ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ, ପୁନଶ୍ଚ ଦିଦିଙ୍କ ରାଜ୍ୟକୁ ସ୍ବାଗତ

author img

By

Published : May 2, 2021, 8:57 PM IST

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ,  ପୁନଶ୍ଚ ଦିଦିଙ୍କ ରାଜ୍ୟକୁ ସ୍ବାଗତ
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ, ପୁନଶ୍ଚ ଦିଦିଙ୍କ ରାଜ୍ୟକୁ ସ୍ବାଗତ

ବହୁ ବାଧା ପ୍ରତିଘାତକୁ ସାମ୍ନା କରି , ବିଜେପିକୁ କଡା ଟକ୍କର ଦେଇ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବେ ବେଙ୍ଗଲ ବାଘୁଣୀ । ରାଜ୍ୟରେ ଟିଏମସିର ବିଜୟ ସୁନିଶ୍ଚିତ ଓ ଏହାର ବିକଳ୍ପ ନାହିଁ ବୋଲି ଦୃଢୋକ୍ତି ଦେଉଥିବା ମମତାଙ୍କ ଦଳ ପାଇଛି ବହୁମତ । ନିଜ ଆସନରୁ ହାରିବା ସତ୍ତ୍ବେ, ଦିଦିଙ୍କ ଦୃଢ ମନୋବଳ , ପ୍ରଭାବଶାଳୀ ବ୍ୟକ୍ତିତ୍ବ ଯୋଗୁଁ ଟିଏମସି ବଙ୍ଗବାସୀଙ୍କ ମନ ଜିଣିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ..

ସେ କହିଥିଲେ, “ଖେଲା ହୋବେ” (ଖେଳ ହେବ) । ତାହା ଥିଲା, ପୁଣି ଥରେ ଇତିହାସ ରଚିବାର କିମ୍ବା ନିଜେ ଇତିହାସ ପାଲଟି ଯିବାର ଅସମାହିତ ପ୍ରଶ୍ନ । ଭୋଟିଂ ମେସିନ୍‌ରୁ ବାହାରି ଜନମତ ପ୍ରକାଶିତ ହେଲା ବେଳକୁ ପଶ୍ଚିମ ବଙ୍ଗର ଲୋକେ ହୁଏତ ଏ ସଂପର୍କରେ ପରେ ଯାହା କିଛି କହିବେ । କିନ୍ତୁ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ହୁଏତ ଠିକ୍‌ ଏହା ହିଁ କହିବେ, “ଖେଲା ହୋଲୋ” (ଖେଳ ସରିଗଲା) ।

ଏକାଦିକ୍ରମେ ତୃତୀୟ ଥର ପାଇଁ ଆଜି ତୃଣମୂଳ କଂଗ୍ରେସର ନେତୃତ୍ବ ନେଇଥିବା ମମତା ବାନାର୍ଜୀ ପୁଣି ଥରେ ପଶ୍ଚିମ ବଙ୍ଗରେ ଏକ ଚମତ୍କାର ବିଜୟ ହାସଲ କରିବାକୁ ଯାଉଥିବା ବେଳେ ହୁଏତ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କ୍ଷମତାସୀନ ଦଳ ବିରୋଧୀ ହାୱା ସହିତ ସ୍ବଜନତୋଷଣ ନୀତି ଏବଂ ପକ୍ଷପାତିତା ବିରୋଧରେ ଦଳ ଭିତରେ ଉଠିଥିବା ଅଭିଯୋଗକୁ ମାତ୍‌ କରି ମମତା ବାନାର୍ଜୀ ଆଜି ନିଜକୁ ସାଂପ୍ରତିକ ପଶ୍ଚିମ ବଙ୍ଗର ସର୍ବୋଚ୍ଚ ନେତା ରୂପେ ପ୍ରତିପାଦିତ କରିଛନ୍ତି । ଏବଂ ଦ୍ବିତୀୟରେ, ଆଜିର ଏହି ବିଜୟ ପରେ, କେନ୍ଦ୍ରୀୟ ସ୍ତରରେ ବିଜେପି ବିରୋଧୀ ଦଳଗୁଡ଼ିକର ନେତୃତ୍ବ ନେବାକୁ ସେ ସର୍ବପ୍ରଥମ ଦାବିଦାର ରୂପେ ଉଭା ହୋଇଛନ୍ତି । ତାଙ୍କର ବିଜୟ ବଳରେ ଜାତୀୟ ସ୍ତରରେ ତୃଣମୂଳ କଂଗ୍ରେସର ଉଚ୍ଚାକାଂକ୍ଷା ଉଦ୍‌ଭାସିତ ହେବାର ସୁଯୋଗ ଲାଭ କରିଛି ଏବଂ ସର୍ବଭାରତୀୟ ସ୍ତରରେ ତାଙ୍କ ନେତୃତ୍ବର ଗ୍ରହଣୀୟତା ସ୍ଥାପିତ ହୋଇଛି ।

