ETV Bharat / bharat

Nitish meet Mamata: ବିଜେପି ସିଟ୍ ସଂଖ୍ୟା ଶୂନ ଦେଖିବାକୁ ଚାହୁଁଛି କହିଲେ ମମତା

author img

By

Published : Apr 24, 2023, 6:30 PM IST

2024 Lok Sabha polls: ମମତାଙ୍କୁ ଭେଟିଲେ ନୀତିଶ କୁମାର
2024 Lok Sabha polls: ମମତାଙ୍କୁ ଭେଟିଲେ ନୀତିଶ କୁମାର

ଦିଦିଙ୍କୁ ଭେଟିଲେ ନୀତିଶ କୁମାର । କହିଲେ 2024 ରେ ବିରୋଧୀ ଏକାଠି ହେବା ଜରୁରୀ । ସ୍ବର ମିଳାଇଲେ ମମତା । ବିହାରରେ ହେବ ମିଳିତ ବିରୋଧୀ ମେଣ୍ଟର ପ୍ରଥମ ବୈଠକ । ଅଧିକ ପଢନ୍ତୁ

କୋଲକାତା: 2024 ସାଧାରଣ ନିର୍ବାଚନ ଯେତିକି ପାଖଉଛି, ବିଜେପି ବିରୋଧୀ ମେଳି ଗଠନ ପ୍ରୟାସ ମଧ୍ୟ ସେତିକି ବ୍ୟାପକ ହେବା ପରି ଦୃଶ୍ୟମାନ ହେଉଛି । ଏହାରି ମଧ୍ୟରେ ମିଳିତ ବିରୋଧୀ ମେଣ୍ଟ ଗଠନ ମିଶନ ଜାରି ରଖିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି (ସୋମବାର) କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ନୀତିଶଙ୍କ ସହ ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ପ୍ରାୟ ଅଧଘଣ୍ଟାର ରୁଦ୍ଧଦ୍ବାର ଆଲୋଚନା ପରେ ନୀତିଶ ଓ ମମତା ମିଳିତ ପ୍ରେସମିଟ କରିଛନ୍ତି ।

କୋଲକାତାରେ ପହଞ୍ଚିଲେ ନୀତିଶ:- ପୂର୍ବରୁ ଏକାଧିକ ଅଣବିଜେପି ନେତାଙ୍କୁ ଭେଟି ସାରିଥିବା ନୀତିଶ ଆଜି ଅପରାହ୍ନ 2 ଟାରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ସଚିବାଳୟ ନବାନ୍ନରେ ପହଞ୍ଚିଥିଲେ । ସାଙ୍ଗରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ମମତାଙ୍କ କାର୍ଯ୍ୟାଳୟରେ ପ୍ରାୟ 30 ମିନିଟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ମିଳିତ ପ୍ରେସମିଟକୁ ସମ୍ବୋଧିତ କରିଥିଲେ ମମତା ଓ ନୀତିଶ ।

‘ବିରୋଧୀ ଏକାଠି ହେବା ଜରୁରୀ’:- ନୀତିଶ କୁମାର କହିଥିଲେ,‘‘2024 ସାଧାରଣ ନିର୍ବାଚନରେ ବିଜେପିରୁ ପରାସ୍ତ କରିବା ପାଇଁ ବିରୋଧୀ ଏକାଠି ହେବା ଜରୁରୀ । ବିରୋଧୀ ଦଳମାନେ ଏକଠି ହେବା ସହ ମିଳିତ ରଣନୀତିରେ ନିର୍ବାଚନ ଲଢିବା ଆବଶ୍ୟକ । ଏନେଇ ମମତାଙ୍କ ସହ ଆଲୋଚନା ହେଲା । ଆଗକୁ ମଧ୍ୟ ଏହି ପ୍ରସଙ୍ଗରେ ଏହିପରି ଆଲୋଚନା ଜାରି ରହିବ । ଏହି ପ୍ରସଙ୍ଗରେ ଯାହା ବି ହେବ, ଦେଶ ପାଇଁ ଭଲ ହେବ । ଯଦି ବିରୋଧୀ ଏକାଠି ନହୁଅନ୍ତି, ତେବେ ବିଜେପି ଦେଶର ଇତିହାସକୁ ମଧ୍ୟ ବଦଲାଇ ଦେବ ।’’

