ETV Bharat / bharat

ପାକିସ୍ତାନୀ ମହିଳାଙ୍କ ସହ କ୍ରିକେଟ ମ୍ୟାଚ ଦେଖିଛନ୍ତି, ବାର୍‌ରେ ନାଚିଛନ୍ତି ଗିରଫ DRDO ବୈଜ୍ଞାନିକ

author img

By

Published : May 14, 2023, 9:01 PM IST

Honey trap: ପାକିସ୍ତାନୀ ମହିଳାଙ୍କ ସହ କ୍ରିକେଟ ମ୍ୟାଚ ଦେଖିଛନ୍ତି , ବାରରେ ନାଚିଛନ୍ତି ଗିରଫ DRDO ବୈଜ୍ଞାନିକ
Honey trap: ପାକିସ୍ତାନୀ ମହିଳାଙ୍କ ସହ କ୍ରିକେଟ ମ୍ୟାଚ ଦେଖିଛନ୍ତି , ବାରରେ ନାଚିଛନ୍ତି ଗିରଫ DRDO ବୈଜ୍ଞାନିକ

ପାକିସ୍ତାନୀ ମହିଳାଙ୍କ ସହ କ୍ରିକେଟ୍‌ ମ୍ୟାଚ୍‌ ଦେଖିଛନ୍ତି ହନିଟ୍ରାପରେ ଶିକାର ଗିରଫ DRDO ବୈଜ୍ଞାନିକ ପ୍ରଦୀପ କୁରୁଲକର । 6 ଦେଶ ବୁଲିଛନ୍ତି । ଜେରା ଜାରି ରଖିଛି ମୁମ୍ବାଇ ଏଟିଏସ । ଅଧିକ ପଢନ୍ତୁ

ମୁମ୍ବାଇ: ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇ ଗିରଫ ହୋଇଥିବା ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ନେଇ ଆଚମ୍ବିତ କରିବା ପରି ତଥ୍ୟ ଧୀରେଧୀରେ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ସେ ଉକ୍ତ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ‘ବ୍ରହ୍ମୋସ’ ଓ ‘ଅଗ୍ନି’ର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡିଥିଲା । ଏବେ ସେ ମହିଳାଙ୍କ ସହ ସିଧାସଳଖ ସାକ୍ଷାତ କରିଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ସେ ସମ୍ପୃକ୍ତ ମହିଳାଙ୍କ ସହ ବିଦେଶରେ କ୍ରିକେଟ୍‌ ମ୍ୟାଚ ଦେଖିଛନ୍ତି ଓ ବାର୍‌ ଯାଇ ସମୟ କାଟିଥିବା ତଦନ୍ତର ଘଟଣାକ୍ରମରୁ ଜଣାପଡିଛି ।

ଘଟଣାର ତଦନ୍ତ ମୁମ୍ବାଇ ଏଟିଏସ ଜାରି ରଖିଛି । ମାମଲାରେ ଅଧିକ ଜେରା ପାଇଁ ଗିରଫ ବୈଜ୍ଞାନିକ ପ୍ରଦୀପଙ୍କୁ 15 ତାରିଖ ଯାଏଁ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା । ତାଙ୍କୁ ଜେରା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ସେ 6 ଦେଶ ପରିଭ୍ରମଣ କରିଛନ୍ତି । ଏହି ଗସ୍ତ ମଧ୍ୟରେ ସେ କୌଣସି ଏକ ଦେଶରେ ଏହି ପାକିସ୍ତାନୀ ମହିଳାଙ୍କ ସହ ପ୍ରତ୍ୟେକ୍ଷ ସାକ୍ଷାତ କରିବା ସହ ତାଙ୍କ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ ମଧ୍ୟ ଦେଖିଛନ୍ତି । ଉଭୟ କ୍ରିକେଟ ମ୍ୟାଚ ଦେଖିବା ପରେ କୌଣସି ଏକ ହୋଟେଲ କିମ୍ବା ବାରରେ ମଧ୍ୟ ସମୟ କାଟିଥିବା ତାଙ୍କ ଫୋନ ଓ ଇ-ମେଲରୁ ଜଣାପଡିଛି । ତେବେ ଉଭୟଙ୍କ ମଧ୍ୟରେ କେବେ, କେଉଁ ଦେଶରେ ଏହି ସାକ୍ଷାତକାର ଓ କ୍ରେକେଟ୍‌ ମ୍ୟାଚ ଦେଖିବା ହୋଇଛି, ସେନେଇ ଏଟିଏସ୍‌ କିଛି ସୂଚନା ଦେଇନି ।

ପ୍ରାଥମିକ ଭାବେ ଏହି ମହିଳାଜଣଙ୍କ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟ୍‌ ହୋଇଥିବା ଏଟିଏସ ଜାଣିବାକୁ ପାଇଥିଲା । ଏହି ମାମଲାରେ ତଦନ୍ତ ଏବେ ଜାରି ରହିଛି । ମାମଲାର ଶୁଣାଣି ଗତ 9 ତାରିଖରେ ହୋଇଥିଲା । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ଏଟିଏସ ପ୍ରଦୀପଙ୍କୁ 15 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି । ଆସନ୍ତାକାଲି ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ତାଙ୍କୁ କୋର୍ଟରେ ହାଜର କରିବ ତଦନ୍ତକାରୀ ସଂସ୍ଥା । କାଲି ମଧ୍ୟ ତାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ ତଦନ୍ତକାରୀ ସଂସ୍ଥା ଆବେଦନ କରିପାରେ ବୋଲି ଅନୁମାନ କରାଯାଉଛି ।

ବରିଷ୍ଠ ପ୍ରତିରକ୍ଷା ବୈଜ୍ଞାନିକ ପ୍ରଦୀପ କୁରୁଲକର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO)ର ଲ୍ୟାବ ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ । ସେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପୃକ୍ତ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିବା ପରେ ମୁମ୍ବାଇ ଏଟିଏସ୍‌ ତାଙ୍କୁ ଗିରଫ କରିଥିଲା । ଏବେ ସୁଦ୍ଧା ସେ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ‘ବ୍ରହ୍ମୋସ’ ଓ ‘ଅଗ୍ନି’ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପୃକ୍ତ ମହିଳା ISI ଏଜେଣ୍ଟଙ୍କୁ ପଠାଇ ସାରିଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି । କେବଳ ସୋସିଆଲ ମିଡିଆ ନୁହେଁ ବରଂ ଉଭୟ ପ୍ରତ୍ୟେକ୍ଷ ସାକ୍ଷତ କରିଥିବା ଓ ସମୟ କାଟିଥିବା ଜଣାପଡିବା ପରେ ଚିନ୍ତା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.