ETV Bharat / state

ରାୟଗଡା ପ୍ରଶାସନର ନିଆରା ପ୍ରୟାସ, ନୂଆ ଭୋଟରଙ୍କୁ ପଠାଯିବ ନିମନ୍ତ୍ରଣପତ୍ର - Odisha Assembly Election 2024

author img

By ETV Bharat Odisha Team

Published : May 1, 2024, 5:54 PM IST

General Election 2024
General Election 2024

General Election 2024: ରାୟଗଡ଼ା ଜିଲ୍ଲାର ୨୦ ହଜାର ନୂତନ ଯୁବ ଭୋଟରଙ୍କୁ ମତଦାନ ନିମନ୍ତେ ସଚେତନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଭୋଟରଙ୍କ ନିକଟକୁ ପଠାଯିବ ନିମନ୍ତ୍ରଣପତ୍ର । ଅଧିକ ପଢ଼ନ୍ତୁ,

General Election 2024

ରାୟଗଡ଼ା: ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଗଣତନ୍ତ୍ରର ବଡ଼ ପର୍ବ । ଯାହା ପାଇଁ ଚାଲିଛି ପ୍ରସ୍ତୁତି । ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ନିଆରା ପଦକ୍ଷେପ । ଯେଉଁଥିରେ ଜିଲ୍ଲାରେ ଥିବା ୨୦ ହଜାର ନୂତନ ଯୁବ ଭୋଟରଙ୍କ ନିକଟକୁ ପଠାଯିବ ନିମନ୍ତ୍ରଣ ପତ୍ର। ଗତକାଲି ମଙ୍ଗଳବାର ଏହି ନିମନ୍ତ୍ରଣ ପତ୍ରର ଶୁଭାରମ୍ଭ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ।

ରାୟଗଡା ଜିଲ୍ଲାରେ ଶତପ୍ରତିଶତ ମତଦାନ ପାଇଁ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପ ନେଉଛି ଜିଲ୍ଲା ପ୍ରଶାସନ । ଯୁବ ଭୋଟରଙ୍କୁ ମତଦାନ ନିମନ୍ତେ ସଚେତନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଭୋଟରଙ୍କ ପାଖକୁ ପଠାଇବେ ନିମନ୍ତ୍ରଣ ପତ୍ର । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ରାୟଗଡ଼ାର ୩ଟି ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନରେ ମତଦାନ ହାର ଶତପ୍ରତିଶତ ହେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତା ମେ ୧୩ରେ ରାୟଗଡ଼ାର ତିନି ବିଧାନସଭା ଆସନ ରାୟଗଡ଼ା, ବିଷମକଟକ ଓ ଗୁଣପୁର ସହ ଅବିଭକ୍ତ କୋରାପୁଟ ଜିଲ୍ଲା ଲୋକସଭା ଆସନ ପାଇଁ ମତଦାନ ହେବ । ଯୁବ ଭୋଟରଙ୍କୁ ମତଦାନ ପାଇଁ ଉତ୍ସାହିତ କରିବାକୁ ପ୍ରଶାସନ ପକ୍ଷରୁ ସବୁ କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ଭୋଟଦାନ ସମ୍ପର୍କରେ ସଚେତନ କରାଯାଇଥିଲା । ଚଳିତ ୨୦୨୪ ନିର୍ବାଚନ ମତଦାନ ପାଇଁ ପ୍ରଶାସନ ଭୋଟକଙ୍କୁ ଗୁରୁତ୍ବ ଦେଇଛି । ପ୍ରଥମ ଥର ଭୋଟର ତାଲିକାରେ ନାମ ପଞ୍ଜିକରଣ କରିଥିବା ଭୋଟର ନିକଟକୁ ନିମନ୍ତ୍ରଣପତ୍ର ପଠାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.. ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ; ମତଦାତାଙ୍କୁ ମିଳିବ ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକା - Essential Information To Voters

ଏଥିପାଇଁ ପ୍ରାୟ ୨୦ ହଜାର ନିମନ୍ତ୍ରଣ ପତ୍ର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀର ଯୁବ ଭୋଟରଙ୍କ ପାଖକୁ ପଠାଇ ସେମାନଙ୍କୁ ଭୋଟ ଦାନ କରିବା ପାଇଁ ଉତ୍ସାହିତ କରୁଛି ପ୍ରଶାସନ । ମତଦାନର ୫ ଦିନ ପୂର୍ବରୁ ନୂଆ ଭୋଟରଙ୍କ ପାଖରେ ଏହି ନିମନ୍ତ୍ରଣ ପତ୍ର ପହଞ୍ଚିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏହା ପୂର୍ବରୁ ଡଙ୍ଗରିଆ ଓ ଲାଞ୍ଜିଆ ସଉରାଙ୍କ ଚିତ୍ରକଳାରେ ଇଡିତାଲ ଲୋଗୋ ଉନ୍ମୋଚନ କରି ଭୋଟରଙ୍କୁ ମତଦାନ ପାଇଁ ଆକୃଷ୍ଟ କରାଯାଇଥିଲା ।

ସେହିଭଳି ଗୁଣପୁରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ରାୟଗଡା ଉପଖଣ୍ଡରେ ବାଉଁଶପାତିରେ ନିର୍ମିତ ବିଞ୍ଚଣାରେ ବିଭିନ୍ନ ଭୋଟର ସଚେତନତା ବାର୍ତ୍ତା ଛପାଯାଇ ବଣ୍ଟନ କରାଯାଇଛି । ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଉପ-ଜିଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ନିର୍ବାଚନ ଅଧିକାରୀ ସୂର୍ଯ୍ୟମଣି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୨୦୨୪ ନିର୍ବାଚନରେ ରାୟଗଡ଼ା, ବିଷମକଟକ ଓ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ୭ ଲକ୍ଷ ୧୩ ହଜାର ୧୫୩ ଜଣ ଭୋଟର ନିଜର ମତଦାନ କରିବେ । ସେଥି ମଧ୍ୟରେ ୩ ଲକ୍ଷ ୩୫ ହଜାର ୯୭୭ ଜଣ ପୁରୁଷ ଭୋଟର ଓ ୩ ଲକ୍ଷ ୭୬ ହଜାର ୯୮୮ ମହିଳା ଭୋଟର ଅଛନ୍ତି । ଜିଲାରେ କିନ୍ନର ଭୋଟରଙ୍କ ସଂଖ୍ୟା ୧୮୮ ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.