ETV Bharat / bharat

ଅଗ୍ନିପଥ ଯୋଜନା ନେଇ ରାଷ୍ଟ୍ରପତିିଙ୍କୁ ଭେଟିଲା କଂଗ୍ରେସ

author img

By

Published : Jun 20, 2022, 9:53 PM IST

ଅଗ୍ନିପଥ ଯୋଜନା ନେଇ ରାଷ୍ଟ୍ରପତିିଙ୍କୁ ଭେଟିଲା କଂଗ୍ରେସ
ଅଗ୍ନିପଥ ଯୋଜନା ନେଇ ରାଷ୍ଟ୍ରପତିିଙ୍କୁ ଭେଟିଲା କଂଗ୍ରେସ

ଅଗ୍ନିପଥ ଯୋଜନା ଓ ପୋଲିସର ଅତ୍ୟାଚାର ନେଇ ରାଷ୍ଟ୍ରପତିିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ଦେଲା ସ୍ମାରକପତ୍ର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନାକୁ ବିରୋଧ ଓ ପୋଲିସର ଅତ୍ୟାଚାର ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛି ବରିଷ୍ଠ କଂଗ୍ରେସ ନେତାଙ୍କ ଏକ ଟିମ । ଆଜି (ସୋମବାର) ଯୋଜନାରେ ଥିବା ତ୍ରୁଟି ଓ ଆନ୍ଦୋଳନ ସମୟରେ ପୋଲିସର ଅତ୍ୟାଚାର ସମ୍ପର୍କରେ କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ଭେଟି ଅବଗତ କରିଛନ୍ତି । ଆଜି ପୂର୍ବାହ୍ନରେ କଂଗ୍ରେସ ନେତାମାନେ ବିଜୟଚୌକରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତି ଭବନ ଆଡକୁ ପଦଯାତ୍ରା ମଧ୍ୟ କରିଥିଲେ ।

ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସର ରାଜ୍ୟସଭାରେ ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ଆଜି କେନ୍ଦ୍ର ଆଣିଥିବା ଯୋଜନା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି । ଏହି ଯୋଜନାକୁ ଆଣିବା ପାଇଁ କେନ୍ଦ୍ର ସରକାର କୌଣସି ଗୃହ କମିଟି ସହ ଆଲୋଚନା କରିନାହାନ୍ତି । ସେହିପରି ଗୃହରେ ମଧ୍ୟ ଏସମ୍ପର୍କିତ କୌଣସି ଆଲୋଚନା କରିବାକୁ ସରକାର ଆଗ୍ରହ ପ୍ରକାଶ କରିନାହାନ୍ତି । ଯାହାକି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବା ସହ ହସ୍ତକ୍ଷେପ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଖାଡଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେହିପରି ଆନ୍ଦୋଳନ ବେଳେ କଂଗ୍ରେସ ନେତାଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଓ ଅତ୍ୟାଚାର ସମ୍ପର୍କରେ ଦ୍ବିତୀୟ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେବା ସହ ବିଚାର ପାଇଁ ସଂସଦର ସ୍ବାଧୀକାର କମିଟିକୁ ପଠାନ୍ତୁ ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି ।

ଅଗ୍ନିପଥ ଯୋଜନା ଘୋଷଣା ହେବାର ପ୍ରଥମ ଦିନରୁ କଂଗ୍ରେସ ବିରୋଧ କରିଆସିଛି । ଏପରିକି ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ହସ୍ପଟାଲରେ ଥାଇ କେନ୍ଦ୍ର ନିଷ୍ପତ୍ତିକୁ ଭୁଲ ଦର୍ଶାଇବା ସହ ଏହା ସେନାରେ ଭର୍ତ୍ତି ପାଇଁ ଆଶାୟୀ ଯୁବକଙ୍କ ପାଇଁ ଅନ୍ୟାୟ ବୋଲି କହିଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହ ଆଇନ କେନ୍ଦ୍ରୀୟ କୃଷି ଆଇନ ପରି ପ୍ରତ୍ୟାହାର ହେବା ନେଇ ମଧ୍ୟ କହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.