ପଶ୍ଚିମ ବଙ୍ଗରେ ତୃଣମୂଳ ସ୍ତରୀୟ ବାସ୍ତବ ସ୍ଥିତିକୁ ବିଚାର କଲେ ବୁଝିହୁଏ ଯେ, ଧର୍ମ ଭିତ୍ତିରେ ଭୋଟଦାତାମାନଙ୍କର ବିଭାଜନ ଉଦ୍ୟମ ଭଳି ବିଜେପିର ଧ୍ରୁବୀକରଣ ଭିତ୍ତିକ ପ୍ରଚାର ନୀତି, ଆକ୍ଷରିକ ଅର୍ଥରେ ସେମାନଙ୍କ ପାଇଁ ହିଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟିର କାରଣ ହେଲା । ରାଜ୍ୟର ମାଲଦା ଏବଂ ମୁର୍ଶିଦାବାଦ ଜିଲ୍ଲା ସହିତ ଦକ୍ଷିଣ ଚବିଶ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା ଏବଂ ହାଓଡ଼ା ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ବସବାସ କରୁଥିବା ମୁସଲମାନ ଭୋଟଦାତାମାନେ ଅନ୍ୟ କୌଣସି ଦଳ ତୁଳନାରେ ତୃଣମୂଳ କଂଗ୍ରେସକୁ ହିଁ ପସନ୍ଦ କରିଥିବା ପରିଲକ୍ଷିତ ହୋଇଛି । ପୂର୍ବରୁ କଂଗ୍ରେସର ଗଡ଼ ବୋଲି ବିଚାର କରାଯାଉଥିବା ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାର ଭୋଟରମାନେ ସାମୂହିକ ଭାବେ ମମତା ବାନାର୍ଜୀଙ୍କୁ ହିଁ ସମର୍ଥନ କରିଛନ୍ତି । ଏଥିରୁ ଯେଉଁ ଗୋଟିଏ ସ୍ପଷ୍ଟ ସଂକେତ ମିଳେ, ତାହା ହେଲା, କେବଳ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ହିଁ ସମସ୍ତ ଦୋଷ ଦୁର୍ବଳତା ଏବଂ ଅଭିଯୋଗର ଲମ୍ବା ଫର୍ଦ୍ଦ ସତ୍ତ୍ବେ ସେମାନେ ତୃଣମୂଳ କଂଗ୍ରେସ ଓ ମମତାଙ୍କୁ ପସନ୍ଦ କରିଛନ୍ତି ।

ଏହି ସମଗ୍ର ପ୍ରକ୍ରିୟାରେ, ପଶ୍ଚିମ ବଙ୍ଗରେ ତୃତୀୟ ଶକ୍ତି ରୂପେ ବିବେଚିତ ବାମ ସାମ୍ମୁଖ୍ୟ ଏବଂ ଏହାର ସହଯୋଗୀ ଦଳ, କଂଗ୍ରେସ ଏବଂ ଏଆଇଏସ୍‌ଏଫ୍‌ ଆହୁରି ସଂକୁଚିତ ଏବଂ ଶକ୍ତିହୀନ ହୋଇଯାଇଛନ୍ତି ଏବଂ ପୂର୍ବରୁ ବିଭିନ୍ନ ବାମ ଦଳ ଓ କଂଗ୍ରେସ ସପକ୍ଷରେ ରହିଥିବା ପାରମ୍ପରିକ ଭୋଟଦାତାମାନେ ତୃଣମୂଳ କଂଗ୍ରେସ ଆଡ଼କୁ ଢଳିଛନ୍ତି ।

