ETV Bharat / bharat

Tripura Assembly Elections: ଆଜି ଆସିବ ତ୍ରିପୁରା ରାୟ, କାହା ସପକ୍ଷରେ ଯିବ ଜନାଦେଶ

author img

By

Published : Mar 2, 2023, 8:56 AM IST

Tripura Assembly elections result
Tripura Assembly elections result

ଆଜି ପ୍ରକାଶ ପାଇବ ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଅଧିକ ପଢନ୍ତୁ

ତ୍ରିପୁରା: ଆଜି ଆସିବ ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ । କିଏ ମାରିବ ବାଜି ? ପୁଣିଥରେ କ୍ଷମତା ଦଖଲ କି ବିଜେପି ନା ହାତରୁ ଖସିଯିବ ତ୍ରିପୁରା ? ସେନେଇ ଆଜି ସକାଳୁ ଆରମ୍ଭ ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି । ଏହାପରେ ଇଭିଏମ ଗଣତି କରାଯିବ । ଚଳିତ ଥର କିଏ ବିଜୟ ବିଜୟ ମୁକୁଟ ପିନ୍ଧିବ ତାହାର ଚିତ୍ର ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି । ଚଳିତ ନିର୍ବାଚନରେ ବିଜେପି ଓ ଏହାର ମେଣ୍ଟ ଆଇପିଏଫଟି, କଂଗ୍ରେସ ବାମଦଳ ମେଣ୍ଟ ଏବଂ ତିପ୍ରା ମୋଥା ମଧ୍ୟରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିଛି । ବର୍ତ୍ତମାନ ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ବୁଥ ବାହୁଡା ମତ ବା ଏକଜିଟ ପୋଲ ଅନୁସାରେ ତ୍ରିପୁରାରେ ବିଜେପି ପୁଣିଥରେ କ୍ଷମତାକୁ ଫେରିପାରେ । ତ୍ରିପୁରାରେ ୬୦ ଆସନରୁ ବିଜେପିକୁ ୩୨ଟି ଆସନ ମିଳିପାରେ । କଂଗ୍ରେସକୁ ଗୋଟିଏ ବି ଆସନ ମିଳିବ ନାହିଁ ବୋଲି ଆକଳନ କରାଯାଇଛି ।

ତ୍ରିପୁରା ମୁଖ୍ୟ ନିର୍ବାଚନ ଅଧିକାରୀ ଗିଟେ କିରନକୁମାର ଦିନାକାରାଓ କହିଛନ୍ତି, ଭୋଟ ଗଣତି ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଗତକାଲି(ବୁଧବାର) ସନ୍ଧ୍ୟାରୁ ଶୁକ୍ରବାର ସକାଳ ୬ଟା ଯାଏଁ ରାଜ୍ୟବ୍ୟାପୀ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏଥିରୁ ସମସ୍ତ ପ୍ରକାର ଜରୁରୀକାଳୀନ ସେବା ଏବଂ ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଇଛି । ସେହିପରି ମତଗଣନା ସମୟରେ ଯେପରି କୌଣସି ଉତ୍ତେଜନା ପ୍ରକାଶ ନପାଏ ସେଥିପାଇଁ ରାଜ୍ୟରେ ପ୍ରାୟ ୨୫ ହଜାର ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି ।

ଫେବୃୟାରୀ ୧୬ରେ ତ୍ରିପୁରା, ଏବଂ ୨୭ ତାରିଖରେ ନାଗାଲାଣ୍ଡ ଓ ମେଘାଳୟର ମୋଟ ୧୭୮ଟି ବିଧାନସଭା ଆସନରେ ମତଦାନ ହୋଇଥିଲା । ବିଜେପି ଶାସିତ ତ୍ରିପୁରାର ୬୦ ବିଧାନସଭା ଆସନ ପାଇଁ ମୋଟ ୨୫୯ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ ସମୁଦାୟ ୮୭.୭୬ ମତଦାନ ହୋଇଛି । ଏଥର ମୁଖ୍ୟତଃ ବିଜେପି ଆପିଏଫଟି ମେଣ୍ଟ, କଂଗ୍ରେସ ବାମଦଳ ମେଣ୍ଟ ଏବଂ ଆଞ୍ଚଳିକ ଦଳ ତିପ୍ରା ମୋଥା ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଛି ।

ମୁଖ୍ୟମନ୍ତ୍ରୀ ମାଣିକ ଶାହା ବରଦୋବଲି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ସେପାହିଜାଲା ଜିଲ୍ଲାର ଧନପୁର ଆସନରୁ ନିର୍ବାଚନ ଲଢିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବବର୍ମା ଚରିଲିସ ଆସନରୁ ଛିଡା ହୋଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ବାମଦଳ ଓ କଂଗ୍ରେସ ଏକାଠି ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି । ତ୍ରିପୁରାର ୬୦ ବିଧାନସଭା ଆସନରୁ ବିଜେପି ଏଥର ୫୫ଟି ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୧୩ ଆସନରେ ନିର୍ବାଚନ ଲଢୁଛି । ସେହିପରି ସିପିଆଇଏମ ୪୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଟିଏମସି ୨୮ ପ୍ରାର୍ଥୀ ଦେଇଛି ।

୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ମୋଟ ୬୦ ଆସନରୁ ବିଜେପି ୩୬ ଆସନ ଦଖଲ କରିଥିଲା । ଏହାର ମେଣ୍ଟ ସହଯୋଗୀ ଆପିଏଫଟି ୧୮ଟି ଆସନରେ ବିଜୟ ପାଇଥିଲା । ସେହିପରି ବାମଦଳ ସିପିଆଇଏମ ହାତକୁ ମାତ୍ର ୧୬ଟି ଆସନ ଆସିଥିବା ବେଳେ କଂଗ୍ରେସ ଗୋଟିଏ ବି ଆସନ ଅକ୍ତିଆର କରିପାରିନଥିଲା । ଏହାରି ସହିତ ତ୍ରିପୁରାରେ ଦୀର୍ଘ ୫ ଦଶନ୍ଧି ଧରି କ୍ଷମତାରେ ଥିବା ସିପିଆଇଏମକୁ କ୍ଷମତାଚ୍ୟୁତ କରି ବିଜେପି ବିପ୍ଲବ ଦେବଙ୍କ ନେତୃତ୍ବରେ ରାଜ୍ୟରେ ସରକାର ଗଠନ କରିଥିଲା । ଚଳିତ ଥର ମଧ୍ୟ କ୍ଷମତାକୁ ଫେରିବା ନେଇ ଦୃଢୋକ୍ତି ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.