ETV Bharat / bharat

BJP@44: ଶୂନ୍ୟରୁ ଶୀର୍ଷ ଯାଏଁ ବିଜେପିର ସଂଘର୍ଷପୂର୍ଣ୍ଣ ଯାତ୍ରା

author img

By

Published : Apr 6, 2023, 7:00 AM IST

Updated : Apr 6, 2023, 10:03 AM IST

Etv Bharat
Etv Bharat

ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଆଜିକୁ 4 ଦଶନ୍ଧୀ ପୂର୍ବେ ଆରବ ସାଗର ଉପକୂଳରେ ଯେଉଁ ଶିଶୁ ବିଜେପି ଜନ୍ମ ହୋଇଥିଲା ଆଜି ତାହା ବଟ୍ଟବୃକ୍ଷରେ ପରିଣତ ହୋଇଛି । ଶିଶୁ ବିଜେପିକୁ ନେଇ ଅଟଳ ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ଆଜି ସତ ସାବ୍ୟସ୍ତ ହୋଇଛି । 6 ଏପ୍ରିଲ 1980 ରେ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଭାରତୀୟ ଜନତା ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ଅଧିବେଶନ(କାର୍ଯ୍ୟକାରିଣୀ)କୁ ସମ୍ବୋଧିତ କରି ଅଟଳ କହିଥିଲେ ।

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ପାଳୁଛି ଆଜି 44 ତମ ସ୍ଥାପନା ଦିବସ । 6 ଏପ୍ରିଲ 1980 ଆଜିର ଦିନରେ ଆରବ ସାଗର ଉପକୂଳରେ ଜନ୍ମ ନେଇଥିଲା ବିଜେପି । ଶୂନ୍ୟରୁ ଆରମ୍ଭ ହୋଇଥିବା ଦଳ ଆଜି ଶିଖରରେ ଉଡାଉଛି ଗୈରିକ ପତାକା । ସଂଘର୍ଷ, ବିଚାରଧାରା, ରାଷ୍ଟ୍ରବାଦ, ମାନବତା, ସୁଶାସନ ଓ ହିନ୍ଦୁତ୍ବକୁ ନେଇ ଦଳ ନିଜ ଲକ୍ଷ୍ୟପଥରେ ଆଗକୁ ବଢୁଛି ।

ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଆଜିକୁ 4 ଦଶନ୍ଧୀ ପୂର୍ବେ ଆରବ ସାଗର ଉପକୂଳରେ ଯେଉଁ ଶିଶୁ ବିଜେପି ଜନ୍ମ ହୋଇଥିଲା ଆଜି ତାହା ବଟ୍ଟବୃକ୍ଷରେ ପରିଣତ ହୋଇଛି । ଶିଶୁ ବିଜେପିକୁ ନେଇ ଅଟଳ ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ଆଜି ସତ ସାବ୍ୟସ୍ତ ହୋଇଛି । 6 ଏପ୍ରିଲ 1980 ରେ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଭାରତୀୟ ଜନତା ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ଅଧିବେଶନ(କାର୍ଯ୍ୟକାରିଣୀ)କୁ ସମ୍ବୋଧିତ କରି ଅଟଳ କହିଥିଲେ... ଅନ୍ଧେରା ହଟେଗା... ସୁରଜ୍‌ ନିକଲେଗା... କମଳ ଖିଲେଗା... ଅଟଳ ଏହା ମଧ୍ୟ କହିଥିଲେ, ‘‘ଯେ ବିଜେପି କେବଳ ହିନ୍ଦୀ ହ୍ୟାଟଲ୍ୟାଣ୍ଡରେ ସୀମିତ ରହିବ ନାହିଁ । ସମୟ ଆସିବ ଭାରତବର୍ଷର ଉତ୍ତର ପୂର୍ବ ପାହାଡି ଭୂଇଁରେ ମଧ୍ୟ କମଳ ଫୁଟିବ । କାଶ୍ମୀରରୁ କନ୍ୟାକୁମାରୀ... କଚ୍ଛରୁ କୋହିମା ଯାଏଁ ବିଜେପିର ଜୟଗାନ ହେବ । ବିଜେପିକୁ ଜନତା ପୂର୍ଣ୍ଣ ବହୁମତ ଦେବେ । ବିଜେପି ରାମ ମନ୍ଦିର ନିର୍ମାଣ କରିବ। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବ ।’’ ଆଜି ଅଟଳ ନାହାଁନ୍ତି ସତ । ହେଲେ ସେ କରିଥିବା ଭବିଷ୍ୟତବାଣୀ ସତ ହେଉଛି । ସେ ପକାଇ ଯାଇଥିବା ମୂଳଦୂଆ ଉପରେ ଦଳ ଆଜି ବିଶାଳ ମହଲ ନିର୍ମାଣ କରିସାରିଛି । ଅଟଳଙ୍କ ଅନ୍ତେ ବିଜେପି ଆଜି 2 ଟି ଆସନରୁ 3 ଶହ ପାର କରିସାରିଛି । 11 ଜଣ ସଦସ୍ୟଙ୍କୁ ନେଇ ପଡିଥିବା ବିଜେପିର ମୂଳଦୁଆ ଆଜି 11 କୋଟି ସଦସ୍ୟ ସଂଖ୍ୟା ପାର କରି ବିଶ୍ବର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ପାଇଛି ।