ନୀତିଶଙ୍କ ସହ ସ୍ବର ମିଳାଇଲେ ମମତା:- ସେହିପରି ନୀତିଶଙ୍କ ଆଭିମୁଖ୍ୟ ସହ ତାଙ୍କ ପ୍ରତିପକ୍ଷ ମମତା ମଧ୍ୟ ସ୍ବର ମିଳାଇଥିଲେ । କହିଥିଲେ, ‘‘ତୃଣମୂଳ କଂଗ୍ରେସ ବିଜେପି ବିରୋଧରେ ଲଢିବା ପାଇଁ ପ୍ରସ୍ତତ ଅଛି । ଜୟ ପ୍ରକାଶ ନାରାୟଣ ବିହାରରୁ ଆନ୍ଦୋଳନ ଆରମ୍ଭ କରିଥିଲେ । ତେଣୁ ବିଜେପି ବିରୋଧୀ ମେଣ୍ଟର ପ୍ରଥମ ଔପଚାରିକ ବୈଠକ ମଧ୍ୟ ବିହାରରୁ ହିଁ ଆରମ୍ଭ ହେବା ଉଚିତ । ବିହାରରେ ପ୍ରରମ୍ଭିକ ଆଲୋଚନା ପରେ ମିଳିତ ରଣନୀତି ପ୍ରସ୍ତୁତ କରାଯିବ । ପରେ ବିରୋଧୀ ମେଣ୍ଟର ନିର୍ବାଚନୀ ଇସ୍ତାହାର ଓ ଅନ୍ୟ ଆଭିମୁଖ୍ୟ ସ୍ପଷ୍ଟ କରାଯିବ । ପ୍ରଥମେ ଦେଶବାସୀଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚିବା ଆବଶ୍ୟକ ଯେ, ବିରୋଧୀ ଏକାଠି ଅଛନ୍ତି ।’’

ପୂର୍ବରୁ କଂଗ୍ରେସ ସହ ହୋଇସାରିଛି ଆଲୋଚନା:- ଆଜି ଦିଦିଙ୍କୁ ଭେଟିଥିବା ନୀତିଶ କୁମାର ଏହା ପୂର୍ବରୁ ଅନେକ ବିଜେପି ବିରୋଧୀ ନେତାଙ୍କ ସହ ସାକ୍ଷାତ ମଧ୍ୟ କରିସାରିଛନ୍ତି । ଗତ ସପ୍ତାହରେ ସେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ଏହା ସହ କେଜ୍ରିଓ୍ବାଲଙ୍କ ସହ ମଧ୍ୟ ସେ ଆଲୋଚନା କରି ସାରିଛନ୍ତି । ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଆରଜେଡି ଓ କଂଗ୍ରେସ ସହ ମିଶି ମହାମେଣ୍ଟ ସମର୍ଥିତ ସରକାର ଗଠନ କରିଛନ୍ତି ନୀତିଶ ।

ନୀତିଶ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ! ରାଜ୍ୟରେ ବିଜେପିିକୁ କ୍ଷମତାରୁ ବାହାରକୁ ରାସ୍ତା ଦେଖାଇଥିବା ନୀତିଶ, 2024 ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଉଛନ୍ତି । ଅନ୍ୟପଟେ ବିଜେପି ଏହି ପ୍ରସଙ୍ଗରେ ନୀତିଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଲୁକ୍କାଇତ ଅଭିଳାଷ ଥିବା କଥା କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.