ETV Bharat / bharat

ମୁଁ ମରାଠୀ ଯୋଗୁଁ ମୁମ୍ବାଇରେ ମୋତେ ମିଳିନଥିଲା ଘର: ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ

author img

By ETV Bharat Odisha Team

Published : Sep 29, 2023, 9:46 PM IST

Pankaja Munde
Pankaja Munde

ମହାରାଷ୍ଟ୍ରରେ ମରାଠୀ ଭାଷାଭାଷୀଙ୍କୁ ମିଳୁନି ଘର । ଜଣେ ମରାଠୀ ମହିଳା ଏପରି ଅଭିଯୋଗ ଆଣିବା ପରେ ନିଜ ଅତୀତ ମନେ ପକାଇଲେ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ପଙ୍କଜା ମୁଣ୍ଡେଙ୍କ ବଡ଼ ବୟାନ । ସେ ମରାଠୀ ହୋଇଥିବା ଯୋଗୁଁ ମୁମ୍ବାଇରେ ତାଙ୍କୁ ଘର ମିଳିନଥିବା ସେ ଅଭିଯୋଗ କରିଛନ୍ତି । ମୁମ୍ବାଇରେ ସେ ଫ୍ଲାଟ କିଣିବାକୁ ଚାହୁଁଥିଲେ, ମାତ୍ର ମରାଠୀ ହୋଇଥିବା ଯୋଗୁଁ ତାଙ୍କୁ ଘର କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ନିକଟରେ ମୁଲୁଣ୍ଡ ଉପନଗରରେ ଜଣେ ମରାଠୀ ମହିଳାଙ୍କୁ ଘର ଦେବାକୁ ମାଲିକ ମନା କରିବା ପରେ ବିଜେପି ନେତ୍ରୀ ପଙ୍କଜା ନିଜ ଅତୀତକୁ ନେଇ ପକାଇ ଏପରି ଅଭିଯୋଗ ଆଣିଛନ୍ତି ।

ପଙ୍କଜା ଏ ନେଇ କହିଛନ୍ତି ଯେ ଯେତେବେଳେ ମୁମ୍ବାଇରେ ଜଣେ ମରାଠୀ ମହିଳାଙ୍କୁ ଘର ଭଡ଼ା ମିଳିନଥିବା ଖବର ସାମ୍ନାକୁ ଆସିଥିଲା, ସେତେବେଳେ ତାଙ୍କ ସହ ଘଟିଥିବା ଅତୀତର ଘଟଣା ମନେ ପଡ଼ିଥିଲା । ଏ ନେଇ ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ଅଭିଯୋଗ କରି କହିଛନ୍ତି, "ମୁଁ ସେହି ମରାଠୀ ମହିଳାଙ୍କ ଦୁଃଖକୁ ଅନୁଭବ କରିପାରୁଛି । ଭାଷା ଓ ସଂକୀର୍ଣ୍ଣତା ଫସାଇବା ମୋର ଅଭ୍ୟାସ ନୁହେଁ । ମୁଁ ଆଜି ପର୍ଯ୍ୟନ୍ତ ମୋର ରାଜନୈତିକ ଜୀବନରେ କେବେ ହେଲେ କ୍ଷେତ୍ରବାଦ, ଧର୍ମବାଦ ଓ ଜାତିବାଦକୁ ନେଇ କୌଣସି ବୟାନବାଜି କରିନାହିଁ । ହେଲେ ଯେତେବେଳେ ମରାଠୀ ମହିଳାଙ୍କ ଘଟଣା ସମ୍ପର୍କରେ ଜାଣିଲି, ସେତେବେଳେ ମୋର ଅତୀତ କଥା ମନେ ପଡ଼ିଥିଲା । ମୁଁ ଯେତେବେଳେ ସରକାରୀ ବାସଭବନ ଛାଡ଼ି ଏକ ଫ୍ଲାଟ କିଣିବାକୁ ଚାହୁଁଥିଲି , ସେତେବେଳେ ମୋତେ ଜାଗା ମିଳିନଥିଲା ।"

ଏହା ବି ପଢନ୍ତୁ- ପଙ୍କଜାଙ୍କ ବଡ ବୟାନ, ଡିସେମ୍ବର 12ରେ ନେବି ଭବିଷ୍ୟତ ନିଷ୍ପତ୍ତି!

ନିକଟରେ ମରାଠୀ ମହିଳା ତୃପ୍ତି ଦେବରୁଖକର-ଏକବୋଟେ ମୁଲୁଣ୍ଡର ଶିବ ସଦନ ସୋସାଇଟିରେ ନିଜ ଅଫିସ ଲାଗି ଘରଭଡ଼ା ନେବାକୁ ଚାହୁଁଥିଲେ । କିନ୍ତୁ ସୋସାଇଟି ପକ୍ଷରୁ ଏହା କୁହାଯାଇଥିଲା ଯେ ଗୁଜୁରାଟୀ ସମାଜରେ ମରାଠୀ ଭାଷାଭାଷୀ ଲୋକଙ୍କ ଲାଗି କୌଣସି ଜାଗା ନାହିଁ । ଏହା କହି ତାଙ୍କୁ ତଡ଼ି ଦିଆଯାଇଥିଲା । ସେପଟେ ମୁଲୁଣ୍ଡ ପୋଲିସ ମହିଳାଙ୍କୁ ଧମକାଇଥିାବ ପ୍ରବୀଣ ଠକ୍କର ଓ ତାଙ୍କ ପୁଅ ନିଳେଶକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

ଏହି ଘଟଣାକୁ ନେଇ ଏବେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି, " ନିଜ ରାଜ୍ୟରେ ଏପରି ଧରଣର ଅପମାନ ସହ୍ୟ କରାଯିବ ନାହିଁ । " ସେ ନିଜ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଆଗକୁ ଏପରି ଘଟଣା ସେମାନଙ୍କର ସାମ୍ନାକୁ ଆସୁଛି, ତେବେ ଏପରି କରୁଥିବା ବ୍ୟକ୍ତିବିଶେଷଙ୍କୁ ତଡି ଦିଅ । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ନେଇ ଆଲୋଚନା କରିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.