ETV Bharat / state

ଏପ୍ରିଲ ୧୬ରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା - RUKUNA RATHA YATRA PREPARATION

author img

By ETV Bharat Odisha Team

Published : Mar 30, 2024, 10:56 PM IST

Updated : Mar 31, 2024, 9:36 AM IST

ଏପ୍ରିଲ ୧୬ରେ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା
ଏପ୍ରିଲ ୧୬ରେ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା

RUKUNA RATHA YATRA PREPARATION: ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ବା ରୁକୁଣା ରଥଯାତ୍ରା ପାଇଁ ବସିଲା ସମନ୍ବୟ ବୈଠକ । ଏପ୍ରିଲ ୧୬ ତାରିଖ ଦିନ ୩ଟା ୩୦ରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ଏପ୍ରିଲ ୧୬ରେ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୬ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା ବା ରୁକୁଣା ରଥଯାତ୍ରା । ଏହି ପବିତ୍ର ରଥଯାତ୍ରାର ପରିଚାଳନା ଓ ଶାନ୍ତି ଶୃଙ୍ଖଳାର ସହ ଯାତ୍ରାର ସମ୍ପାଦନାକୁ ନେଇ ସମନ୍ବୟ ବୈଠକ ଆୟୋଜନ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷ ପରି ଚଳିତ ବର୍ଷର ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହିତ କିଭଳି ପାଳନ କରାଯିବ ସେ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିବା ଆଲୋଚନା କରାଯାଇଛି ।

ସମନ୍ବୟ ବୈଠକ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ରଥ ଅନୁକୂଳ ଓ ନିର୍ମାଣ ନିମନ୍ତେ ପାଳିଆ ମହାରଣାମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି କ୍ରମେ ଗତ ୨୨ ତାରିଖରେ ବଲ୍ଲଭ ଧୂପ ପରେ ରଥ ଅନୁକୂଳ କରାଯାଇଛି । ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ସଂପୂର୍ଣ୍ଣ କରାଯାଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ନିମନ୍ତେ ମହାରଣା ସେବାୟତମାନେ ସମ୍ମତି ପ୍ରଦାନ କରିଛନ୍ତି । ୧୫ ତାରିଖ ଦିନ ରଥ ପ୍ରତିଷ୍ଠା ନିର୍ଦ୍ଧାରିତ ସମୟରେ ଶେଷ ହେବା ସହ ୧୬ ତାରିଖ ଦିନ ସେବା ନୀତି ଯଥାଶୀଘ୍ର ଶେଷ କରାଯାଇ ରଥ ଉପରେ ଆବଶ୍ୟକୀୟ ପୂଜା କରି ନିର୍ଦ୍ଧାରିତ ସମୟରେ ରଥ ଟଣାଯିବା ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

ନୀତି ନିର୍ଘଣ୍ଟ ଅନୁସାରେ ଭିଡକୁ ଦୃଷ୍ଟିରେ ରଖି ଅଶୋକାଷ୍ଟମୀ ଦିନ ଭୋର ୫ ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ପରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବ । ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ୧୨ ଟାରେ ଯାତ୍ରା ପୂଜା ନୀତି କରାଯାଇ ୧୨ ଟା ୩୦ରୁ ଶ୍ରୀଜିଉ ପହଣ୍ଡି ଓ ରଥାରୁଢ଼ ନୀତି ଆରମ୍ଭ ହେବ । ସମସ୍ତ ପୂଜା ବିଧି ପରେ ଶ୍ରୀଜିଉଙ୍କର ରଥ ପୂଜା ୧ ଟା ୩୦ରେ ରଥ ପୂଜା ସହ ୩ ଟା ୩୦ରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଏପ୍ରିଲ ୧୬ରେ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା, ପ୍ରସ୍ତୁତି ନେଇ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ - Lingaraj Rukuna Ratha Yatra 2024

ସେପଟେ ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ପରିଚାଳନା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ସହ ଆଲୋଚନା କରି ଦାୟିତ୍ବ ବଣ୍ଟନ କରାଯାଇଛି । ଏହି ବୈଠକରେ ଭୁବନେଶ୍ବର ମହାନଗର ନିଗମ, ଦମକଳ ବିଭାଗ, କମିଶନେରେଟ ପୋଲିସ, ୱାଟକୋ, ବିଡିଏ, ଟିପିସିଓଡିଏଲ, ପ୍ରତ୍ନତତ୍ତ୍ବ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗକୁ ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ଖରାକୁ ଦୃଷ୍ଟିରେ ରଖି ସମସ୍ତ ସୁବିଧା ହୋଇଛି ଏବଂ ସୁରୁଖୁରୁରେ ରଥଯାତ୍ରା ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସେହିଭଳି ଆଜିର ବୈଠକରେ ଚାରି ନିଯୋଗ ଯେପରିକି ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ ,ବଡୁ ନିଯୋଗ ସହଡାହୁକ ତଥା କାଳିସୀ ସେବାୟତ, ପାଳିଆ ମହାରଣା ସେବାୟତ ଓ ମନ୍ଦିର ପ୍ରଶାସନ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ସହଯୋଗ କରିବା ସାଙ୍ଗକୁ ସୁପରିଚାଳନା ପାଇଁ ଆଲୋଚନା କରି ସହମତି ଜଣାଇଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ୫ ଦିନର ମାଉସୀ ମା' ଘରେ ରହିବା ପରେ ବାହୁଡା ଯାତ୍ରାରେ ଏପ୍ରିଲ ୨୦ ତାରିଖ ଶନିବାର ଦିନ ପୁଣି ଘର ବାହୁଡା ହେବେ ବୋଲି ସୂଚନା ମିଳିଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 31, 2024, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.