ETV Bharat / bharat

NCP vs NCP: ଦଳର ନାମ ଓ ଚିହ୍ନ ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ଅଜିତ ଗୋଷ୍ଠୀ

author img

By

Published : Jul 5, 2023, 5:44 PM IST

ECI to referee NCP vs NCP: ଦଳର ନାମ ଓ ଚିହ୍ନ ଦାବି କଲା ଅଜିତ ଗୋଷ୍ଠୀ
ECI to referee NCP vs NCP: ଦଳର ନାମ ଓ ଚିହ୍ନ ଦାବି କଲା ଅଜିତ ଗୋଷ୍ଠୀ

ନିର୍ବାଚନ କମିଶନଙ୍କ ନିକଟରେ NCPର ନାମ ଓ ନିର୍ବାଚନୀ ଚିହ୍ନ ଦାବି କଲା ଅଜିତ ପାଓ୍ବାର ଗୋଷ୍ଠୀ । କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଅବଗତ କଲା ଶରଦ ଗୋଷ୍ଠୀ । ନିର୍ବାଚନ ଆୟୋଗଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ମୁମ୍ବାଇ: ଏନସିପିରେ ବିଦ୍ରୋହ ପରେ ଦଳର ଅଧିକାର ଲଢେଇ ପାଇଁ ଏବେ ଉଭୟ ଶରଦ ଓ ଅଜିତ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏନସିପିରୁ ବିଦ୍ରୋହ କରି ଏନଡିଏ ମେଣ୍ଟରେ ସାମିଲ ହୋଇଥିବା ଅଜିତ ପାଓ୍ବାର ଗୋଷ୍ଠୀ ଏବେ ଦଳର ନାମ ଓ ନିର୍ବାଚନୀ ଚିହ୍ନ ହାତେଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଆବେଦନ ଦାଖଲ କରିଛନ୍ତି । ଏହା ପରେ ଶରଦ ଗୋଷ୍ଠୀ ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ଆବେଦନ କରିଥିବା ଆୟୋଗଙ୍କୁ ଅବଗତ କରିଛନ୍ତି ।

ଅଜିତ ଗୋଷ୍ଠୀର ଏନସିପି ନାମ ଓ ନିର୍ବାଚନୀ ଚିହ୍ନ ଦାବି ପରେ ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଜୟନ୍ତ ପାଟିଲ ଏକ ଇ-ମେଲ ଜରିଆରେ ଆୟୋଗଙ୍କୁ ଅବଗତ କରିଛନ୍ତି ଯେ, ଦଳ ବିରୋଧରେ ବିଦ୍ରୋହ କରି ଏନଡିଏ ମେଣ୍ଟରେ ସାମିଲ ହୋଇ ଜୁଲାଇ 2 ତାରିଖରେ ଶପଥ ଗ୍ରହଣ କରିଥିବା 9 ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଦ୍ବାରା ଦାଖଲ କରାଯାଇଥିବା ପିଟିସନରେ ଦଳର 40 ବିଧାୟକ, ସାଂସଦ ଓ ବିଧାନ ପରିଷଦ ସଦସ୍ୟଙ୍କ ସମର୍ଥନ ଥିବା ଦର୍ଶାଯାଇଛି । ସେହିପରି ଏହି ଗୋଷ୍ଠୀ ଅଜିତ ପାଓ୍ବାରଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ଭାବେ ମଧ୍ଯ ଏକ ସଙ୍କଳ୍ପ ପାରିତ ମାଧ୍ୟମରେ ଚୟନ କରିଛନ୍ତି । ତେଣୁ ସେମାନଙ୍କୁ ଏନସିପିର ନାମ ଓ ନିର୍ବାଚନୀ ସଙ୍କେତ ପ୍ରଦାନ କରିବା ପାଇଁ ଏହି ଆବେଦନରେ ଦର୍ଶାଯାଇଛି ।

ସେହିପରି ଆୟୋଗ ସୂତ୍ରରୁ ଏହା ମଧ୍ୟ ପ୍ରକାଶ କରାଯାଇଛି ଯେ, ବିଦ୍ରୋହ କରି ଶାସକ ମେଣ୍ଟରେ ସାମିଲ ହୋଇ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିବା 9 ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯାଇଥିବା ଶରଦ କ୍ୟାମ୍ପର ନେତା ଜୟନ୍ତ ପାଟିଲ ଏକ ଇ-ମେଲ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରିଛନ୍ତି । ତେବେ ଉଭୟ ପକ୍ଷର ଆବେଦନ ମଧ୍ୟରେ ଆଇନଗତ ଫ୍ରେମଓ୍ବାର୍କରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆୟୋଗ କହିଛନ୍ତି ।

ଅନ୍ଯପଟେ ଆଜି ଉଭୟ ଗୋଷ୍ଠୀ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅଜିତ ପାଓ୍ବାରଙ୍କ ଗୋଷ୍ଠୀରେ 32 ଜଣ ବିଧାୟକ ଥିବା ନଜର ଆସିଛନ୍ତି । ସେହିପରି ଶରଦଙ୍କ ଗୋଷ୍ଠୀରେ ମାତ୍ର 18 ଜଣ ବିଧାୟକ ସାମିଲ ଥିବା କୁହାଯାଉଛି । ଅଜିତ ପାଓ୍ବାର ଶରଦ ପାଓ୍ବାରଙ୍କ ବୟସକୁ ନେଇ ସାମାଲୋଚନା କରିଛନ୍ତି । ସମସ୍ତ ରାଜନୈତିକ ଦଳରେ ଅବସର ଗ୍ରହଣ କରିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି । ହେଲେ ଶରଦ ଦଳର ନେତୃତ୍ବ ନେବାରେ ନୂଆ ପିଢିକୁ ସୁଯୋଗ ଦେଉନଥିବା କହିଛନ୍ତି ଅଜିତ । ଅନ୍ୟପଟେ ଶରଦ ପାଓ୍ବାର ତାଙ୍କ ସଭାରେ କହିଛନ୍ତି, ଯଦି ଅଜିତଙ୍କର କିଛି ଅଲଗା ଉଦ୍ଦେଶ୍ୟ ଥିଲା, ସେ ତାଙ୍କ ସହ ଆଲୋଚନା କରିପାରିଥାନ୍ତେ । ହେଲେ ସେ ସେପରି କିଛି କଲେ ନାହିଁ ।

ଏହା ମଧ୍ୟ ପଢନ୍ତୁ:-NCP crisis: ପାଓ୍ବାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ NCPରୁ ବହିସ୍କୃତ

ଅନ୍ୟ ଏକ ସୂଚନା ଅନୁସାରେ, ଅଜିତ ପାଓ୍ବାର ଗୋଷ୍ଠୀର ବିଧାୟକମାନଙ୍କୁ ଏକ ହୋଟେଲକୁ ନିଆଯାଇଛି । ଦଳ ବଦଳ ନିରୋଧ ଆଇନରୁ ବର୍ତ୍ତିବା ପାଇଁ ଅଜିତଙ୍କ ଗୋଷ୍ଠୀକୁ 36 ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏବେ ତାଙ୍କ ନିକଟରେ 32 ଜଣଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଛି । ହେଲେ ଅଜିତ ଗୋଷ୍ଠୀ 40 ବିଧାୟକଙ୍କ ସମର୍ଥନ ଥିବା ପ୍ରଥମ ଦିନରୁ ଦାବି କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.