ETV Bharat / state

ଅସହ୍ୟ ଖରାରେ ଦାଉ ସାଧୁଛି ଜଳସଙ୍କଟ, ଶୁଖି ଗଲାଣି ନାଳ ଗାଡିଆ - Drinking water problem

author img

By ETV Bharat Odisha Team

Published : Apr 5, 2024, 8:03 AM IST

Etv Bharat
Etv Bharat

Drinking water problem: ଅସହ୍ୟ ଖରା ତାତି ଭିତରେ ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍କଟ ହେଉଛି ପାନୀୟ ଜଳସଙ୍କଟ । ପୋଖରୀ ଗାଡିଆ ସବୁ ଶୁଖି ଯାଉଥିବା ବେଳେ ପାଣି ମୁନ୍ଦାଏ ପାଇଁ ହଇରାଣ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ

ଦାଉ ସାଧୁଛି ଜଳସଙ୍କଟ

ସୁବର୍ଣ୍ଣପୁର: ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା । ଦିନ ୧୧ଟା ପରଠୁ ଆକାଶରୁ ଯେମିତି ଅଗ୍ନି ବର୍ଷୁଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ଦିନ ୧୦ଟା ପରେ ଲୋକ ଘର ବାହାରକୁ ପାଦ କାଢିବାକୁ ଡରୁଛନ୍ତି । ପୂର୍ବାହ୍ନରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ବିଦ୍ୟାଳୟ ଗୁଡିକ ସକାଳ ବେଳା ଖୋଲା ରହୁଥିବା ବେଳେ ଆଗାମୀ ଏପ୍ରିଲ ୮ ତାରିଖରୁ ସରକାରୀ କାର୍ଯ୍ୟାଳୟ ଗୁଡିକ ସକାଳ କାର୍ଯ୍ୟ ଦିବସ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଉ ଏହି ଖରା ତାତି ଭିତରେ ଲୋକଙ୍କୁ ଦାଉ ସାଧୁଛି ଜଳସଙ୍କଟ । ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଉଛି । ଗ୍ରାମାଞ୍ଚଳରେ ବି ପାନୀୟ ଜଳ ସମସ୍ୟା ବଢିବାରେ ଲାଗିଛି । ଅଧିକାଂଶ ପୋଖରୀ ସବୁ ଶୁଖି ଗଲାଣି । ସେହିପରି ନାଳ, ଯୋର ତଥା ଚିରସ୍ରୋତା ମହାନଦୀ ଆଦି ଜଳଉତ୍ସରେ ବି ଜଳ ପ୍ରବାହ ବେଶ୍ କମି ଗଲାଣି ।

ବିଭିନ୍ନ ଅଞ୍ଚଳରେ ଲୋକେ ପାଣି ଟିକିଏ ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଖରା ଯୋଗୁଁ ଲୋକମାନେ ମଧ୍ୟାହ୍ନରେ ଛାଇ ଓ ଥଣ୍ଡା ପାନୀୟ ଉପରେ ନିର୍ଭର କରୁଛନ୍ତି । ତେବେ ଖାଲି ଗ୍ରାମାଞ୍ଚଳ କାହିଁକି ସହାରାଞ୍ଚଳରେ ବି ପାନୀୟ ଜଳର ଅଭାବ ଦେଖିବାକୁ ମିଳୁଛି । ସଦର ମହକୁମାରେ ଥିବା ଅଧିକାଂଶ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନଥିବାରୁ ଲୋକେ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି । ସଦର ମହକୁମାକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବା ଯାତ୍ରୀମାନେ ପାନୀୟ ଜଳ ପାଉନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ଜଳୁଛି ସାରା ଓଡିଶା, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର - Odisha Weather

ଜିଲ୍ଲା ପ୍ରଶାସନ କିଛି ଦିନ ପୂର୍ବରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଥଣ୍ଡା ପାନୀୟ, ପଙ୍ଖା ତଥା ସରକାରୀ କାର୍ଯ୍ୟରେ ଆସୁଥିବା ଜନସାଧାରଣଙ୍କ ପାଇଁ ବିଶ୍ରାମ ସ୍ଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ସେହିପରି ସଦର ପୌର ପରିଷଦକୁ ସହରର ସମସ୍ତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ହେଲେ ପ୍ରଶାସନିକ ନିର୍ଦ୍ଦେଶକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ତେବେ ଆଗକୁ ପ୍ରଚଣ୍ଡ ଖରା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁୁଖୀନ ହେବେ ବୋଲି ଅନୁମାନ କରାଯାଉଥିବା ବେଳେ ଏହି ସମୟରେ ଜନସାଧାରଣଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ଯତ୍ନବାନ ହେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.