ETV Bharat / bharat

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିଭ୍ରାଟ ଘଟଣା: ତତ୍କାଳୀନ ଫିରୋଜପୁର ଏସପି ନିଲମ୍ବିତ

author img

By ETV Bharat Odisha Team

Published : Nov 25, 2023, 6:16 PM IST

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣା: ତତ୍କାଳୀନ ଫିରୋଜପୁର ଏସପି ନିଲମ୍ବିତ
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣା: ତତ୍କାଳୀନ ଫିରୋଜପୁର ଏସପି ନିଲମ୍ବିତ

ଗତବର୍ଷ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣାରେ ନିଲମ୍ବିତ ହେଲେ ତତ୍କାଳୀନ ଫିରୋଜପୁର ଏସପି ଗୁରୁବିନ୍ଦର ସିଂ ସଙ୍ଗ । ଗତବର୍ଷ ଜାନୁଆରୀ 5 ତାରିଖରେ ପଞ୍ଜାବରେ ଏକ ଫ୍ଲାଇଓଭରରେ 20 ମିନିଟ ଫସିଥିଲା ପ୍ରଧାନମନ୍ତ୍ରୀଙ୍କ କାଫିଲା । ଅଧିକ ପଢନ୍ତୁ

ଚଣ୍ଡିଗଡ: ଗତବର୍ଷ ଜାନୁଆରୀରେ ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଦେଖାଯାଇଥିବା ବିଭ୍ରାଟ ମାମଲାରେ ତତ୍କାଳୀନ ଫିରୋଜପୁର ଏସପିଙ୍କୁ ନିଲମ୍ବିତ କରାଯାଇଛି । ଏବେ ଭଟିଣ୍ଡା ଏସପି ଭାବେ କାର୍ଯ୍ୟରତ ଥିବା ଗୁରୁବିନ୍ଦର ସିଂ ସଙ୍ଗ ସେତେବେଳେ ଫିରୋଜପୁରରେ ଏସପି ଦାୟିତ୍ବରେ ଥିଲେ । ଜିଲ୍ଲା ପୋଲିସ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସେ ଉଚିତ୍‌ ଦାୟିତ୍ବ ସମ୍ପନ୍ନତା ଦେଖାଇନଥିବା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ତଦନ୍ତରେ ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଞ୍ଜାବ ପୋଲିସ ଡିଜିପି ସୂଚନା ଦେଇଛନ୍ତି ।

ଗତବର୍ଷ ଜାନୁଆରୀ 5 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତରେ ସୁରକ୍ଷାର ବିଭ୍ରାଟ ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ କାର୍କେଡ ଏକ ଫ୍ଲାଇ ଓଭରରେ ପ୍ରାୟ 20 ମିନିଟ ଫସି ରହିବା ପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯାଇଥିଲେ । ପଞ୍ଜାବର ଭଟିଣ୍ଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଅବତରଣ କରିବା ପରେ ସେଠାରୁ ବାୟୁସେନା ବିମାନରେ ସେ ଫିରୋଜପୁରର ଏକ କାର୍ଯ୍ୟକ୍ରମ ସ୍ଥଳକୁ ଯାତ୍ରା କରିବାକୁ ଥିଲା । ମାତ୍ର ପ୍ରତିକୂଳ ପାଗ କାରଣରୁ ହେଲିକପ୍ଟର ଉଡାଣ ସମ୍ଭବ ହୋଇନଥିଲା ।

ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ କାର୍ଯ୍ୟକ୍ରମ ସ୍ଥଳକୁ ଯାତ୍ରା କରିଥିଲେ । ମାତ୍ର ସେହି ରାସ୍ତାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା କାରଣରୁ ପ୍ରଧାନମନ୍ତ୍ରୀ ଏକ ଫ୍ଲାଇଓଭରରେ ପ୍ରାୟ 20 ମିନିଟ ଫସି ରହିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ସେ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ । ଭଟିଣ୍ଡା ବିମାନ ବନ୍ଦରରେ ଜଣେ ଅଧିକାରୀଙ୍କୁ, ସେ ଜୀବିତ ଫେରି ଆସିଥିବା କାରଣରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଧନ୍ୟବାଦ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ସେତେବେଳେ ବେଶ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା ।

ଏହା ମଧ୍ୟ ପଢନ୍ତୁ :- ତେଜସରେ ଉଡିଲେ ପ୍ରଧାନମନ୍ତ୍ରୀ, ସ୍ବଦେଶୀ ଜ୍ଞାନକୌଶଳକୁ କଲେ ପ୍ରଶଂସା

ଏହି ମାମଲା ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଥିଲା । ସର୍ବୋଚ୍ଚ କୋର୍ଟର ପୂର୍ବତନ ବିଚାରପତି ଇନ୍ଦୁ ମଲୋହୋତ୍ରାଙ୍କ ନେତୃତ୍ବରେ ଗଠିତ ଏକ 5 ଜଣିଆ କମିଟି ଏହି ଘଟଣାର ତଦନ୍ତ କରିଥିଲା । ତତ୍କାଳୀନ ଫିରୋଜପୁର ଏସପି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଦାୟିତ୍ବହିନତା ପ୍ରଦର୍ଶନ କରିଥିବା ଏହି କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲା । ଏପରି ପ୍ରଧାନମନ୍ତ୍ରୀ ପ୍ରତିକୂଳ ପାଗ କାରଣରୁ ସଡକ ମାର୍ଗରେ ଯାତ୍ରା କରିବା ନେଇ ଦୁଇ ଘଣ୍ଟା ପୂର୍ବରୁ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଥିଲେ ସୁଦ୍ଧା ସେମାନେ ବ୍ଲୁ-ବୁକ ପ୍ରୋଟୋକଲ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିନଥିଲେ । ଏବେ ତତ୍କାଳୀନ ଏସପିଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.