ETV Bharat / bharat

Operation Amritpal singh: ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ଜନସ୍ବାର୍ଥ ମାମଲା

author img

By

Published : Mar 20, 2023, 7:50 PM IST

Updated : Mar 20, 2023, 8:00 PM IST

ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ଜନସ୍ବାର୍ଥ ମାମଲା
ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ଜନସ୍ବାର୍ଥ ମାମଲା

ଏବେବି ପୋଲିସ ହ୍ୟାଣ୍ଡକଫରୁ ଦୂରରେ ଅମ୍ରିତ ପାଲ । ସୁରକ୍ଷା ବଳୟରେ ପଞ୍ଜାବ । ମାତ୍ରାଧିକ ସମୟ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ କୋର୍ଟରେ ପହଞ୍ଚିଲା ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ

ଚଣ୍ଡିଗଡ: ଖଲିସ୍ତାନୀ ସମର୍ଥବାଦୀ ଗୋଷ୍ଠୀର ନେତା ଅମ୍ରିତପାଲ ସିଂଙ୍କୁ ଗିରଫ କରିବା ପାଇଁ ଦୀର୍ଘ ତିନି ଦିନ ଧରି ପଞ୍ଜାବରେ ପୋଲିସ ଅପରେସନ ଜାରି ରହିଛି । ଯାହାକୁ ନେଇ ସମଗ୍ର ରାଜ୍ୟ ଏବେ ମଧ୍ୟ ହାଇଆଲର୍ଟରେ ରହିଛି । ମାତ୍ରାଧିକ ସମୟ ଇଣ୍ଟରନେଟ ସେବା ବନ୍ଦ ରଖାଯିବା ମାମଲା ଏବେ କୋର୍ଟରେ ପହଞ୍ଚିଛି । ଦୀର୍ଘ ପ୍ରାୟ 72 ଘଣ୍ଟା ଧରି ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ଫଳରେ ଜନତା ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ଜଗମୋହନ ଭଟ୍ଟି ନାମକ ଜଣେ ଆଇନଜୀବୀ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ସେପଟେ ପଞ୍ଜାବରେ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି ।

ଅମ୍ରିତପାଲକୁ ଗିରଫ ନେଇ ପୋଲିସ ଅଭିଯାନ ଆରମ୍ଭ ହେବା ପରେ ଶନିବାର ପ୍ରଥମେ ଏହି ଏକାଧିକ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କିଛି ସହରେ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ହେଲେ ଫେରାର ଥିବା ଅମ୍ରିତପାଲ ଓ ତାର ସହଯୋଗୀମାନେ ଫେସବୁକ ଓ ଅନ୍ୟ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭ ମାଧ୍ୟମରେ ସେମାନଙ୍କୁ ପୋଲିସ ଗୋଡାଉଛି ବୋଲି କହିବା ସହ ଖଲିସ୍ତାନୀ ସମର୍ଥକଙ୍କୁ ଏକାଠି ହେବା ପାଇଁ ଆହ୍ବାନ ଦେଇଥିଲେ । ଫଳରେ ଅମ୍ରିତପାଲକୁ ପଳାତକ ଘୋଷଣା କରାଯିବା ସହ ଇଣ୍ଟରନେଟ ସେବା ବନ୍ଦ ଅବଧିକୁ ମଧ୍ୟ ବଢାଯାଇଥିଲା ।

ଅପରେସନ ଯେତିକି ଜଟିଳ ହେବାରେ ଲାଗିଛି ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅନୁରୂପ ଭାବେ ବଢାଯିବାରେ ଲାଗିଛି । ଗତକାଲିଠାରୁ 22 ତାରିଖ ପର୍ଯ୍ୟନ୍ତ ରାଜଧାନୀ ଚଣ୍ଡିଗଡରେ ଧାରା-144 ଜାରି କରାଯାଇଛି । ଆଜି ଅପରାହ୍ନରେ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ମଧ୍ୟ ରାଜ୍ୟରେ ପହଞ୍ଚିଛି । ପଞ୍ଜାବର ଲୁଧିଆନାରେ ଅମ୍ରିତପାଲ ସିଂ ନେତୃତ୍ବାଧୀନ ସଂଗଠନର ସର୍ବାଧିକ ପ୍ରଭାବ ଓ ଅନେକ ସହଯୋଗୀ ଥିବାରୁ ସେ ସେଠାରେ ଆତ୍ମଗୋପନ କରିଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ଆଜିି ଲୁଧିଆନାରେ ସିଆରପିଏଫ କମ୍ପାନୀ ଫ୍ଲାଗମାର୍ଚ୍ଚ କରିଛନ୍ତି ।

ଅନ୍ୟପଟେ ପ୍ରାୟ ଶତାଧିକ ଖଲିସ୍ତାନୀଙ୍କୁ ପୋଲିସ ରାଜ୍ୟର ବିଭିନ୍ନ ସହରରୁ ଗିରଫ କରିସାରିଲାଣି । ବିଦେଶରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନର ପ୍ରଭାବ ଦେଖିବାକୁ ମିଳିଲାଣି । ଆଜି ପୂର୍ବାହ୍ନରେ କିଛି ଖଲିସ୍ତାନୀ ଗୋଷ୍ଠୀର ସଦସ୍ୟ ଲଣ୍ଡନରେ ଭାରତୀୟ ଦୂତାବାସରେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ବିଦେଶ ମନ୍ତ୍ରଣାଳୟ ତୀବ୍ର ଉଦବେଗ ପ୍ରକାଶ କରିବା ସହ ବ୍ରିଟେନକୁ ତଥ୍ୟ ମାଗିଛି । ଏସବୁ ଘଟଣାକ୍ରମ ମଧ୍ୟରେ ଅମ୍ରିତପାଲର ଦାଦା ଓ ଡ୍ରାଇଭର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଫଳରେ ରାଜ୍ୟରେ ଜାରି ରହିଥିବା ଜରୁରୀ ସ୍ଥିତି ଓ ଇଣ୍ଚରନେଟ ସେବା ବନ୍ଦ ମାମଲା ଏବେ କୋର୍ଟରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 20, 2023, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.