ମିଛ ବିବୃତି ଦେବା ପାଇଁ ବାଧ୍ୟ କରାଯାଉଛି । ଏବେ ନିର୍ବାଚନର ମାତ୍ର ଦୁଇ ମାସ ପୂର୍ବରୁ ମତେ ନୋଟିସ ଜାରି କରାଯାଇଛି । ଏହା ଏକ ରାଜନୈତିକ ଷଡଯନ୍ତ୍ର । ଏପରି କରି ସେମାନେ ମତେ ଲୋକସଭା ନିର୍ବାଚନ ପ୍ରଚାର କରାଇ ନଦେବାପାଇଁ ଯୋଜନା ରଖିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ଆଜି ବି ହାଜର ହେଲେନି କେଜ୍ରିଓ୍ବାଲ, ପଞ୍ଚମ ସମନ ଜାରି କଲା ଇଡି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ଏକାଧିକ ନେତା ପୂର୍ବରୁ ଗିରଫ ହୋଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ବାରମ୍ବାର ସମନ ପାଇଛନ୍ତି । ଗତବର୍ଷ ତାଙ୍କୁ 3 ଥର ସମନ କରାଯାଇଥିବା ବେଳେ ଚଳିତବର୍ଷ ଆରମ୍ଭରେ ଜାନୁଆରୀ 13 ତାରିଖରେ ଚତୁର୍ଥ ଥର ପାଇଁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ଆଜି ତାଙ୍କର 4ର୍ଥ ସମନରେ ହାଜିରା ଥିଲା । ହେଲେ କେଜ୍ରିଓ୍ବାଲ 4ଟି ସମନକୁ ଏଡ଼ାଇ ଯାଇଛନ୍ତି । ଏବେ ଇଡିର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.