ପୁନଶ୍ଚ, ଏହା ଖୁବ୍‌ ସରଳ କଥା । 2019ରୁ ଆରମ୍ଭ ହୋଇଥିବା ବିଜେପିର ବିଜୟ ଅଭିଯାନକୁ ଅଟକାଇବା ପାଇଁ ସେମାନେ ଭୋଟ ଦେଇଛନ୍ତି । 2019ରେ ବିଜେପି 18ଟି ଲୋକସଭା ଆସନରେ ବିଜୟ ଲାଭ କରିଥିଲା ଏବଂ ମୋଟାମୋଟି ଭାବେ ଏହାର ଅର୍ଥ ହେଉଛି ଯେ ପ୍ରାୟ 121ଟି ବିଧାନସଭା ଆସନରେ ସଫଳତା ଲାଗି ଦଳ ଆଶା ରଖିଥିଲା ଏବଂ ତା ସାଙ୍ଗକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ଚମତ୍କାରୀ ପ୍ରଭାବ ଏବଂ ଦଳର ଜାତୀୟ ସଭାପତି ଜେ.ପି. ନଡ୍ଡା ଏବଂ କୈଳାସ ବିଜୟବର୍ଗିୟା, ବି.ଏଲ୍‌. ସନ୍ତୋଷ ଓ ଅରବିନ୍ଦ ମେନନଙ୍କ ଭଳି ତୁଙ୍ଗ ନେତାଙ୍କ ଦ୍ବାରା ପ୍ରସ୍ତୁତ ରଣନୀତି ଉପରେ ବି ସେମାନଙ୍କର ଭରସା ରହିଥିଲା । ହେଲେ ମମତା ବାନାର୍ଜୀ ଏବଂ ତାଙ୍କ ରଣନୀତି ବିଶାରଦମାନେ ନିରବରେ ଯେଉଁ ଅଭିଯାନ ଚଳାଇଥିଲେ ତାହାର ସଠିକ ଆକଳନ କରିବାରେ ବିଜେପି ବିଫଳ ହୋଇଥିଲା ।

ବିଜେପି ନେତାମାନେ ‘ପିଶି-ଭାଇପୋ’ (ପିଉସୀ-ପୁତୁରା) ଯୋଡ଼ି ବିରୋଧରେ ଯେତେ ତୀବ୍ର ଆକ୍ରମଣ କଲେ, ମାଲଦା ଭଳି ବିଭିନ୍ନ ଜିଲ୍ଲାରେ ପ୍ରଚାର ସମୟରେ ପଶ୍ଚିମ ବଙ୍ଗରେ ଆଣ୍ଟି-ରୋମିଓ ସ୍କ୍ବାଡ୍‌ ଗଠନ ଲାଗି ଯୋଗୀ ଆଦିତ୍ୟନାଥଙ୍କ ଭଳି ନେତାମାନେ ଯେତେ ଜୋରରେ କହିଲେ, ମମତା ବାନାର୍ଜୀଙ୍କ ସପକ୍ଷରେ ଭୋଟ ମିଳିବା ସେତେ ଅଧିକ ନିଶ୍ଚିତ ହେବାରେ ଲାଗିଲା । ମମତାଙ୍କ ପାଖରେ ଭୋଟରଙ୍କ ପାଇଁ ଦୁଇଟି ଅତି ଶକ୍ତିଶାଳୀ ବାର୍ତ୍ତା ରହିଥିଲା - ପ୍ରଥମ, ଦୁଆରେ ସରକାର (ଆପଣଙ୍କ ଘର ଦୁଆରେ ସରକାର) କାର୍ଯ୍ୟକ୍ରମ ଯୋଗୁଁ ବିଭିନ୍ନ ସାମାଜିକ ଯୋଜନାର ସୁଯୋଗ ନେବା ପାଇଁ ବହୁସଂଖ୍ୟକ ଲୋକ ଦଳୀୟ କ୍ୟାମ୍ପ ଅଫିସକୁ ଆସି ସେମାନଙ୍କ ନାମ ପଞ୍ଜୀକରଣ କରାଇଲେ । ଦୁଆରେ ସରକାର କାର୍ଯ୍ୟକ୍ରମ ସହିତ ରହିଥିଲା ସ୍ବାସ୍ଥ୍ୟ ସାଥୀ କାର୍ଡ, ଯାହା କି ପ୍ରତି ହିତାଧିକାରୀ ପରିବାରର ବୟୋଜ୍ୟେଷ୍ଠ ମହିଳା ସଦସ୍ୟଙ୍କ ନାଁରେ ପଞ୍ଜୀକୃତ ହେଉଥିଲା । ଏହା ଫଳରେ ମମତା ବାନାର୍ଜୀ ବହୁସଂଖ୍ୟକ ମହିଳାଙ୍କ ଭୋଟ ହାସଲ କରିବା ନିଶ୍ଚିତ ହୋଇଥିଲା । ଏବଂ ନିର୍ବାଚନ ପ୍ରଚାରରେ ତା ସହିତ ଥିଲା ତୃଣମୂଳ କଂଗ୍ରେସର ‘ବୋହିରାଗୋତୋ’ (ବାହାରର ଲୋକ) ବିରୋଧୀ ଧ୍ବନିର ସଫଳ ଉଚ୍ଚାରଣ । ‘ବାଂଲା ନିଜେର ମେୟେ କେ ଚାୟି’ (ବେଙ୍ଗଲ ତା ନିଜର ଝିଅକୁ ହିଁ ଚାହେଁ)- ପ୍ରଚାର ସମୟର ଏହି ବାର୍ତ୍ତା ପଶ୍ଚିମ ବଙ୍ଗର ଜନମାନସରେ ବେଶ ପ୍ରଭାବ ପକାଇଥିଲା ।

