ETV Bharat / state

ରାଜ୍ୟବାସୀଙ୍କୁ କଲବଲ କରିବ ଅସହ୍ୟ ତାତି, 17ରୁ ନିସ୍ତାର ନାହିଁ ! - Odisha Weather

author img

By ETV Bharat Odisha Team

Published : Apr 15, 2024, 5:48 PM IST

ରାଜ୍ୟବାସୀଙ୍କୁ କଲବଲ କରିବ ଅସହ୍ୟ ତାତି, 17ରୁ ନିସ୍ତାର ନାହିଁ !
ରାଜ୍ୟବାସୀଙ୍କୁ କଲବଲ କରିବ ଅସହ୍ୟ ତାତି, 17ରୁ ନିସ୍ତାର ନାହିଁ !

Odisha Weather Update: ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ୧୭ରୁ ୨୦ ଯାଏଁ ତାତିରୁ ନିସ୍ତାର ନାହିଁ । ଅଧିକ ପଢ଼ନ୍ତୁ

ରାଜ୍ୟବାସୀଙ୍କୁ କଲବଲ କରିବ ଅସହ୍ୟ ତାତି, 17ରୁ ନିସ୍ତାର ନାହିଁ !

ଭୁବନେଶ୍ବର: ଜଳୁଛି ସାରା ଓଡିଶା । ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା । ୧୭ ରୁ ୨୦ ଯାଏଁ ତାତିରୁ ନିସ୍ତାର ନାହିଁ । ବିଶେଷ କରି ୧୭ରୁ ରାଜ୍ୟରେ ସ୍ଥିତି ସଂଘାତିକ ହେବ । ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଫଳରେ ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ । ଫଳରେ ୨୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାସହ ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ଧୀରେ ଧୀରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ଖରାର ପ୍ରଭାବ ଅଧକ ରହିବ ।

ତେବେ ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଆଗାମୀ ୨୪ ଘଣ୍ଟା ଯାଏଁ ସମ୍ପୂର୍ଣ ଉତ୍ତର ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ସ୍ଥିତି ରହିବ । କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, କଟକ, ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ଵର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼, ଅନୁଗୋଳ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସବୁଠି ଗ୍ରୀଷ୍ମ ପ୍ରବାହ ବଢିବା ଫଳରେ ଏହା ଶରୀର ପାଇଁ ଘାତକ ହେବ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଶିଶୁ, ରୋଗଗ୍ରସ୍ତ ବ୍ୟକ୍ତି, ବରିଷ୍ଠ ନାଗରିକ ଓ ଗର୍ଭବତୀ ମହିଳାମାନଙ୍କୁ ଏହି ସମୟରେ ବାହାରକୁ ଯିବା ପାଇଁ ବାରଣ କରିଛି ବିଭାଗ । ସବୁଠାରୁ ବଡ଼ ପରାମର୍ଶ ରହିଛି ନିର୍ବାଚନ ସମୟରେ ନିର୍ବାଚନ ମେଳି ଓ ଶୋଭାଯାତ୍ରାକୁ ବାରଣ କରିବାକୁ କୁହାଯାଇଛି । ଏହାସହ ପିକ୍‌ ସମୟରେ ଘରୁ ବାହାରିବା ସମୟରେ ଛତା ଜୋତା ଓ ପାଣି ବୋତଲ ପରି ଅବଶ୍ୟକୀୟ ସାମଗ୍ରୀ ସାଥିରେ ନେବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ଚାଷୀମାନଙ୍କୁ ଗଛରେ ପର୍ୟାପ୍ତ ପାଣି ଦେବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଜଳୁଛି ଓଡ଼ିଶା ! ଆଗାମୀ ୪ ଦିନରେ ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ - Odisha Weather


ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତ ପାଗ ଶୁଖିଲା ରହିବା ସହ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ପାଖାପାଖି ୧୦ ସହରରେ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି ।

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର: ୪୧.୨°C
ଚାନ୍ଦବାଲି: ୪୧.୧°C
ଝାରସୁଗୁଡା: ୪୧°C
ବାଲେଶ୍ୱର: ୪୦°C
ହୀରାକୁଦ: ୩୯.୫°C
ସମ୍ବଲପୁର: ୩୯.୪°C
ରାଉରକେଲା: ୩୯.୨°C
କେନ୍ଦୁଝର: ୩୮.୯°C
ଗୋପାଳପୁର: ୩୫.୫°C
ପାରାଦ୍ବୀପ: ୩୫.୨°C
ପୁରୀ: ୩୫°C

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.