ETV Bharat / bharat

ଯେସାକୁ ତେସା ନୀତି: ଆମେରିକା ଟପ୍ ଲିଡରଙ୍କୁ ପ୍ରତିବନ୍ଧକ ଲଗାଇଲା ଋଷ, କିଭରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

author img

By

Published : Mar 15, 2022, 10:30 PM IST

ଋଷର ଯେସାକୁ ତେସା ନୀତି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ । ପୂର୍ବରୁ ଆମେରିକା ଜାରି କରିଥିଲା ଋଷ ବିରୋଧୀ କଟକଣା । ଆଜି ୟୁକ୍ରେନ ରାଜଧାନୀ କିଭରେ ପ୍ରାଣ ହରାଇଲେ ଆଉ ଜଣେ ଫଟୋ ସାମ୍ବାଦିକ । ଅଧିକ ପଢନ୍ତୁ

ଆମେରିକାର ରାଷ୍ଟ୍ରପତି ଏବଂ ଶୀର୍ଷ ଅଧିକାରୀଙ୍କୁ ପ୍ରତିବନ୍ଧକ ଲଗାଇଲା ଋଷ
ଆମେରିକାର ରାଷ୍ଟ୍ରପତି ଏବଂ ଶୀର୍ଷ ଅଧିକାରୀଙ୍କୁ ପ୍ରତିବନ୍ଧକ ଲଗାଇଲା ଋଷ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଋଷ ଆଜି ଆମେରିକା ବିରୋଧରେ ବଡ ପଦକ୍ଷେପ ଗ୍ରହଣ କରିଛି । ରାଷ୍ଟ୍ରପତି ଜୋ ବାଇଡେନ, ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ, ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସ, ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଏବଂ ଅନ୍ୟ ଦଶଜଣ ବରିଷ୍ଠ ଆମେରିକୀୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଋଷ । ପୂର୍ବରୁ ଆମେରିକା ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ ଯେସାକୁ ତେସା ନିତୀ ଆପଣାଇଛି ଋଷ । ଋଷର ଏପରି କାର୍ଯ୍ୟାନୁଷ୍ଠାନ ନେଇ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି AFP ରେ ରିପୋର୍ଟ ପ୍ରକାଶ ପାଇଛି ।

ଋଷର ଅର୍ଥନୀତି ଦୁର୍ବଳ ହୋଇପଡିବା ଆକଳନ କରି ଆମେରିକା ଋଷ ବିରୋଧରେ ଏକାଧିକ ଆର୍ଥିକ କଟକଣା ସାଙ୍ଗକୁୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲା । ଏପରି କଟକଣା ଫଳରେ ଋଷ ଆର୍ଥିକ ଭାବେ ସର୍ବାଧିକ କ୍ଷତିର ସମ୍ମୁଖୀନ ହେବା ନେଇ କହିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଋଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୦ ଦିନରେ ପହଞ୍ଚିଛି । ପଶ୍ଚିିମ ରାଷ୍ଟ୍ରମାନେ ମଧ୍ୟ କେତେକାଂଶରେ ୟୁକ୍ରେନକୁ ସହଯୋଗର ହାତ ମଧ୍ୟ ବଢାଇବାରେ ଲାଗିଛନ୍ତି । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର, ଖାଦ୍ୟ ଏବଂ ଅର୍ଥ ସହାୟତା କରିବାକୁ ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଟ୍ବିଟ ଜରିଆରେ ଘୋଷଣା କରିସାରିଛନ୍ତି ।

ଅନ୍ୟପଟେ ଆଉ ଜଣେ ଫଟୋ ସାମ୍ବାଦିକଙ୍କୁ ଆଜି ହତ୍ୟା କରାଯାଇଛି । ଫକ୍ସ ନେଟୱାର୍କରେ କାର୍ଯ୍ୟରତ ଜଣେ କ୍ୟାମେରାପର୍ସନ ଦୃଶ୍ୟ ଉତ୍ତୋଳନ କରୁଥିବାବେଳେ ଗୁଳମାଡର ଶିକାର ହୋଇ ପ୍ରାଣ ହରାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୟୁକ୍ରେନର ରାଜଧାନୀ କିଭରେ ଫକ୍ସ ନ୍ୟୁଜ୍ କ୍ୟାମେରାମ୍ୟାନ୍ ପିଆର ଜାକ୍ରଜେୱସ୍କି ଓ ସମ୍ବାଦଦାତା ବେଞ୍ଜାମିନ୍ ହଲ୍ ରିପୋର୍ଟିଂ କରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । କ୍ୟାମେରାମ୍ୟାନ ନିହତ ହୋଇଥିବା ବେଳେ ଅନ୍ୟ ସହଯୋଗୀ ସାମ୍ବାଦିକ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.