ETV Bharat / bharat

ଶଶୀ ଥରୁର ଲଢିବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ମିଳିଲା ସୋନିଆଙ୍କ ଗ୍ରୀନ ସିଗନାଲ !

author img

By

Published : Sep 19, 2022, 10:19 PM IST

ଶଶୀ ଥରୁର ଲଢିବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ମିଳିଲା ସୋନିଆଙ୍କ ସହମତି !
ଶଶୀ ଥରୁର ଲଢିବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ମିଳିଲା ସୋନିଆଙ୍କ ସହମତି !

ଶଶୀ ଥରୁର ଲଢିବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପରେ ସହମତି ମିଳିଥିବା ଚର୍ଚ୍ଚା (Shashi Tharoor gets Sonia Gandhi nod)। ଆସନ୍ତା ମାସ 18 ତାରିଖରେ ହେବ ନିର୍ବାଚନ । ରାହୁଲଙ୍କୁ ପୁନଃ ଦାୟିତ୍ବ ନେଇ ରହିଛି କିଛି ବରିଷ୍ଠ ନେତାଙ୍କ ପ୍ରସ୍ତାବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରରୁ । ଆଜି ଥରୁର ଦଳର ହାଇକମାଣ୍ଡ ତଥା ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ତେବେ ଏହି ଆଲୋଚନାରେ ସୋନିଆ ଶଶୀଙ୍କୁ ନିର୍ବାଚନ ଲଢିବା ନେଇ ଗ୍ରୀନ ସିଗନାଲ ପ୍ରଦାନ କରିଥିବା ସୂତ୍ରରୁ (Shashi Tharoor gets Sonia Gandhi nod) ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ହୋଇଥିବା ଏହି ସାକ୍ଷାତକାରରେ ଶଶୀ ଓ ସୋନିଆଙ୍କ ମଧ୍ୟରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ଆଲୋଚନା ହୋଇଥିଲା । ତେବେ ଏହି ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ଶଶୀ ଆଗ୍ରହୀ ଥିବା ବେଳେ ନିର୍ବାଚନ ଲଢିବା ନେଇ ମଧ୍ୟ ସେ ଇଚ୍ଛା ପ୍ରକାଶ କରିଥିଲେ । ସୋନିଆ ଗାନ୍ଧୀ ତାଙ୍କୁ ଆଗକୁ ବଢିବା ପାଇଁ ଗ୍ରୀନ ସିଗନାଲ ମଧ୍ୟ ଦେଇଥିବା ଚର୍ଚ୍ଚା ହେଉଛି । ଦଳର ଅଧ୍ୟକ୍ଷ ପଦ ପାଇଁ ଦୀର୍ଘଦିନ ହେବ ଟଣା ଓଟରା ସ୍ଥିତି ଲାଗି ରହିଛି । ସବୁ କଳ୍ପନା ଜଳ୍ପନା ପରେ ଆସନ୍ତା ମାସ (ଅକ୍ଟୋବର) 18 ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ କରିବାକୁ ଯାଉଛି କଂଗ୍ରେସ ।

ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ଏହି ହାଇକମାଣ୍ଡ ପଦବୀ ସମ୍ଭାଳନ୍ତୁ ବୋଲି କିଛି ଦଳୀୟ ପରୁଖା ନେତା ଇଚ୍ଛା ପ୍ରକାଶ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରାହୁଲଙ୍କୁ ଜଣେ ଉପଯୁକ୍ତ ପ୍ରାର୍ଥୀ ଦର୍ଶାଇବା ସହ ସେ ହିଁ ଏହି ପଦ ସମ୍ଭାଳନ୍ତୁ ବୋଲି କହିଥିଲେ । ତେବେ ଅନ୍ୟପଟେ ଶଶୀ ଥରୁର ମଧ୍ୟ ନିର୍ବାଚନ ଲଢିବାକୁ ଆଶାୟୀ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହାରି ମଧ୍ୟରେ ଶଶୀ ଆଜି ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ସହ ଭେଟି ସହମତି ପାଇଥିବା ମଧ୍ୟ ଚର୍ଚ୍ଚା ହେବାରେ ଲାଗିଲାଣି ।

କଂଗ୍ରେସରେ ସାଙ୍ଗଠନିକ ସଂସ୍କାରମୂଳକ ପରିବର୍ତ୍ତନ ଚାହୁଁଥିବା ଜି-23 ଗୋଷ୍ଠୀର ସଦସ୍ୟ ହେଉଛନ୍ତି ଶଶୀ ଥରୁର । ତେବେ ଶଶୀଙ୍କ ପ୍ରାର୍ଥୀତ୍ବ ନେଇ ଚର୍ଚ୍ଚା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଥିବା ବେଳେ ତାଙ୍କ ବିରୋଧରେ ଆଉ କେହି ପ୍ରାର୍ଥୀ ହେବେ କି ନାହିଁ ସେ ଦିଗରେ କୌଣସି ସୂଚନା ମିଳିନି । ତେବେ ଦଳୀୟ ହାଇକମାଣ୍ଡ ନିର୍ବାଚନରେ ପ୍ରାର୍ଥୀତ୍ବ ନେଇ ଦଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଯେ ଯେକେହି ଦଳୀୟ ନେତା ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନ । ଦଳ ଏହାକୁ ସ୍ବାଗତ କରିବ । ଏହା ଏକ ଦଳୀୟ ସାମ୍ବିଧାନିକ ପ୍ରସଙ୍ଗ । ପ୍ରାର୍ଥୀତ୍ବ ପାଇଁ କାହାର ସହମତି କିମ୍ବା ଅନୁମତିର ମଧ୍ୟ ଆବଶ୍ୟକତା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.