ETV Bharat / state

ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା, ସ୍ତ୍ରୀ ମୃତ ସ୍ବାମୀ ଆହତ

author img

By ETV Bharat Odisha Team

Published : Feb 3, 2024, 2:09 PM IST

Khordha Accident: ରାସ୍ତାରେ ଯାଉଥିବା ବେଳେ ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା । ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଦୁର୍ଘଟଣା
Khordha Accident

ଖୋର୍ଦ୍ଧାରେ ଦୁର୍ଘଟଣା

ଖୋର୍ଦ୍ଧା: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ହାଇଓ୍ବା ଧକ୍କା ଦେବାରୁ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଥିବା ସୂଚନା ମିଳିଛି । ବାଘମାରୀ କଣ୍ଟିଲୋ ୪୮ ନମ୍ବର ରାଜ୍ୟରାଜପଥରେ ଏହି ଦୁର୍ଘଟଣା ଘଟିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି ବଡମ୍ବା ଥାନା ଗୋପ ମଥୁରା ଗ୍ରାମର ପ୍ରମିଳା ଲେଙ୍କା । ତାଙ୍କ ସ୍ବାମୀ ହେଉଛନ୍ତି ଗଣେଶ୍ୱର ଲେଙ୍କା । ଆଜି (ଶନିବାର) ସକାଳ ସମୟରେ ସ୍କୁଟିରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ବାଘମାରୀ କଣ୍ଟିଲୋ 48 ନମ୍ବର ରାଜ୍ୟରାଜପଥ ପାଲଟିଛି ମରଣ ଯନ୍ତା । ରାସ୍ତା କାର୍ଯ୍ୟ ନାମରେ ଠିକା ସଂସ୍ଥା ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଅଧାପନ୍ତରିଆ କରି ଛାଡି ଦେଇଛନ୍ତି । ଯାହା ଫଳରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣାରେ ନିରିହ ଲୋକଙ୍କ ଜୀବନ ଯାଉଛି । ବିଶେଷ କରି ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବାଲି ବୋଝେଇ ହାଇଓ୍ବା ଯାତାୟତ କରୁଥିବାରୁ ଯାତ୍ରୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ଆଜି ସକାଳୁ ସକାଳୁ ବାଲି ବୋଝେଇ ହାଇଓ୍ବା ଚାପି ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-କୁହୁଡି କାଳ, ବସ-କାର-ବାଇକ ଧକ୍କାରେ ଚାଲିଗଲା 6 ଜୀବନ

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ 9ଟା ସମୟରେ ବଡମ୍ବା ଥାନା ଗୋପ ମଥୁରା ଗ୍ରାମର ଦମ୍ପତି ଗଣେଶ୍ୱର ଲେଙ୍କା ଓ ପ୍ରମିଳା ଲେଙ୍କା ସ୍କୁଟି ଯୋଗେ ଖୋର୍ଦ୍ଧା ଅଭିମୁଖ ଆସୁଥିଲେ । ଏହି ସମୟରେ ରାଜ୍ୟରାଜପଥରେ ପଛପଟୁ ଦ୍ରୁତଗତି ଆସୁଥିବା ଏକ ବାଲି ବୋଝେଇ ହାଇଓ୍ବା ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚଳାଉଥିବା ସ୍ବାମୀ ରାସ୍ତା କଡକୁ ଛିଟିକି ପଡିଯାଇଥିବା ବେଳେ ଚକା ତଳେ ପଡିଯାଇଥିଲେ ସ୍ତ୍ରୀ । ସେହିଠାରୁ ପାଖାପାଖି ୨୦ ମିଟର ପର୍ଯ୍ୟନ୍ତ ହାଇଓ୍ବା ଚକରେ ଘୋଷାଡି ହୋଇଯାଇଥିଲେ ମହିଳା ଜଣଙ୍କ । ଫଳରେ ଘଟଣାସ୍ଥଳରେ ହିଁ ପ୍ରମିଳାଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗ୍ରାମବାସୀ ଦୁର୍ଘଟଣା ସ୍ଥଳରୁ ପହଞ୍ଚି ଆହାତ ଗଣେଶ୍ୱରଙ୍କୁ ଉଦ୍ଧାର କରି ମେଡିକାରେ ଭର୍ତ୍ତି କରିଛନ୍ତି । ପରେ ରାଜ୍ୟ ରାଜ୍ୟ ରାଜପଥରେ ରାସ୍ତାରୋକ କରିଛନ୍ତି । ଏନେଇ ଖବର ପାଇ ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହାଇୱାରେ ବେଧଡକ ବାଲି ଚାଲଣ କରାଯାଉଥିବା ବେଳେ ହାଇୱା ଚାଳକ ମାନେ ମନଇଚ୍ଛା ଦ୍ରୁତଗତିରେ ଗାଡି ଚଳାଇବା କାରଣରୁ ଅନେକ ଜୀବନ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ରାସ୍ତା କାମ ଶୀଘ୍ର ଶେଷ କରିବା ସହ ଦିନ ସମୟରେ ଏହି ରାସ୍ତାରେ ହାଇୱା ଚଳାଚଳରେ ରୋକ ଲଗାଇବା ପାଇଁ ଦାବି ହୋଇଛି । ରାସ୍ତା ଉପରେ ମୃତଦେହ ପଡି ରହିଥିବା ବେଳେ ବାଘମାରି କଣ୍ଟିଲୋ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.