ETV Bharat / bharat

ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Dec 9, 2023, 9:45 AM IST

Viksit Bharat Sankalp Yatra
Viksit Bharat Sankalp Yatra

Viksit Bharat Sankalp Yatra: 24ଦିନରେ ପହଞ୍ଚିଲା ବିକଶିତ ଭାରତ ସଂକଳ୍ପ ଯାତ୍ରା । ଆଜି ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତର ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀରେ ଝାଡଖଣ୍ଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଯାତ୍ରା ସାରା ଦେଶରେ ଜାରି ରହିଥିବା ବେଳେ ଗାଁ ଗାଁରେ ଲୋକଙ୍କ ନିକଟରେ ପହଞ୍ଚୁଛି । ଏବେ ଏହି ଯାତ୍ରା 24 ଦିନରେ ପହଞ୍ଚିଥିବା ବେଳେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଛନ୍ତି । ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ ଓ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଏହା ମଧ୍ୟ ପଢନ୍ତୁ-PM Modi in Jharkhand: ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବେ । ଦେଶର ଦୁଇ ହଜାରରୁ ଅଧିକ ଭିବିଏସ୍‌ୱାଇ ଭ୍ୟାନ୍‌, ହଜାର ହଜାର କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ଏବଂ କମନ୍ ସର୍ଭିସ୍ ସେଣ୍ଟର (ସିଏସ୍‌ସି)କୁ ସଂଯୋଗ କରାଯିବ । କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧି ଯୋଗ ଦେବେ ।

ଏହା ମଧ୍ୟ ପଢନ୍ତୁ-ଗାଁ ଗାଁରେ ପହଞ୍ଚିଛି ମୋଦି ଗ୍ୟାରେଣ୍ଟି ଗାଡି, ଭାରତ ଏବେ ଅଟକିବ ନା ଥକିବ : ପ୍ରଧାନମନ୍ତ୍ରୀ

ଗତ ନଭେମ୍ବର 30 ତାରିଖରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହିତ କଥା ହୋଇଥିଲେ । ଝାଡଖଣ୍ଡର ଦେବଗଡ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ) ପରିସରରେ 10 ହଜାର ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିବା ସହିତ ଡ୍ରୋନ ଦିଦିର ଶୁଭାରମ୍ଭ କରିଥିଲେ । ନଭେମ୍ବର 15 ତାରିଖରେ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଡିସେମ୍ବର 7 ତାରିଖ ପର୍ଯ୍ୟନ୍ତ 1 କୋଟରୁ ଊର୍ଦ୍ଧ୍ବ ଲୋକ ଏହି ଯାତ୍ରାରେ ଯୋଡି ହୋଇଛନ୍ତି । ଏବେ ସୁଦ୍ଧା 36 ହଜାରୁ ଅଧିକ ପଞ୍ଚାୟତରେ ଏହି ଯାତ୍ରା ପହଞ୍ଚି ସାରିଛି । ଜାନୁଆରୀ 26 ତାରିଖ ଯାଏଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ଚାଲିବ । ସରକାରୀ ଯୋଜନାର ଶତ ପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ ମୋଦି । ଏହି ଯାତ୍ରାରେ ସରକାର ମିଶନ ମୋଡରେ ଦେଶର ଗାଁ ଗାଁକୁ ପହଞ୍ଚୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.