ETV Bharat / bharat

ନୌସେନା ପାଇଁ ଋଷ ଓ ଆମେରିକାଠୁ ମିସାଇଲ୍‌ ସିଷ୍ଟମ କିଣିବ ଭାରତ

author img

By

Published : Apr 25, 2023, 10:53 PM IST

ୟୁକ୍ରେନ ଯୁଦ୍ଧ ବଦଳାଇ ଦେଇଛି ବିଶ୍ବ ସାମରିକ ଦୃଶ୍ୟପଟ । ତିନି ସେନାକୁ ବୈଶ୍ବିକ ଆବଶ୍ୟକତା ଦୃଷ୍ଟିରୁ ଅତ୍ୟାଧୁନିକ କରୁଛି ଭାରତ । ଋଷ ଓ ଆମେରିକା ଠାରୁ ଆସିବ ନାଭାଲ ମିସାଇଲ୍‌ ସିଷ୍ଟମ । ଶକ୍ତିଶାଳୀ ହେବ ନୌସେନା । ଅଧିକ ପଢନ୍ତୁ

ନୌସେନା ପାଇଁ ଋଷ ଓ ଆମେରିକା ଠାରୁ ମିସାଇଲ୍‌ ସିଷ୍ଟମ କିଣିବ ଭାରତ
ନୌସେନା ପାଇଁ ଋଷ ଓ ଆମେରିକା ଠାରୁ ମିସାଇଲ୍‌ ସିଷ୍ଟମ କିଣିବ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନର ବୈଶ୍ବିକ ସାମରିକ ସ୍ଥିିତି ଓ ପରିବର୍ତ୍ତିତ ଆହ୍ବାନରେ ଭାରତ ତାର ସାମରିକ ଶକ୍ତି ଓ ଦକ୍ଷତା ମଧ୍ୟ କ୍ରମାଗତ ବୃଦ୍ଧି କରିବାରେ ଲାଗିଛି । ସେହି ପରିପ୍ରେକ୍ଷୀରେ ଭାରତ ନୌସେନା ପାଇଁ ଆମେରିକା ଏବଂ ଋଷ ଠାରୁ ନାଭାଲ ମିସାଇଲ ସିଷ୍ଟମ କ୍ରୟ କରିବାକୁ ଯାଉଛି । ଏଥିପାଇଁ ପ୍ରାୟ 200 ନିୟୁତ ଡଲାର (ପ୍ରାୟ 1600 କୋଟି ଭାରତୀୟ ମୁଦ୍ରା) ଖର୍ଚ୍ଚ ହେବା ନେଇ ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ନୌସେନା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତିମ ପର୍ଯ୍ୟାୟର ବିଚାର ବିମର୍ଶ ଜାରି ରଖିଛି । ଖୁବ ଶୀଘ୍ର ଏହି କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏହି ପ୍ରସ୍ତାବ ଅନୁଯାୟୀ, ଭାରତୀୟ ନୌସେନା ଋଷ ନିକଟରୁ 20ଟି କ୍ଲବ ଆଣ୍ଟି-ସିପ୍‌ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଆମେରିକାର ଶକ୍ତିଶାଳୀ ହରପନ୍ ଆଣ୍ଟି-ସିପ୍‌ କ୍ଷେପଣାସ୍ତ୍ର ପ୍ରଣାଳୀ କ୍ରୟ କରିବ । ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ରୁଷର ଏହି ଅତ୍ୟାଧୁନିକ କ୍ଲବ କ୍ଷେପଣାସ୍ତ୍ର ସିଷ୍ଟମ ନୌସେନାର ଉଭୟ ଯୁଦ୍ଧ ଜାହାଜ ଏବଂ ବୁଡ଼ା ଜାହାଜ(ସବମେରାଇନ) ରେ ମଧ୍ୟ ନିୟୋଜିତ ହୋଇପାରିବ ।

ଅନ୍ୟପଟେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନ୍ୟତମ ବିଶ୍ବଶକ୍ତି ଆମେରିକା ନିର୍ମିତ ହରପନ୍ କ୍ଷେପଣାସ୍ତ୍ର ପ୍ରଣାଳୀ ପାଇଁ ଭାରତ ପ୍ରାୟ 80 ନିୟୁତ ଡଲାର ଖର୍ଚ୍ଚ କରିବ ବୋଲି ଆଶା କରାଯାଉଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଆମେରିକା ସଂସଦ ଭାରତକୁ ହରପନ୍ ଜଏଣ୍ଟ କମନ୍ ଟେଷ୍ଟ୍ ସେଟ୍ (JCTS) ଏବଂ ଏହାର ଆନୁଷଙ୍ଗୀକ ଉପକରଣ ବିକ୍ରି ଚୁକ୍ତିକୁ ଅନୁମୋଦିତ କରିସାରିଛି । ଏପରି ସ୍ଥିତିରେ ଭାରତ ଯଦି ନିଜ ଆଡୁ ପ୍ରକ୍ରିୟା ଶେଷ କରି କ୍ରୟ ପାଇଁ ଆଗ୍ରହ ପ୍ରକାଶ କରେ, ତେବେ ଏହା ମଧ୍ୟ ନିକଟ ଭବିଷ୍ୟତରେ ଭାରତୀୟ ନୌସେନାରେ ନିୟୋଜିତ ହୋଇପାରିବ ।

ଏବେ ଭାରତ ପାରମ୍ପରିକ ଭାବରେ ଏକାଧିକ କ୍ଷେତ୍ରରେ ଋଷର ଅସ୍ତ୍ର ପ୍ରଣାଳୀ ବ୍ୟବହାର କରିଆସୁଛି । ସାମରିକ ଆମଦାନୀ କ୍ଷେତ୍ରରେ ଭାରତର ଦୀର୍ଘକାଳୀନ ବନ୍ଧୁ ରାଷ୍ଟ୍ର ଭାବେ ରହିଆସିଛି ଋଷ । କିନ୍ତୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ତାର ପୂର୍ବ ଆଭିମୁଖ୍ୟରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରିଛି । ନିକଟ ଅତୀତରେ ଆମେରିକା ଏବଂ ଫ୍ରାନ୍ସ ଠାରୁ ମଧ୍ୟ ଭାରତ ବଡ଼ ଧରଣର ଯଦ୍ଧାସ୍ତ୍ର କ୍ରୟ କରିଛି, ଯାହା ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିଛି ।

ତେବେ ଏବେ ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ସମଗ୍ର ବିଶ୍ବର ସାମରିକ ଦୃଶ୍ୟପଟରେ ବଡ ପରିବର୍ତ୍ତନ ଆଣିଛି । ଏକ ବିଂଶ ଶତାବ୍ଦୀର ଦ୍ବିତୀୟ ଦଶନ୍ଧିର ପ୍ରତିଦ୍ବନ୍ଦ୍ବିତା ଓ ସାମରିକ ଆବଶ୍ୟକତାକୁ ଦେଖି ବିଭିନ୍ନ ଶକ୍ତିଶାଳୀ ଦେଶ ସେମାନଙ୍କର ସେନାର ନବୀକରଣରେ ଲାଗିଛନ୍ତି । ସେଥିମଧ୍ୟରୁ ଦକ୍ଷିଣ ଏସିଆ ଓ ସମଗ୍ର ଏସିଆର ସାମରିକ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ବହନ କରୁଥିବା ଭାରତ ମଧ୍ୟ ତାର ତିନି ସେନାର ନବୀକରଣ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.