ETV Bharat / bharat

ପୁଟିନଙ୍କ ମାର୍ଶଲ ଆଇନ ଘୋଷଣା ପରେ ପୁଣି ବଢିଲା ସଙ୍କଟ, ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ

author img

By

Published : Oct 19, 2022, 10:29 PM IST

ୟୁକ୍ରେନର 45 ଟି ସ୍ଥାନରେ ଋଷ ରାଷ୍ଟ୍ରପତି ଘୋଷଣା କଲେ ସାମରିକ ଶାସନ । ପୁଣି ବଢିଲା ଭୟଙ୍କର ଆକ୍ରମଣ ଆଶଙ୍କା (Indian Embassy issued advisory to leave Ukraine) । ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ଆଡଭାଇଜରୀ ଜାରି କଲା କିଭ ସ୍ଥିତ ଭାରତୀୟ ଦୂତାବାସ । ଅଧିକ ପଢନ୍ତୁ

ପୁଟିନଙ୍କ ମାର୍ଶଲ ଲ ଘୋଷଣା ପରେ ପୁଣି ବଢିଲା ସଙ୍କଟ: ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ
ପୁଟିନଙ୍କ ମାର୍ଶଲ ଲ ଘୋଷଣା ପରେ ପୁଣି ବଢିଲା ସଙ୍କଟ: ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ

କିଭ: ୟୁକ୍ରେନର 4ଟି ଅଞ୍ଚଳରେ ଋଷ ରାଷ୍ଟ୍ରପତି ପୁଟିନ ସାମରିକ ଶାସନ ଲାଗୁ ନେଇ ଘୋଷଣା କରିବା ପରେ ପୁଣି ଥରେ ଋଷ-ୟୁକ୍ରେନ ମଧ୍ୟରେ ସଂଘର୍ଷ ଭୀଷଣ ରୂପ ନେବାକୁ ଯାଉଥିବା ଆଶଙ୍କା ପ୍ରକାଶ ପାଇଛି । ଏପରି ସ୍ଥିତିରେ ସେଠାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ପୁଣି ଚିନ୍ତା ମଧ୍ୟ ବଢିଛି । ଏପରି ସ୍ଥିତିରେ ଭାରତୀୟଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ୟୁକ୍ରେନ ରାଜଧାନୀ କିଭ୍ ରେ ଥିବା ଭାରତୀୟ ଦୂତାବାସ । ଏବେ ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଅଯଥାରେ ଘରୁ ନବାହାରିବା ସହ ଯଥା ସମ୍ଭବ ୟୁକ୍ରେନ ଛାଡି ଭାରତ ଫେରି ଆସିବାକୁ ନିର୍ଦ୍ଦେଶନାମାରେ କହିଛି ଦୂତାବାସ (Indian Embassy issued advisory to leave Ukraine) ।

ଭାରତୀୟ ଦୂତାବାସ  ଜାରି କରିଥିବା ଆଡଭାଇଜରୀ
ଭାରତୀୟ ଦୂତାବାସ ଜାରି କରିଥିବା ଆଡଭାଇଜରୀ

ସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ସେଠାରେ ଏବେ ମଧ୍ୟ ଅଳ୍ପ କିଛି ଭାରତୀୟ ରହିଛନ୍ତି । ଏବେ ପୁଣି ୟୁକ୍ରେନରେ ଋଷ ତାର ସାମରିକ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଯାଉଛି । ଆଜି ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ୟୁକ୍ରେନର 4 ଅଞ୍ଚଳରେ ସାମରିକ ଆଇନ ଲାଗୁ ନେଇ ଘୋଷଣା କରିଛନ୍ତି । ଏହି 4 ସହରର ସମସ୍ତ ନିୟନ୍ତ୍ରଣ ଏବେ ଋଷ ସେନା ନିକଟରେ ରହିବ । ଋଷର ଏପରି ଆଭିମୁଖ୍ୟ ପରେ ୟୁକ୍ରେନ ମଧ୍ୟ ମୁକାବିଲାକୁ ଆହୁରି ବ୍ୟାପକ କରିବା ନେଇ ଅନୁମାନ ପ୍ରକାଶ ପାଇଛି ।

ୟୁକ୍ରେନରେ ବହୁ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିଲେ । ଋଷର ଆକ୍ରମଣ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଭାରତ ସରକାରଙ୍କ ପାଇଁ ଏକ ଆହ୍ବାନ ପାଲଟିଥିଲା । ଏଥିପାଇଁ ଉଭୟ ୟୁକ୍ରେନ ଓ ଋଷର ସହଯୋଗ ନେଇଥିଲେ ଭାରତ ସରକାର । ‘ଅପରେସନ ଗଙ୍ଗା’ ଜରିଆରେ ପ୍ରାୟ 20 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇବାରେ ସଫଳ ହୋଇଥିଲା ଭାରତ ।

ଏହି ଆହ୍ବାନପୂର୍ଣ୍ଣ ‘ଅପରେସନ ଗଙ୍ଗା’ ରେ ଭାରତୀୟ ବାୟୁସେନାର ସି-17 ଗ୍ଲୋବମାଷ୍ଟର ବିମାନ ସମେତ ଏୟାର ଇଣ୍ଡିଆ ଓ ଅନ୍ୟ କିଛି ଘରୋଇ ବିମାନ ମଧ୍ୟ ସାମିଲ ହୋଇଥିଲେ । ଏହି ଅପରେସନକୁ ସଫଳ କରିବା ପାଇଁ ୟୁକ୍ରେନର ପଡୋଶୀ ବେଲାରୁଷ, ପୋଲାଣ୍ଡ ପରି ରାଷ୍ଟ୍ରର ସହଯୋଗ ମଧ୍ୟ ନେଇଥିଲା ନୂଆଦିଲ୍ଲୀ । 4 କେନ୍ଦ୍ରମନ୍ତ୍ରୀ ମଧ୍ୟ ଅପରେସନକୁ ପ୍ରତ୍ୟେକ୍ଷ ନେତୃତ୍ବ ଦେବା ପାଇଁ ପୂର୍ବ-ୟୁରୋପର ବିଭିନ୍ନ ଦେଶକୁ ଯାତ୍ରା କରିଥିଲେ । ଏବେ କିଛି ଦିନର ବ୍ୟବଧାନ ପରେ ପୁଣି ୟୁକ୍ରେନ ଉପରେ ଋଷ ଆକ୍ରମଣ ଜୋରଦାର କରିବା ପରେ ସେଠାରେ ଥିବା ଅଳ୍ପ କିଛି ଭାରତୀୟଙ୍କ ସୁରକ୍ଷା ନେଇ ପୁଣି ଉଦବେଗ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.