ଜନସଂଘରୁ ବିଜେପିର ଜନ୍ମ: 6 ଏପ୍ରିଲ 1980 ଆଜିର ଦିନରେ ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ବିଜେପିର ସ୍ଥାପନ ହୋଇଥିଲା । ପ୍ରଥମ ଅଧ୍ୟକ୍ଷ ଭାବେ ଅଟଳ ବିଜେପିର ମୂଳଦୂଆକୁ ମଜବୁତ କରିବାରେ ସଫଳ ହୋଇଥିଲେ । ଆଜି ଯେଉଁ ବିଜେପି ଶାସନର ଶୀର୍ଷରେ ଅଛି, ସେହି ଦଳର ନିର୍ମାଣରେ ଅନେକ ରାଜନେତାଙ୍କ ତ୍ୟାଗ ବଳିଦାନ ରହିଛି । ଜନସଂଘ ବର୍ଷ 1952ରେ ହୋଇଥିବା ଦେଶରେ ସାଧାରଣ ନିର୍ବାଚନ ଲଢିଥିଲା । କଂଗ୍ରେସର ଅଦ୍ଭୁତ ପୂର୍ବ ସଫଳତା ସତ୍ତ୍ବେ ଜନସଂଘ 3ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ପରେ 1957 ନିର୍ବାଚନରେ ଜନସଂଘ 4 ଟି ଆସନ ଜିତି ନିଜ ଆତ୍ମବିଶ୍ବାସକୁ ବଢାଇବାରେ ସଫଳ ହେଲା ।

1962 ନିର୍ବାଚନରେ ଜନସଂଘ 14ଟି ଆସନ ଜିତିଲା । ଫଳରେ ଧୀରେ ଧୀରେ ଜନସଂଘର ଲୋକପ୍ରିୟତା ବଢିବା ସହ 1967ରେ ହୋଇଥିବା ଚତୁର୍ଥ ଲୋକସଭା ନିର୍ବାଚନରେ 35 ଟି ଆସନ ଦଖଲ କଲା । ପରେ 1971 ନିର୍ବାଚନରେ ଦଳ ଆସନ ସଂଖ୍ୟା 22କୁ ଖସି ଆସିଲା । ଏହାପରେ ବର୍ଷ 1975-1976 ରେ ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହେଲା । ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରିବା ପାଇଁ ଜନସଂଘ ସମେତ ଅନ୍ୟ ଛୋଟ ଦଳ ଗୁଡିକ ମିଶି ଜନତା ଦଳ ଗଠନ କଲେ । ଆଉ 1977 ରେ ହୋଇଥିବା ଷଷ୍ଠ ଲୋକସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି 295ଟି ଆସନ ଜିତି ସରକାର ଗଠନ କରିଥିଲା ଜନତା ଦଳ । ହେଲେ 1980ରେ ହୋଇଥିବା ସପ୍ତମ ଲୋକସଭା ନିର୍ବାଚନରେ ଜନତା ଦଳ କୁ ଲାଗିଥିଲା ଜବରଦସ୍ତ ଝଟକା । 295 ଆସନରୁ ଖସି ମାତ୍ର 35 ଟି ଆସନରେ ସୀମିତ ହୋଇଗଲା ।

