ETV Bharat / state

ଥଇଥାନ ଦାବି ନେଇ ଆନ୍ଦୋଳନ ଚେତାବନୀ ଦେଲେ ଉଠା ଦୋକାନୀ ସଂଘ - Street Vendors For Rehabilitation

author img

By ETV Bharat Odisha Team

Published : Apr 19, 2024, 4:20 PM IST

Updated : Apr 19, 2024, 8:38 PM IST

ଉଠା ଦୋକାନୀ ସଂଘ
ଉଠା ଦୋକାନୀ ସଂଘ

Street Vendors demand Rehabilitation: ଥଇଥାନ ନକଲେ ଆନ୍ଦୋଳନକୁ ଓଲ୍ଲାଇବାକୁ ଚେତାବନୀ ଦେଲେ ଶ୍ରୀମନ୍ଦିର ଉଠା ଦୋକାନୀ ସଂଘ । ଅଧିକ ପଢ଼ନ୍ତୁ

ଆନ୍ଦୋଳନ ଚେତାବନୀ ଦେଲେ ଉଠା ଦୋକାନୀ ସଂଘ

ପୁରୀ: ଆନ୍ଦୋଳନ ଚେତାବନୀ ଦେଲେ ଉଠା ଦୋକାନୀ ସଂଘ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଯୋଗୁଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ତେବେ ଉଚ୍ଛେଦ କରିବା ପରେ ସତେ ଯେମିତି ଥଇଥାନ କରିବା ପାଇଁ ଭୁଲି ଯାଇଛନ୍ତି ସରକାର । ପରିକ୍ରମା ପ୍ରକଳ୍ପ ନିର୍ମାଣ ଶେଷ ହୋଇ ଉଦଘାଟନ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇ ନଥିବା କାରଣରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଠା ଦୋକାନୀ ସଂଘ । ତେବେ ତୁରନ୍ତ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ଥଇଥାନ ନକଲେ ଆଗମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ । ଯାହାର ସୂଚନା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି ।

ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ନେଇ 2019ରେ ଶ୍ରୀମନ୍ଦିର ଚାରିପାଖରେ ବସିଥିବା ଉଠା ଦୋକାନୀଙ୍କୁ ସରକାର ଉଚ୍ଛେଦ କରିଥିଲେ । ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ସରକାର ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଉଠା ଦୋକାନୀଙ୍କ ଥଇଥାନ କଥା ସରକାର ଭୁଲି ଯାଇଥିବା ଅଭିଯୋଗ ହୋଇଛି । ବଡ ଦେଉଳର ଚାରି ପାଖରେ ବେପାର କରି ଚଳୁଥିବା ଉଠା ଦୋକାନୀମାନେ ଉଚ୍ଛେଦ ପରେ ରୋଜଗାର ହରାଇ ତଳିତଳାନ୍ତ ହୋଇଗଲେଣି । ଘରେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି । ଔଷଧ ଖାଇବା ପାଇଁ ହାତରେ ଟଙ୍କା ନାହିଁ । ତେବେ 2 ଶହରୁ ଅଧିକ ଉଠା ଦୋକାନୀମାନେ ଦୀର୍ଘ ମାସ ଧରି ଜୀବନ ଜୀବିକା ହରାଇଥିବା ବେଳେ ପ୍ରଶାସନ ନିକଟ ଥଇଥାନ ଦାବି କଲେ କେହି କର୍ଣ୍ଣପାତ କରୁନାହାନ୍ତି । ବଡଦାଣ୍ଡକୁ ଟ୍ରାଫିକ ମୁକ୍ତ କରିବା ପାଇଁ ଉଚ୍ଛେଦ ଉଠା ଦୋକାନୀଙ୍କୁ କ୍ଷତିପୂରଣ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ... କାମରେ ଆସୁନି ବସୁଧା ଯୋଜନା, ପାଣି ପାଇଁ ରାସ୍ତାରୋକ - Drinking Water Problem

ଶ୍ରୀମନ୍ଦିର ଚାରିପାଖ ଉଠା ଦୋକାନୀଙ୍କୁ ଉଚ୍ଛେଦ ପରେ କ୍ଷତିପୂରଣ ଦେବାରେ ସରକାର ପାତରଅନ୍ତର କରୁଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ଜୟନ୍ତ ଦାସ କହିଛନ୍ତି "ବଡଦାଣ୍ଡର ବିକାଶ ନାଁରେ ହଜାର ହଜାର ଉଠା ଦୋକାନୀଙ୍କ ଜୀବନ ଜୀବିକା ଉପରେ ସରକାର ଲାତ ମାରିଛନ୍ତି । ଏହାଦ୍ୱାରା ଉଠା ଦୋକାନୀ ନିଜର ଜୀବିକା ହରାଇ ବହୁ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅର୍ଥ ନଥିବା ବେଳେ ଔଷଧ କିଣିବା ପାଇଁ ବି ଅର୍ଥ ନାହିଁ ।" ଲୋକଙ୍କ ରୋଜଗାର ଛଡ଼ାଇ ନେଇ ରାଜ୍ୟ ସରକାର କି ବିକାଶ କରୁଛନ୍ତି ବୋଲି ବିଜେପି ନେତା ଜୟନ୍ତ ଦାସ ପ୍ରଶ୍ନ କରିଛନ୍ତି । ତେବେ ସରକାର ଉଠା ଦୋକାନୀଙ୍କ ଥଇଥାନ ନେଇ ଶୀଘ୍ର ନିଷ୍ପତ୍ତି ନନେଲେ ଆଗାମୀ ଦିନରେ ଉଠା ଦୋକାନୀ ରାଜରାସ୍ତାରେ ପ୍ରତିବାଦ ପାଇଁ ଓହ୍ଲାଇବେ ବୋଲି ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Apr 19, 2024, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.