ETV Bharat / state

ଯୌତୁକ ଜୁଇରେ ଜଳିଲା ଜୀବନ, ନବବଧୂକୁ ତଣ୍ଟି ଚିପି ହତ୍ୟା !

author img

By ETV Bharat Odisha Team

Published : Jan 21, 2024, 6:20 AM IST

Murder For Dowry: ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ । ଥାନାରେ ଅଭିଯୋଗ ପରେ ଶାଶୁଘର ଲୋକେ ଫେରାର । ଅଧିକ ପଢନ୍ତୁ

ନବବଧୂକୁ ତଣ୍ଟିଚିପି ହତ୍ୟା
ନବବଧୂକୁ ତଣ୍ଟିଚିପି ହତ୍ୟା

ନବରଙ୍ଗପୁର: ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ବିବାହକୁ ମାତ୍ର ୬ ମାସ ପୁରିଥିବାବେଳେ ଶାଶୁଘର ଲୋକ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ଏନେଇ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଅଭିଯୋଗ ପରେ ଶାଶୁଘର ଲୋକେ ଫେରାର ଥିବା ଜଣାପଡିଛି । ସେପଟେ ମୃତ୍ୟୁର ୨୫ ଘଣ୍ଟା ପରେ ବି ମୃତଦେହ ବ୍ୟବଚ୍ଛେଦ ହୋଇନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ ଜୁଲାଇ ମାସରେ ମାଲକାନଗିରି ଜିଲ୍ଲା ସଦରର ଗୀତା ସେଠୀଙ୍କ ସହ ପାପଡାହାଣ୍ଡି ଗ୍ରାମର ସୁଦାମ ସେଠୀଙ୍କ ବିବାହ ହୋଇଥିଲା । ହେଲେ ଏହି ବିବାହର ୬ ମାସ ମଧ୍ୟରେ ଗୀତାଙ୍କ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଇ ଆସୁଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଏଭଳି ଅକଥନୀୟ ନିର୍ଯାତନା ଯୋଗୁଁ ଗୀତା ନିଜ ବାପଘର ଲୋକଙ୍କୁ କହିବା ସହ ଆଉ ସ୍ୱାମୀ ପାଖକୁ ଯିବି ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ବାପଘର ଲୋକ ଧୀରେ ଧୀରେ ସବୁ ଠିକ ହୋଇଯିବ କହି ଗୀତାଙ୍କୁ ବୁଝାଇ ପାପଡାହାଣ୍ଡି ଶାଶୁଘରକୁ ପଠାଇ ଦେଇଥିଲେ । ଶୁକ୍ରବାର ସକାଳେ ଗୀତା ତାଙ୍କ ଭଉଣୀଙ୍କୁ ଫୋନ କଲ୍ କରି ସ୍ୱାମୀ ମାଡ଼ ମାରୁଥିବା କଥା କହିଥିଲେ । ଏହି ଘଟଣାର ଠିକ ୪ ଘଣ୍ଟା ମଧ୍ୟରେ ହିଁ ସୁଦାମ ଗୀତାଙ୍କ ଘରଲୋକଙ୍କୁ ଫୋନ କଲ୍ କରି ଗୀତା ଜୀବନ ହାରିଥିବା ନେଇ ଜଣାଇଥିଲେ ।

ଖବର ପାଇବା ପରେ ଗୀତାଙ୍କ ବାପଘର ଲୋକେ ମାଲକାନଗିରିରୁ ବାହାରି ପାପଡାହାଣ୍ଡି ପହଞ୍ଚିବା ଭିତରେ ସୁଦାମ ଗୀତାଙ୍କୁ ଆଣି ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରିଥିବା କହିଛନ୍ତି ଗୀତାଙ୍କ ପରିବାର । ସେଠାରେ ଡାକ୍ତର ଗୀତାଙ୍କୁ ମୃତ ଘୋଷଣା କରିଥିଲେ । ଖାଲି ସେତିକି ନୁହେଁ, ଗୀତାଙ୍କ ବାପଘର ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହ ଦେଖିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏନେଇ ଗୀତାଙ୍କ ସ୍ୱାମୀ, ଶାଶୁ, ନଣନ୍ଦ, ଭଣଜାଙ୍କ ନାଁରେ ଯୌତୁକ ନିର୍ଯାତନା ସହ ହତ୍ୟା ଅଭିଯୋଗ ଆଣିଛନ୍ତି ଗୀତାଙ୍କ ମାଆ । ଥାନାରେ ଲିଖିତ ଅଭିଯୋଗ ପରେ ପାପଡାହାଣ୍ଡି ପୋଲିସ ଛାନଭିନ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ...ସୈତାନ ସ୍ୱାମୀ, କାଠଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା

ସେପଟେ ଥାନାରେ ଅଭିଯୋଗ ପରେ ଗୀତାଙ୍କ ଶାଶୁଘର ଲୋକ ଫେରାର ଥିବା ଜଣାପଡିଛି । ହେଲେ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ନକରିବାକୁ ପରିବାର ଲୋକେ ଅଡି ବସିଥିଲେ । ଏହାପରେ ସପ୍ତାହକ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପାପଡାହାଣ୍ଡି ଏସଡିପିଓ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.