1980 ସପ୍ତମ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ 4 ଏପ୍ରିଲରେ ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ଆୟୋଜିତ ହେଲା । ବୈଠକର ଉଦ୍ଦେଶ୍ୟ ଥିଲା ଦ୍ବେତ ସଦସ୍ୟତା ଗ୍ରହଣ କରିଥିବା ନେତାଙ୍କୁ ଦଳରୁ ବହିଷ୍କୃତ କରିବା । ହେଲେ ଦଳକୁ ସଂଗଠିତ କରିବା ପାଇଁ ମୋରାଜୀ ଦେଶାଇଙ୍କ ଉଦ୍ୟମ ବିଫଳ ହୋଇଥିଲା । ମୂଳ ଜନସଂଘ ନେତାଙ୍କୁ ଅସାମ୍ବିଧାନିକ ଭାବେ ଜନତା ଦଳରୁ ବହିଷ୍କାର କରାଯାଇଥିଲା । ହେଲେ ଏହାପରେ ଜନତା ଦଳ ଏକ ଅବଶେଷରେ ହିଁ ରହିଯାଇଥିଲା ।

ଅଟଳ ଦେଇଥିଲେ ‘ବିଜେପି’ ନାଁ: ଜନତା ଦଳରୁ ବହିଷ୍କୃତ ହେବା ପରେ ଏହାର ଯଥେଷ୍ଟ ପୂର୍ବରୁ ନୂଆ ଇତିହାସ ରଚନା କରିବା ପାଇଁ ରଣନୀତି ରଚି ସାରିଥିଲେ ଅଟଳ ବିହାରୀ ବାଜପେୟୀ । ପରଦିନ ଅର୍ଥାତ 5 ଓ 6 ଏପ୍ରିଲରେ ଦୁଇ ଦିନ ଧରି ଏକ ରାଷ୍ଟ୍ରୀୟ ଅଧିବେଶନ ଡାକିଲେ ଅଟଳ ବିହାରୀ ବାଜପେୟୀ । ଯେଉଁଥିରେ 3 ହଜାରରୁ ଅଧିକ ନେତା ଯୋଗଦେଇଥିଲେ । ଆଉ ଅନେକ ବିଚାର ବିମର୍ଶ ପରାମର୍ଶ ପରେ 6 ଏପ୍ରିଲ 1980 ସଂଧ୍ୟାରେ ଅଟଳ ବିହାରୀ ବାଜପେୟୀ ଆରବ ସାଗର ଉପକୂଳରୁ ଘୋଷଣା କରିଥିଲେ ଭାରତୀୟ ଜନତା ପାର୍ଟିର ଜନ୍ମ ।

ଆରମ୍ଭରୁ ବିପର୍ଯ୍ୟୟ ଦେଖିଥିଲା ବିଜେପି: ନୂଆ ଦଳ ନୂଆ ଲକ୍ଷ୍ୟ ସହ ବର୍ଷ 1984 ସାଧାରଣ ନିର୍ବାଚନକୁ ଓହ୍ଲାଇଥିଲା ବିଜେପି । ହେଲେ ଦଳକୁ ପ୍ରଚଣ୍ଡ ପରାଜୟ ଭୋଗିବାକୁ ପଡିଥିଲା । ଦଳ ମାତ୍ର 2ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା । ଏହାକୁ ନେଇ ସେତେବେଳେ ଅଟଳଙ୍କୁ ଅନେକ ରାଜନୈତିକ ଦଳ କଡା କଟାକ୍ଷ କରିଥିଲେ । ଆଉ ଲୋକସଭାରେ ବିରୋଧୀଙ୍କୁ ଏହାର ଜବାବ ଦେଇ ଅତ୍ୟନ୍ତ ଭାବବିହ୍ବଳ କଣ୍ଠରେ ଅଟଳ କହିଥିଲେ, ଆମକୁ ବହୁମତ ମିଳିଲା ନାହିଁ । ଆମେ ଦେଶବାସୀଙ୍କ ବିଶ୍ବାସ ଜିତିପାରିଲୁ ନାହିଁ । ହେଲେ ଆମେ ଆମର ନିଷ୍ଠା, ସାଧନା, ସଂଘର୍ଷ, ସେବା ଓ ରାଷ୍ଟ୍ରବାଦକୁ ନେଇ ଲଢେଇ କରିବୁ । ଆଜି ଆମେ ଲୋକସଭାରେ 2 ଜଣ ସଦସ୍ୟ ଅଛୁ ବୋଲି କଂଗ୍ରେସ ସମେତ ସାରା ବିରୋଧୀ ଆମ ଉପରେ ହସୁଛନ୍ତି । ହେଲେ ଦିନେ ସମୟ ଆସିବ ... ଦେଶବାସୀ ଆମକୁ ସମର୍ଥନ ଦେବେ... ଆମେ ପୂର୍ଣ୍ଣ ବହୁମତ ସହ ଦେଶର ସେବା କରିବାର ସୁଯୋଗ ପାଇବୁ ... ସାରା ଦେଶରେ ଆମର ସରକାର ଥିବା ... ଆଉ ସେତେବେଳେ କଂଗ୍ରେସ ଉପରେ ଦେଶବାସୀ ହସୁଥିବେ ।