ତଥାପି, 2016ରେ ବିଧାନସଭାରେ ମାତ୍ର 3ଟି ଆସନ ହାସଲ କରିଥିବା ବିଜେପି ଏବେ ପ୍ରାୟ 80ଟି ଆସନରେ ବିଜୟ ହାସଲ କରିବାକୁ ଯାଉଛି । ରାଜନୈତିକ ଅଙ୍କ ଗଣିତ ଦୃଷ୍ଟିରୁ ବିଚାର କଲେ, 2019 ଲୋକସଭା ନିର୍ବାଚନରେ ଗୈରିକ ଦଳ ଲାଭ କରିଥିବା ସଫଳତାର ପୁନରାବୃତ୍ତି କରିବାକୁ ଯାଉଛି । ସେତେବେଳେ ସେମାନେ ମାତ୍ର 2ଟି ଆସନରୁ 18ଟି ଆସନ ହାସଲ କରିବାର ଆଖିଦୃଶିଆ ସଫଳତା ପାଇଥିଲେ। ତେବେ ଏଥର ରାଜନୈତିକ ଅଙ୍କ ଗଣିତକୁ ମଳିନ କରିଦେଇଥିଲା ରାଜନୈତିକ ଭାବଧାରା । ନଦିଆ ଏବଂ ସଂଖ୍ୟାଗରିଷ୍ଠ ମାତୁଆ ସଂପ୍ରଦାୟ ବସବାସ କରୁଥିବା ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର କେତେକ ଅଞ୍ଚଳ ସହିତ ଜଲପାଇଗୁଡ଼ି, ଆଲିପୁରଦୁଆର ଏବଂ କୁଚବେହାର ଭଳି ଉତ୍ତର ବଙ୍ଗର କେତେକ ଅଞ୍ଚଳରୁ ଯଦି ବିଜେପିକୁ ମହତ୍ତ୍ବପୂର୍ଣ୍ଣ ସଫଳତା ମିଳି ନଥାଆନ୍ତା, ତେବେ ରାଜ୍ୟରେ ବିଜେପିର ଦୁର୍ଦ୍ଦଶା ବେଶ ଅଧିକ ହୋଇଥାଆନ୍ତା ।

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତାଙ୍କ କାର୍ଯ୍ୟଧାରା ଅବ୍ୟାହତ ରଖିବେ । ପ୍ରଥମ ଥର ପାଇଁ ପଶ୍ଚିମ ବଙ୍ଗ ବିଧାନସଭାରେ ବିଜେପି ବିରୋଧୀ ଦଳର ଭୂମିକା ତୁଲାଇବ । ପୁଣି ଥରେ, ବାମ ସାମ୍ମୁଖ୍ୟ ଏବଂ ଏହାର ସହଯୋଗୀମାନେ ନିରାଶ ହୋଇଛନ୍ତି । କିନ୍ତୁ, 2021ର ଗ୍ରୀଷ୍ମକାଳରେ ଜଣେ ଶକ୍ତିଶାଳୀ ଏବଂ ସଫଳ ନେତା ରୂପେ ଘରକୁ ଫେରିବେ ମମତା ବାନାର୍ଜୀ । ଆଗାମୀ ଦିନରେ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଆସ୍ଥାନ ଜମାଇବାର ଅନେକ ସମ୍ଭାବନା ସହିତ 2024 ପାଇଁ ପ୍ରତୀକ୍ଷାର ଅୟମାରମ୍ଭ କରିବେ ।

ଦୀପଙ୍କର ବୋଷ, ନ୍ୟୁଜ୍‌ କୋଅର୍ଡିନେଟର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.