ETV Bharat / state

ସଡକ ସୁରକ୍ଷା କାଉନସିଲ ବୈଠକ; ୧୮୫ ଧାରାରେ ମଦ୍ୟପଙ୍କୁ ଧରିବାକୁ ପାଟ୍ରୋଲ ଅଧିକାରୀଙ୍କୁ କ୍ଷମତା

author img

By ETV Bharat Odisha Team

Published : Mar 1, 2024, 10:13 AM IST

ସଡକ ସୁରକ୍ଷା କାଉନସିଲ ବୈଠକ
ସଡକ ସୁରକ୍ଷା କାଉନସିଲ ବୈଠକ

Road Safety Council Meet: ରାଜ୍ୟ ସଡକ ସୁରକ୍ଷା କାଉନସିଲ ବୈଠକ ଅନୁଷ୍ଠିତ । ୨୦୨୩ ମସିହାରେ ରାଜ୍ୟରେ ସଡକ ଦୁର୍ଘଟଣାରେ ପ୍ରାୟ ୫୬୦୦ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ୱର: ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସଡକ ସୁରକ୍ଷା କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଛି । ୨୦୨୩ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୫,୬୦୦ ଜଣ ପ୍ରାଣ ହରାଇଛନ୍ତି । ଏଥିରୁ ୭୦% ହେଉଛନ୍ତି ଯୁବ ବର୍ଗ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ବିଭିନ୍ନ ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟ ଯଥା ସରପଞ୍ଚଙ୍କୁ ସଂଶ୍ଲିଷ୍ଟ କରି ଗ୍ରାମ୍ୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲମେଟ ଆଇନକୁ କଡାକଡି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସଡକ ସୁରକ୍ଷା କାଉନସିଲ ବୈଠକ
ସଡକ ସୁରକ୍ଷା କାଉନସିଲ ବୈଠକ

ସଡକ ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଯୋଗୁଁ ପୋଲିସ ବହୁ ସମୟରେ ଅସୁବିଧାରେ ପଡୁଛି । ତେଣୁ ପୋଲିସ ମହାନିର୍ଦେଶକ ଅରୁଣ ଷଡଙ୍ଗୀ ସମସ୍ତ ଥାନାକୁ ଏହି ବାବଦରେ ନିର୍ଦ୍ଦେଶ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟତଃ ଜାତୀୟ ରାଜପଥ ୧୬ ଓ ଜାତୀୟ ରାଜପଥ ୩୧୬କୁ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । NHAI ଅଧିକାରୀ ଜୁନ ମାସ ଶେଷ ସୁଦ୍ଧା ଏହି ରାସ୍ତାର ଅଡିଟ କରି ଉପଯୁକ୍ତ ସୂଚନା ଫଳକ ଲଗାଇବେ । ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଯେପରି ହ୍ରାସ ପାଇବା ସେଥିପ୍ରତି ପଦକ୍ଷେପ ନେବେ ।

ଉନ୍ନୟନ କମିସନର ଅନୁ ଗର୍ଗ ପ୍ରତିଦିନ ରାଜ୍ୟରେ ପ୍ରାୟ ୧୫ଟି ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି । ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସୁରକ୍ଷା ଅଡିଟ ଶେଷ କରାଯିବ । ଅଡିଟ ରିପୋର୍ଟ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଉନ୍ନୟନ କମିଶନର ଏନେଇ ନିର୍ମାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଏକ ସମୀକ୍ଷା ବୈଠକ ଉନ୍ନୟନ କମିସନରଙ୍କ ଦ୍ୱାରା ୩ ମାସ ପରେ କରାଯିବ । ରାଜପଥ ପାଟ୍ରୋଲର ଅଧିକାରୀଙ୍କୁ ଧାରା ୧୮୫ ଅନୁଯାୟୀ ମଦ୍ୟପ ଗାଡି ଚାଳକଙ୍କୁ ଧରିବା ପାଇଁ କ୍ଷମତା ମିଳିବ । କୋରାପୁଟ ଜିଲ୍ଲା, ବିଜୁ ଏକ୍ସପ୍ରେସ ରାସ୍ତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ରାଜପଥ ପେଟ୍ରୋଲ ଯାନ ମୁତୟନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟ କ୍ୟାବିନେଟ; ୩ ବିଭାଗର ୮ ପ୍ରସ୍ତାବରେ ମୋହର


ବିଭିନ୍ନ ରାସ୍ତା ନିର୍ମାଣକାରୀ ବିଭାଗ ରାସ୍ତା ନିର୍ମାଣ ସମୟରେ ସିସିଟିଭି ସର୍ଭିଲାନ୍ସ ପାଇଁ ଅର୍ଥ ବ୍ୟବସ୍ଥା ରଖିବେ । ଆଇଆଇଟି ଭୁବନେଶ୍ୱର ସହାୟତାରେ ଘାଟି ଅଞ୍ଚଳରେ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ପ୍ରକଳ୍ପ ଲାଗୁ କରାଯିବ । ଯାହାଫଳରେ ବୁଲାଣି ରାସ୍ତାରେ ଗାଡିମାନେ ସୂଚନା ପାଇ ସତର୍କ ହୋଇପାରିବେ । ଉଭୟ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସକୁ ଏକୀକୃତ କରାଯିବ । ଏକ ମୋବାଇଲ ଆପ୍ଲିକେସନ ଦ୍ୱାରା ସମସ୍ତ ଏମର୍ଜେନ୍ସି କେୟାର ସର୍ଭିସ ଏକୀକୃତ ହେବେ । ଫଳରେ ଦୁର୍ଘଟଣା ଘଟିବା ପରେ ନିକଟସ୍ଥ ଡାକ୍ତରଖାନାକୁ ତୁରନ୍ତ ସୂଚନା ଯିବ । ଏହି ଆପ୍ଲିକେସନ ଏକ ମାସ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥରେ ଗୃହପାଳିତ ପଶୁଙ୍କର ଅବାଧ ଚଳପ୍ରଚଳନକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନଗୁଡିକରେ ତାର ବାଡ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇ-ଚାଲାଣ ଆଦାୟକୁ ତ୍ୱରାନ୍ୱିତ କରିବା ପାଇଁ ଇ-ସମନ ପ୍ରଚଳନ କରିବା ଦିଗରେ ପ୍ରସ୍ତାବ ରଖାଯାଇଛି ।

ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିସନର ଅମିତାଭ ଠାକୁର, ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି, ଟ୍ରକ ଓ ବସ ସଂଘର କର୍ମକର୍ତ୍ତାଙ୍କ ସମେତ ନିର୍ମାଣ, ଆଇନ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.