ବିଜେପିକୁ କେଉଁ ବର୍ଷ ମିଳିଥିଲା କେତେ ଆସନ ? 1989ରେ ହୋଇଥିବା ନବମ ଲୋକସଭା ନିର୍ବାଚନରେ ବିଜେପିକୁ 85ଟି ଆସନ ମିଳିଥିବା ବେଳେ, 1991ରେ 120ଟି, 1996ରେ 161 ଟି, 1998-99 ରେ 182 ଟି, 2004 ରେ 138 ଟି, 2009 ରେ 116 ଟି , 2014 ରେ 282 ଟି ଓ 2019 ସପ୍ତଦଶ ଲୋକସଭାରେ ନିର୍ବାଚନରେ ବିଜେପିକୁ ମିଳିଛି 303ଟି ଆସନ ।

1984 ପରେ ରଣନୀତି ପରିବର୍ତ୍ତନ କଲା ବିଜେପି: 1984 ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ନିଜ ରଣନୀତିରେ କଲା ବଡ ପରିବର୍ତ୍ତନ । ଗାନ୍ଧୀଙ୍କ ଆଦର୍ଶ, ଜେପିଙ୍କ ସ୍ବପ୍ନ, ଆମ୍ବେଦକର, ଭଗତ ସିଂ, ସୁବାଷ ବୋଷଙ୍କୁ ଆଦର୍ଶ ମାନୁଥିବା ବିଜେପିର ରଣନୀତିରେ ଯୋଡିହେଲା ହିନ୍ଦୁତ୍ବ । ବିଜେପରି ଚାଲ, ଚରିତ୍ର ଓ ଚେହେରା ଥିବା ଅଟଳ ହିନ୍ଦୁତ୍ବକୁ ନେଇ ମଧ୍ୟ ନିଜ ରଣନୀତିରେ ସ୍ପଷ୍ଟ କଲେ । ଆଉ ହିନ୍ଦୁତ୍ବ ବିଚାରଧାରା ସହ ରାଷ୍ଟ୍ରବାଦକୁ ଆୟୁଧ କରି ଅଟଳ ଆଡଭାନୀ ଯୋଡି ଲଢିଲେ 1989 ନିର୍ବାଚନ । ଆଉ ସେହି ଦିନ ଠାରୁ ଉତ୍ଥାନ ପତନ ଦେଇ ସଂଘର୍ଷ କରି ଅଟଳ ଆଡଭାନୀ ବିଜେପିକୁ ଏକ ରାଷ୍ଟ୍ରୀୟ ପାର୍ଟିରେ ପରିଣତ କରିବାରେ ସଫଳ ହେଲେ ।

