ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ନୂଆ ସୁବିଧା, ଗୋଟିଏ ଛାତ ତଳେ ହେବ ୨୦୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ ପରୀକ୍ଷା

author img

By ETV Bharat Odisha Team

Published : Mar 16, 2024, 5:53 PM IST

Capital Hospital
Capital Hospital

Treatment Under One Roof: ଏଣିକି ଗୋଟିଏ ଛାତ ତଳେ ହେବ ୨ ଶହରୁ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା । ବାହାର ରାଜ୍ୟକୁ ସାମ୍ପୁଲ ପଠାଇବାକୁ ପଡିବ ନାହିଁ । ଅଧିକ ପଢନ୍ତୁ

Capital Hospital
Capital Hospital

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ । ଏଣିକି ଗୋଟିଏ ଛାତ ତଳେ ହେବ ୨ ଶହରୁ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା । ବାହାର ରାଜ୍ୟକୁ ସାମ୍ପୁଲ ପଠାଇବାକୁ ପଡିବ ନାହିଁ। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାର। ଏଥିପାଇଁ ୨୧ କୋଟି ୬୧ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ତେବେ ମଞ୍ଜୁର ଅର୍ଥ ଯେପରି ଅଧିକ ନହେବ, ସେଥିପାଇଁ ୨ ବର୍ଷର ଧାର୍ଯ୍ୟ ସମୟ ଭିତରେ ଏହାକୁ ଶେଷ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୨୧ କୋଟି ଟଙ୍କା କେଉଁ ଭଳି ଖର୍ଚ୍ଚ କରାଯିବ ସେ ସମ୍ପର୍କରେ ବିଭାଗ ପକ୍ଷରୁ ବିସ୍ତୃତ ବିବରଣୀ ଦିଆଯାଇଛି। ଜି-୪ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ପାଇଁ ୨ କୋଟିରୁ ଅଧିକ, ଏହାସହ ଆପ୍ରୋଚ୍ ଓ ଇଣ୍ଟରନାଲ ରାସ୍ତା, ଡ୍ରେନ୍, ବିଦ୍ୟୁତ୍‌କରଣ, ସିସିଟିଭି, ଜଳ ଯୋଗାଣ ଓ ଅନ୍ୟାନ୍ୟ ଖର୍ଚ୍ଚ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ପରୀକ୍ଷାଗାର କାମ ସରିବା ପରେ କ୍ୟାନ୍ସର ଓ ଅନ୍ୟ ଭୂତାଣୁଜନିତ ପରୀକ୍ଷା ବି କରାଯିବା ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।


କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, "ପିଜିଆଇଏମଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲକୁ ସରକାରଙ୍କ ଗୁରୁତ୍ବ ଦିଆଯାଇଛି। ରାଜ୍ୟବାସୀ କିପରି ଉତ୍ତମ ସ୍ବାସ୍ଥ୍ୟସେବା‌ ପାଇବେ ସେ ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ନୂଆ ନୂଆ ଯୋଜନାର ଶୁଭାରମ୍ଭ ଏହିଠାରୁ ଆରମ୍ଭ ହେଉଥିବାବେଳେ ଖୁବଶୀଘ୍ର ଯୋଡି ହେବାକୁ ଯାଉଛି ଷ୍ଟେଟ ରେଫରାଲ ଲ୍ୟାବ । ଆସନ୍ତା ମାସରୁ କାର୍ଯ୍ୟ ଆରମ୍ଭ ହେବ। କ୍ୟାପିଟାଲ ହସ୍ପିଟାଲ ପରିସରରେ ହେବ ସ୍ବତନ୍ତ୍ର ପରୀକ୍ଷାଗାର। ଜି -୪ ମହଲା ବିଶିଷ୍ଟ ଏହି ପରୀକ୍ଷାଗାର ପାଇଁ ସ୍ଥାନ ଚିହ୍ନଟ ସରିଛି । ପାଥୋଲାବ ନିକଟରେ ହେବା ନେଇ ସ୍ଥିର ହୋଇଥିବାବେଳେ ଆସନ୍ତା ମାସରୁ ବିଲ୍ଡିଂ କାର୍ଯ୍ୟ ଆରମ୍ଭ ହେବ। ଏନେଇ ସମସ୍ତ କାର୍ଯ୍ୟପନ୍ଥା ସରିଥିବା ନେଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ପାଥୋଲୋଜିରେ ପରୀକ୍ଷା ପାଇଁ ଧାଡିରେ ଅପେକ୍ଷା କରିବାକୁ ପଡୁଛି । କେବଳ ଏତିକି ନୁହେଁ, ବିବରଣୀ ପାଇଁ ଅହେତୁକ ଭିଡ଼ ହେଉଛି । ଏଥିପାଇଁ ଦିନଟିଏ ଲାଗୁଛି ।"

ଏହା ମଧ୍ୟ ପଢନ୍ତୁ...କ୍ୟାପିଟାଲ ହସ୍ପିଟାଲରେ ଗଡି଼ଲା ଇଲେକଟ୍ରିକ ଯାନ, ଏଥର ସହଜରେ ଯିବାଆସିବା କରିପାରିବେ ରୋଗୀ

ନୂଆ ପରୀକ୍ଷାଗାର ହେବା ଦ୍ବାରା ଏହି ସମସ୍ୟା ଦୂର ହେବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ଜନସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ପରୀକ୍ଷା ଏଠାରେ କରାଯିବ। ଚିକିତ୍ସାଳୟ ସମେତ ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିଭିନ୍ନ ରୋଗ ସମ୍ପର୍କିତ ନମୁନାକୁ ଏଠାକୁ ପରୀକ୍ଷା ନିମନ୍ତେ ମଧ୍ୟ ଆସିବ। ସାଧାରଣ ପରୀକ୍ଷା ସହିତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ମଧ୍ୟ ଏଠାରେ କରାଯିବ। ଏହାସହିତ ଡେଙ୍ଗୁ, ମ୍ୟାଲେରିଆ ସହିତ କର୍କଟ ରୋଗ ସମ୍ପର୍କିତ ନମୁନା ସହିତ ସମସ୍ତ ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ନମୁନା ପରୀକ୍ଷା କରାଯିବ । ଗୋଟିଏ ଜାଗାରେ ପରୀକ୍ଷା ସହିତ ସମସ୍ତ କାର୍ଯ୍ୟ କରାଯିବ । ପରୀକ୍ଷାଗାରରେ ବିଶେଷଜ୍ଞଙ୍କ ସହିତ ଅଭିଜ୍ଞ ଲାବ ଟେକ୍ନିସିଆନ୍‌ ଓ ଅନ୍ୟ କର୍ମଚାରୀ କାର୍ଯ୍ୟ କରିବେ। ସେହିପରି ପ୍ରଶାସନିକ ପରିଚାଳନା ପାଇଁ ଅଧିକାରୀ ମଧ୍ୟ ନିଯୁକ୍ତି ହେବେ। ଏହାକୁ ସାଙ୍ଗକୁ ରୋଗର ନିୟନ୍ତ୍ରଣ ଓ କାରଣ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ ଓ ଅନୁସନ୍ଧାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.