ETV Bharat / state

ବିକାଶ ଆଢ଼ୁଆଳରେ ଦମଣ୍ଡା, ସରକାରୀ ଯୋଜନାରୁ ବଞ୍ଚିତ ଜନତା - DAMANDA WATER PROBLEM

author img

By ETV Bharat Odisha Team

Published : May 4, 2024, 5:38 PM IST

People Deprived of Basic Amenities in Boudh: ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଗାଁରେ ନାହିଁ ମୌଳିକ ସୁବିଧା । ଅଧିକ ପଢ଼ନ୍ତୁ

ବିକାଶ ଆଢ଼ୁଆଳରେ ଦମଣ୍ଡା
ବିକାଶ ଆଢ଼ୁଆଳରେ ଦମଣ୍ଡା (Etv Bharat Odisha)

ବିକାଶ ଆଢ଼ୁଆଳରେ ଦମଣ୍ଡା (Etv Bharat Odisha)

ବୌଦ୍ଧ: ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଲାଗି ରହିଛି ଜଳ ସଙ୍କଟ । ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ମାଳମାଳ ଯୋଜନା ଥିବାବେଳେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗରିବ ହିତାଧିକାରୀ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତରେ । ଡହ ଡହ ଖରାରେ ବାଧ୍ୟ ହୋଇ ପାହାଡିଆ ଝରଣାରେ ଚୂଆ ଖୋଳି ପାନୀୟଜଳ ସଂଗ୍ରହ କରୁଛନ୍ତି ଦମଣ୍ଡାବାସୀ ।

ସ୍ବାଧୀନତାର 76 ବର୍ଷ ପରେ ମଧ୍ୟ ଦମଣ୍ଡା ବାସିନ୍ଦାଙ୍କ ପାଇଁ ପାନୀୟ ଜଳ, ମୁଣ୍ଡରେ ଛାତ, ପକ୍କା ରାସ୍ତା, ସ୍ବାସ୍ଥ୍ୟ ସେବା ଏବଂ ଶିକ୍ଷା ପାଲଟିଛି ସାତ ସପନ । ଏହି ଅଞ୍ଚଳଟି ଯେମିତି ଜିଲ୍ଲାର ସାବତ ପୁଅ ହୋଇ ରହିଯାଇଛି । ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ଏସବୁ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ ହୋଇରହିଛି । ଏସବୁ ଦୁର୍ଗମ ଅଞ୍ଚଳରେ ଖରା ଦିନରେ ପାନୀୟ ଜଳ ମୁନ୍ଦାଏ ପାଇଁ ହାହାକାର ପଡ଼ିଯାଏ । ତେବେ ଏହି ଅଞ୍ଚଳରେ ପ୍ରବାହିତ ପାହାଡି ଝରଣାରୁ ସେମାନେ ଚୂଆ ଖୋଳି ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ତେବେ ସ୍ୱଚ୍ଛ ପାନୀୟ ଜଳ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଖରାଦିନ ଆସିଲେ ବ୍ଲକର ଅନେକ ଅଞ୍ଚଳରେ ଦେଖା ଦିଏ ଜଳ କଷ୍ଟ । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । କେବଳ ଖରା ଦିନ କଥା ମୁହେଁ ବରଂ ବର୍ଷ ତମାମ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ ।

ଏହା ମଧ୍ୟ ପଢ଼ନ୍ତୁ.. ପାଣି ସମସ୍ୟା ସମାଧାନ କରିବାକୁ ଯାଇଥିବା ବିଧାୟକଙ୍କୁ IICଙ୍କ ଦୁର୍ବ୍ୟବହାର ଅଭିଯୋଗ - Misbehaving With Kendujhar MLA

କେବଳ ପାନୀୟ ଜଳ ସମସ୍ୟାରେ ଶେଷ ହୋଇଯାଇନି ତାଙ୍କ ଦୁଃଖ । ଯୋଗାଯୋଗର ବିଚ୍ଛିନ୍ନତା କାରଣରୁ ପ୍ରାୟ ପାଞ୍ଚଟି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ହୋଇ ପଡ଼ିଛି ସରକାରୀ ଯୋଜନା । ଏହି ଅଞ୍ଚଳରେ ରହୁଥିବା ଅଧିବାସୀଙ୍କ ନିକଟରେ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଏସବୁ ଅଞ୍ଚଳର ଛୁଆମାନେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଝରଣା ପାର ହୋଇ ମଲ୍ଲିକପଡା ଗ୍ରାମକୁ ଯାଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ତଥା ଗୁହାରି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗତ ପଞ୍ଚାୟତ ନିର୍ବାଚନ ଦମଣ୍ଡାବାସୀ ଭୋଟ ବର୍ଜନ କରିଥିଲେ । ତଥାପି ସେମାନଙ୍କ ଦୁଃଖ ବୁଝି ନଥିଲେ ସରକାର । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କେବେ ଏମାନଙ୍କ ଦୁଃଖ ଦୂର ହେବ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.