ବାଜପେୟୀ ବନିଥିଲେ ବାଦଶାହା: ସଂଘର୍ଷ, ସେବା, ସଂଗ୍ରାମର ସହ ସ୍ପଷ୍ଟ ଲକ୍ଷ୍ୟ, ସଠିକ ରଣନୀତି କରି ଦଳକୁ ଆଗକୁ ନେଉଥିବା ବାଜପେୟୀ 1996 ରେ ପ୍ରଥମ ଥର ପାଇଁ 13 ଦିନ 1998-99ରେ ଦ୍ବିତୀୟ ଥର ପାଇଁ 13 ମାସ ହୋଇଥିଲେ ଭାରତବର୍ଷର ପ୍ରଧାନମନ୍ତ୍ରୀ । ପରେ 1999 ରୁ 2004 ଏକ ମେଣ୍ଟ ସରକାରର ନେତୃତ୍ବ ନେଇ ପୁରା 5 ବର୍ଷ ପ୍ରଧାନମନ୍ତ୍ରୀ ରହିବା ସହ ରଚିଥିଲେ ଇତିହାସ । ଆଉ ନିଜ ବିଶ୍ବସ୍ତ ସହଯୋଗୀ ଲାଲକୃଷ୍ଣ ଆଡଭାନୀଙ୍କୁ କରିଥିଲେ ଉପ-ପ୍ରଧାନମନ୍ତ୍ରୀ ।

2004 ରେ ଅସ୍ତ ହେଲା ଅଟଳଙ୍କ ଅସ୍ତିତ୍ବ: 2004 ରେ ସାଧାରଣ ନିର୍ବାଚନରେ ବିଜେପି ପୁରା ଆତ୍ମବିଶ୍ବାସ ସହ ନିର୍ବାଚନ ଲଢିଥିଲା । ସାଇନିଂ ଇଣ୍ଡିଆର ନାରା ଦେଇ ଅଟଳ ଆଡଭାନୀ ଯୋଡି ପୁରା ଦେଶରେ ଛାଇଗଲେ । ହେଲେ ନିର୍ବାଚନ ଫଳାଫଳ ପରେ ବିଜେପିକୁ ବଡ ଧରଣର ପରାଜୟ ସାମନା କରିବାକୁ ପଡିଲା । କଂଗ୍ରେସ କ୍ଷମତା ଦଖଲ କଲା । ପରେ ଅଟଳ ଆଡଭାନୀଙ୍କୁ ଦଳର କମାଣ ଦେଇ ନିଜେ ରାଜନୀତିରୁ ଧୀରେ ଧୀରେ ଅପସରି ଗଲେ । ଆଡଭାନୀଙ୍କ କଠୋର ହିନ୍ଦୁତ୍ବବାଦୀ, ରାଷ୍ଟ୍ରବାଦ ନାରା ସତ୍ତ୍ବେ ବିଜେପିକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିନଥିଲେ । 2009 ସାଧାରଣରେ ମଧ୍ୟ ବିଜେପିକୁ ପରାଜୟ ଭୋଗିବାକୁ ପଡିଥିଲା । ଆଉ ଆଡଭାନୀଙ୍କ ଯୁଗର ମଧ୍ୟ ଅନ୍ତ ହେବାକୁ ଲାଗିଲା ।

ଆସିଲେ ଦ୍ବିତୀୟ ପିଢି ନେତା: ତେବେ ମୂଳରୁ ବିଜେପିକୁ ସଂଘର୍ଷ, ସେବା ଓ ଶକ୍ତି ଯୋଗାଉଥିବା ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ)ର ପରାମର୍ଶ ଓ ସେତେବେଳର ରାଜନୀତିର ଆବଶ୍ୟକତା ଦେଖି ଦ୍ବିତୀୟ ପିଢି ନେତାଙ୍କୁ ସାମନାକୁ ଆଣିଲା ବିଜେପି । 2012ରେ ସଭାପତି ଥିବା ରାଜନାଥ ସିଂ 2014 ନିର୍ବାଚନ ପାଇଁ କଷିଲେ କମର । ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ରାଜନୀତିରେ ପ୍ରଜେକ୍ଟ କଲେ । ଆଉ ମୋଦି ଜାତୀୟ ରାଜନୀତି ପାଇଁ ଗୁଜୁରାଟରେ ରହି ପୁରା ତାଲିମ ନେଇ ସାରିଥିଲେ । ନିଜର ପୁରା ଟିମ ସହ 2014 ଲଢେଇ ପାଇଁ ଆରମ୍ଭ କଲେ ଯୋଜନାବଦ୍ଧ ରଣନୀତି ।

