ETV Bharat / bharat

Libya Floods: 11 ହଜାର ନୁହେଁ ବନ୍ୟାରେ ଯାଇଛି 3958 ଜୀବନ, 9000ରୁ ଊର୍ଦ୍ଧ୍ବ ନିଖୋଜ

author img

By ETV Bharat Odisha Team

Published : Sep 18, 2023, 10:49 AM IST

libya floods un report on death troll
libya floods un report on death troll

ଲିବ୍ୟାରେ ବନ୍ୟା ତାଣ୍ଡବରେ ମୃତକଙ୍କ ସଂଖ୍ୟା ରିପୋର୍ଟରେ ସଂଶୋଧନ କରାଯାଇଛି । ପୂର୍ବରୁ 11 ହଜାରରୁ ଊର୍ଦ୍ଧ୍ୱ ଜୀବନ ଯାଇଥିବା ନେଇ ତଥ୍ୟ ଦିଆଯାଇଥିବା ବେଳେ ବର୍ତ୍ତମାନ ପାଖାପାଖି 4 ହଜାର ଲୋକଙ୍କ ଜୀବନ ଯାଇଥିବା ନେଇ ସୂଚନା ଜାରି କରାଯାଇଛି ।

ଡେର୍ନା: ଲିବ୍ୟାରେ ମୃତ୍ୟୁ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ବନ୍ୟା । ପୂର୍ବରୁ ମୃତ୍ୟୁ ସଂଖ୍ୟା ନେଇ ମିଳିତ ଜାତିସଂଘ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସଂଶୋଧନ କରାଯାଇଛି । ପୂର୍ବରୁ 11 ହଜାରରୁ ଊର୍ଦ୍ଧ୍ୱ ଜୀବନ ଯାଇଥିବା ନେଇ ତଥ୍ୟ ଦିଆଯାଇଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି । ବନ୍ୟା ବିତ୍ପାତରେ ପାଖାପାଖି 4 ହଜାର ଲୋକଙ୍କ ଜୀବନ ଯାଇଥିବା ନେଇ ସୂଚନା ଜାରି କରାଯାଇଛି ।

ରବିବାର ଦିନ ମିଳିତ ଜାତିସଂଘର ମାନବିକ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ( ଓସିଏଚଏ) ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ରିପୋର୍ଟ ଅନୁଯାୟୀ, ବନ୍ୟାରେ 3, 958 ଜଣଙ୍କ ମୃତ୍ୟୁ ହୋଇଛି । ତେବେ 9 ହଜାରରୁ ଊର୍ଦ୍ଧ୍ୱ ଏବେବି ନିଖୋଜ ଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO)କୁ ରିପୋର୍ଟ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ବିନାଶକାରୀ ବନ୍ୟାରେ ପାଖାପାଖି 11,300 ଲୋକଙ୍କ ଜୀବନ ଯାଇଥିବା ନେଇ ଓସିଏଚଏ ନିଜର ପୂର୍ବ ରିପୋର୍ଟରେ ପ୍ରକାଶ କରିଥିଲା । ତେବେ ଏଥିରେ ସଂଶୋଧନ କରାଯାଇଛି । ଏନେଇ ରବିବାର ଦିନ ସଂଯୁକ୍ତ ରାଷ୍ଟ୍ର ମହାସଚିବଙ୍କ ଉପପ୍ରବକ୍ତା ଫରହାନ ହକ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ଯାଞ୍ଚ ରିପୋର୍ଟର ଆକଳନ ସହ ଆମେ ସହମତ ଅଛୁ । ଯେହେତୁ ବିଭିନ୍ନ ରିପୋର୍ଟକୁ ଆଧାର ଏହି ଆକଳନ କରାଯାଉଛି ତେଣୁ ମୃତ୍ୟୁ ସଂଖ୍ୟାରେ କମ-ବେଶୀ ହୋଇପାରେ । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ହକ ।

ଏହାମଧ୍ୟ ପଢନ୍ତୁ.Libya floods: ଲିବ୍ୟାରେ ସାମୁଦ୍ରିକ ଝଡ଼ ପରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୫,୩୦୦କୁ ବୃଦ୍ଧି

ତେବେ ଗତ ରବିବାର ଦିନ ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାର ଡେର୍ନା ସହରରେ ମୃତ୍ୟୁ ବିଭୀଷିକା ରଚିଥିଲା ପ୍ରଳୟଙ୍କାରୀ ବନ୍ୟା । ସହରର ଦକ୍ଷିଣ ପଟେ ବନ୍ଧ ଭାଙ୍ଗିବାରୁ ସମଗ୍ର ଜିଲ୍ଲା ବନ୍ୟା ଜଳରେ ଭାସିଯାଇଛି । 1 ଲକ୍ଷ 30ହଜାର ପାଖାପାଖି ଜନସଂଖ୍ୟା ବିଶିଷ୍ଟ ଏହି ସହର ବନ୍ୟା ତାଣ୍ଡବରେ 2 ଭାଗ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ବନ୍ୟା ତାଣ୍ଡବରେ ଡେର୍ନାରେ ହାହାକାର ସ୍ଥିତି ଦେଖିବାକୁ ମିଳିଛି । ଯେଉଁଥିରେ ପାଖାପାଖି 4 ହଜାର ଜୀବନ ଯାଇଥିବା ବେଳେ ଅନେକ ଏବେବି ନିଖୋଜ ଅଛନ୍ତି । ମୃତକଙ୍କ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଲକ୍ଷାଧିକ ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି । ଅନେକ ଲୋକେ ସମୁଦ୍ରକୁ ଭାସି ଯାଇଥିବା ଅନୁମାନ କରାଯାଉଛି ।

ତେବେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ହେଲିକପ୍ଟର ଯୋଗେ ସମୁଦ୍ର ମଧ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ପାଖାପାଖି 40ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲିବ୍ୟାର ଏଭଳି ଦୁଃଖଦ ସମୟରେ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ସାଉଦୀ ଆରବ, ଋଷ, ଇଟାଲୀ ପ୍ରମୁଖ ଦେଶ ଔଷଧ, ପାଣି,ଚାଦର ଭଳି ଅନେକ ଅତ୍ୟାବଶକୀୟ ସାମଗ୍ରୀ ଡେର୍ନାକୁ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.