ETV Bharat / state

ଆଜି ମା' ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ, ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ - Rajarajeswari Besha

author img

By ETV Bharat Odisha Team

Published : Apr 9, 2024, 2:03 PM IST

RAJARAJESWARI BESHA
RAJARAJESWARI BESHA

Maa Mangala Rajarajeswari Besha: ଚୈତ୍ର ମାସ ତୃତୀୟ ମଙ୍ଗଳବାରରେ ମା' ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' । ଅଧିକ ପଢନ୍ତୁ

RAJARAJESWARI BESHA

ନିମାପଡା: ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର । ଉତ୍ସବ ମୁଖର ରହିଛି ମା' ମଙ୍ଗଳାଙ୍କ ଶକ୍ତିପୀଠ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳା । ମା'ଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଭକ୍ତ । ସୋମବାର ରାତ୍ର 1ଟା 30ରେ ମା'ଙ୍କ ଦ୍ୱାର ଫିଟା ସମ୍ପନ୍ନ ହୋଇଥିଲା । ଏହାପରେ ମଙ୍ଗଳ ଆରତୀ, ସ୍ନାନ, ମାର୍ଜନା, ବେଶ କରାଯିବା ପରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ବଲ୍ଲଭ ଭୋଗ ସମର୍ପିତ ହୋଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣ ମେଲା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ମା' ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଲେ ମା’ - Chaiti Parba At Tarini Temple

ମା'ଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କରିବାକୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ବିଶ୍ୱାସ ରହିଛି ଆଜିର ଦିନରେ ମା'ଙ୍କୁ ଦର୍ଶନ କଲେ ଅନେକ ଗ୍ରହ ରିଷ୍ଟ ଖଣ୍ଡନ ହେବା ସହିତ ମନୋସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ଶ୍ରଦ୍ଧାଳୁମାନେ ଭୋଗ, ଫୁଲ, ଧୂପ ଦୀପ ଦେଇ ପୂଜା କରିବା ସହିତ ଚର୍ମଚକ୍ଷୁରେ ମା'ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଧାଡି ଦର୍ଶନରେ ଭକ୍ତମାନେ ପୂର୍ବ ଦ୍ୱାରର ସିଂହ ପାର୍ଶ୍ଵ ଦେଇ ଯାଇ ଦର୍ଶନ କରିବା ସହ ବିପରୀତ ପାର୍ଶ୍ୱରେ ଫେରୁଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତମ୍ବୁର ବ୍ୟବସ୍ଥା ମଧ୍ୟ କରାଯାଇଛି । କାକଟପୁର ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖାଯାଇଛି । ରାଜରାଜେଶ୍ୱରୀ ବେଶରେ, ସୁନା ଅଳଙ୍କାରରେ ଅଳଙ୍କୃତ ହୋଇ ମା' ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଚୈତ୍ର ମାସ ଅବସରରେ ଆଜିଠୁ କେନ୍ଦୁଝରର ମା’ ତାରିଣୀଙ୍କ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ ହୋଇଛି । ଏହାକୁ ନେଇ ଚଳଞ୍ଚଳ ହୋଇଉଠିଛି କେନ୍ଦୁଝର ଘଟଗାଁ ପୀଠ । ସକାଳୁ ମା’ଙ୍କ ଶାବରୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ଆଳତୀ ପରେ ଭକ୍ତଜନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା' । ମା'ଙ୍କ ଏହି ବେଶ ଦର୍ଶନ ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.