ଆରମ୍ଭ ହେଲା ବିଜେପିର ସ୍ବର୍ଣ୍ଣିମ ଯୁଗ: 2014 ସାଧାରଣ ନିର୍ବାଚନରେ ବିଜେପି ଯାହା କରି ଦେଖାଇଲା ତାହା ଭାରତୀୟ ରାଜନୀତିରେ କେବେ ହୋଇନଥିଲା । କୌଣସି ଦଳ ଏକାକି ପୂର୍ଣ୍ଣ ବହୁମତ ସହ ଦିଲ୍ଲୀ ଦଖଲ କଲା । ବିଜେପି 282ଟି ଆସନ ପାଇ ସରକାର ଗଠନ କଲା । ଆଉ ବିଜେପିରେ ଅଟଳ-ଆଡଭାନୀ ଯୋଡି ପରେ ଆରମ୍ଭ ହେଲା ମୋଦି-ଶାହ ଯୋଡି । ଉଭୟ ଦଳର ବିସ୍ତାର ସହ ସାରା ଦେଶ ଉପରେ ଦଳର ଶକ୍ତି ବୃଦ୍ଧି ପାଇଁ କୌଣସି ସୁଯୋଗ ଛାଡିଲେ ନାହିଁ । ନିଜେ ମୋଦି ସରକାର ସମ୍ଭାଳିବା ସହ ଅନୁଗତ ଶାହଙ୍କୁ ଦେଲେ ସଂଗଠନ ଦାୟିତ୍ବ । ଅମିତ ଶାହ ମଧ୍ୟ ସାରା ଦେଶ ପରିଭ୍ରମଣ କରି ସବୁଠି ଦଳର ସଂଗଠନକୁ ବଢାଇବାରେ ଲାଗିଲେ । ଏକାଧିକ ରାଜ୍ୟ ଦଖଲ କଲେ । 2018 ସୁଦ୍ଧା ଦଳ 19ଟି ରାଜ୍ୟ ଦଖଲ କରିବାରେ ସଫଳ ହେଲା । ଉଭୟ ପୁରା କର୍ପୋରେଟ ଢାଞ୍ଚାରେ ଦଳକୁ ପୁରା ଦେଶରେ ବିସ୍ତାର କଲେ । ଏହାସହ ଦଳର ସାମ୍ବିଧାନିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କଲେ । ଦଳର ବରିଷ୍ଠ ନେତାଙ୍କୁ ସଂଗଠନରୁ ହଟାଇ ନୂଆ ନୂଆ ନେତାଙ୍କୁ ଆଣିଲେ । ଏହାସହ ରାଜ୍ୟ ସ୍ତରୀୟ ନେତାଙ୍କୁ ମଧ୍ୟ ସୁଯୋଗ ଦେଲେ ।

2019ରେ ଦଳ ରଚିଲା ନୂଆ ଇତିହାସ: ମୋଦି-ଶାହଙ୍କ ସରକାର-ସଂଗଠନ ପରିଚାଳନା ଦକ୍ଷତା ପୁଣି ଥରେ 2019 ରେ ବଡ ଧରଣର ସଫଳତା ପାଇଲା । ଦଳ ନିର୍ବାଚନରେ ତିନି ଶହରୁ ଅଧିକ ଆସନ ଜିତି ରଚିଲା ଇତିହାସ । ଆଉ ଅଟଳ-ଆଡଭାନୀ ଦଳ ଗଠନ ବେଳେ ଦେଖିଥିବା ସ୍ବପ୍ନ, ରଖିଥିବା ଲକ୍ଷ୍ୟ ପୂରଣ କଲେ ମୋଦି-ଶାହ । ଖାଲି ଏତିକି ନୁହେଁ ଉଭୟ ଦଳର ଆଗାମୀ 40 ବର୍ଷ ପାଇଁ ମଧ୍ୟ ଭିତ୍ତିଭୂମି ସହ ନେତା ସୃଷ୍ଟି କରି ବିଜେପିକୁ ଏକ ନୂତନ ସ୍ତରକୁ ନେବା ପାଇଁ ପଥ ପରିଷ୍କାର କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ନିଜେ ପ୍ରତିଷ୍ଠା କରିଥିବା ଦଳର ପ୍ରଚଣ୍ଡ ସଫଳତା ଦେଖିବାକୁ ଆଜି ଅଟଳ ବିହାରୀ ବାଜପେୟୀ ନାହାଁନ୍ତି । ଯଦି ଆଜି ଅଟଳ ଥାନ୍ତେ କଣ କହିଥାନ୍ତେ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 6, 2023, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.