ETV Bharat / bharat

WHOର ଚେତାବନୀ: ଟଳିନି ବିପଦ, କ୍ଷୀପ୍ର ଗତିରେ ମାଡୁଛି ଓମିକ୍ରନ

author img

By

Published : Feb 2, 2022, 10:02 AM IST

WHO warning on omicron rise in world
WHOର ଚେତାବନୀ: ଟଳିନି ଓମିକ୍ରନ ବିପଦ

ଓମିକ୍ରନ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବଡ଼ ଚେତାବନୀ । ଏଯାଏଁ ଟଳିନି ଓମିକ୍ରନ ବିପଦ । ତେଣୁ କଟକଣା ନିହାତି ଜରୁରୀ । ଅଧିକ ପଢ଼ନ୍ତୁ

ଜେନେଭା: ଓମିକ୍ରନ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ । ବିଶ୍ବରେ ଯେଉଁଭଳି ଭାବେ ଓମିକ୍ରନ ଓ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ସେନେଇ ସତର୍କ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଓମିକ୍ରନ ବିପଦ ଟଳି ନଥିବାରୁ ଏବେ ଦେଶମାନଙ୍କରେ କଟକଣା ସମ୍ପୂର୍ଣ୍ଣ ହଟାଇବା ଅନୁଚିତ ବୋଲି ଗତ ମଙ୍ଗଳବାର କହିଛି WHO ।

ବିଶ୍ବରେ ବୃଦ୍ଧି ପାଇଥିବା କୋରୋନା ସଂକ୍ରମଣକୁ ନେଇ ହୁ ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ 10 ସପ୍ତାହ ପୂର୍ବରୁ ଚିହ୍ନଟ ହୋଇଥିଲା । ଏହା ଚିହ୍ନଟ ହେବା ପରଠାରୁ କୋରୋନା ସଂକ୍ରମଣ ସଂଖ୍ୟା 9 କୋଟିକୁ ବୃଦ୍ଧି ପାଇଛି । ଯାହାକି ମହାମାରୀର ପ୍ରଥମ ବର୍ଷ ତୁଳନାରେ ବହୁତ ଅଧିକ ଅଟେ । ବିଶ୍ବର 57ଟି ଦେଶରେ ଓମିକ୍ରନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେତେକ ଦେଶରେ ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିବାରୁ କଟକଣାକୁ କୋହଳ କରାଯାଇଛି । ଓମିକ୍ରନ ବିପଦ ଏଯାଏଁ ଟଳିନଥିବା କହି ଚେତାବନୀ ଦେଇଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନନ୍ ଗେବ୍ରେୟସ । ସେ କହିଛନ୍ତି ଯଦି ଓ ପୂର୍ବ ତୁଳନାରେ କମ୍ ଗୁରୁତର ରୋଗୀ ଚିହ୍ନଟ ହେଉଛନ୍ତି, ହେଲେ ମୃତ୍ୟୁ ସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ଘଟିଛି।

ଅନେକ ଦେଶରେ ଏଯାଏ ପିକ୍ ପିରିୟଡ଼ ଆସିନାହିଁ । ତେଣୁ ସମ୍ପୂର୍ଣ୍ଣ କଟକଣା କୋହଳ କରିବା ଅନୁଚିତ୍ । ଏହା ଏକ ବିପଜ୍ଜନକ ଭୂତାଣୁରେ ପରିଣତ ହୋଇସାରିଛି । ଯାହାକି ଆମ ଆଖି ଆଗରେ ବିକଶିତ ହେବାରେ ଲାଗିଛି । ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ବ୍ରିଟେନ, ଫ୍ରାନ୍ସ, ଆୟର୍ଲାଣ୍ଡ ଏବଂ ନେଦରଲ୍ୟାଣ୍ଡ ସମେତ ଅନେକ ୟୁରୋପୀୟ ଦେଶ ଲକଡାଉନକୁ କୋହଳ କରିବା ଆରମ୍ଭ କରିଛନ୍ତି । ସେପଟେ ଫିନଲ୍ୟାଣ୍ଡ ମଧ୍ୟ ଏହି ମାସରେ କୋରୋନା କଟକଣା ଉଠାଇବାକୁ ଯାଉଛି। । ଗତ ମଙ୍ଗଳବାର ଦିନ ଡେନମାର୍କ ସରକାର କୋଭିଡ କଟକଣାକୁ ଅଧିକାଂଶ ମାତ୍ରାରେ ହଟାଇ ଦେଇଛନ୍ତି।

ଗତ ସପ୍ତାହରେ 5.8 ନିୟୁତ ଦେଶରେ ଦିନକୁ 50,000ରୁ ଅଧିକ ନୂଆ ସଂକ୍ରମଣ ଦେଖିବାକୁ ମିଳିଛି । ହେଲେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ବିପଦ ଟଳିନାହିଁ । ତେଣୁ ଏବେ ସମ୍ପୂର୍ଣ୍ଣ କଟକଣା ଉଠାଇବା ଉଚିତ୍ ନୁହେଁ। ସବୁକିଛି ଏକାସାଙ୍ଗରେ ଉଠାଇବାର ସମୟ ନୁହେଁ । କୋରୋନାର ସମସ୍ତ ସତର୍କତା ଅବଲମ୍ବନ କରିବା ସହ ସମୟକ୍ରମେ ଧୀରେ ଧୀରେ କଟକଣାକୁ ଉଠାଇବା ଉଚିତ୍।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.