ETV Bharat / state

ସମ୍ବଲପୁର IIM ନୂଆ କ୍ୟାମ୍ପସ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ

author img

By ETV Bharat Odisha Team

Published : Feb 3, 2024, 1:15 PM IST

Updated : Feb 3, 2024, 2:18 PM IST

PM Modi Sambalpur Visit: ସମ୍ୱଲପୁରରେ IIMର ନୂଆ କ୍ୟାମ୍ପସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଉପସ୍ଥିତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ସାମିଲ । ଅଧିକ ପଢନ୍ତୁ

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡା: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବାୟୁସେନାର ବିମାନରେ ଅପରାହ୍ନ 1ଟା 10 ମିନିଟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ହେଲିକପ୍ଟରରେ ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆଇଆଇଏମ କ୍ୟାମ୍ପସରେ ପହଞ୍ଚିଥିଲେ । ଏଠାରେ ସେ ପ୍ରଥମେ ୪୦୦ କୋଟିର ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ କିଛି ମନ୍ତ୍ରୀ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ମୁଁ ସମ୍ବଲପୁର ଗସ୍ତରେ ଅଛି । ସେଠାକାର ଲୋକଙ୍କୁ ଭେଟିବା ପାଇଁ ଉତ୍ସାହିତ । ୬୮ ହଜାର କୋଟିର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଲୋକାର୍ପଣ କରି ମୁଁ ଖୁସି ହେବି । ଆଇଆଇଏମ୍-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟିତ ହେବ । ଯାହା ଶିକ୍ଷାଗତ ଭିତ୍ତିଭୂମିରେ ମଧ୍ୟ ଉନ୍ନତି ଆଣିବ ।"

ସୁରକ୍ଷା ବ୍ୟବସ୍ଥା କଡାକଡି: ପ୍ରଧାନମନ୍ତ୍ରୀ ଓଡିଶାରେ ପହଞ୍ଚି ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୭୦ ପ୍ଲାଟୁନ ପୋଲିସ, ୨ ଜଣ ରେଞ୍ଜ ଆଇଜି, ୪ ଜଣ ଏସପି, ୭ କମାଣ୍ଡାଣ୍ଟ ଓ ୨୫୦ ଅଫିସର ନିୟୋଜିତ ହୋଇଛନ୍ତି ।

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ପ୍ରଧାନମନ୍ତ୍ରୀ ସମ୍ବଲପୁରରୁ ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ୪୧୨ କିଲୋମିଟର ବିଶିଷ୍ଟ ଧାମରା-ଅନୁଗୋଳ ପାଇପଲାଇନ ସେକ୍ସନକୁ ଉଦଘାଟନ କରିବେ । ଏହି ପ୍ରକଳ୍ପ ପାଇଁ ୨୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିସହ ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପ ଲାଇନର ୬୯୨ କିଲୋମିଟର ବିଶିଷ୍ଟ ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନର ଶିଳାନ୍ୟାସ କରିବେ । ଏଥିପାଇଁ ୨୬୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଉକ୍ତ ଦୁଇ ପ୍ରକଳ୍ପ ଦ୍ବାରା ଓଡ଼ିଶାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ୧୫.୨ ଲକ୍ଷ ଦିନରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଗେଲ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏଠାରୁ ପ୍ରାୟ ୨୮ ହଜାର ୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ୨୧୧୦ କୋଟି ଟଙ୍କାର ୩ ଏନଏଚ ପ୍ରକଳ୍ପ ମଧ୍ୟ ଭେଟି ଦେବେ ।

Last Updated :Feb 3, 2024, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.