ETV Bharat / state

ବଦଳିଲା ରାଜ୍ୟରେ ପାଣିପାଗ, ତାତିରେ ଲାଗିଲା ବ୍ରେକ୍

author img

By ETV Bharat Odisha Team

Published : Feb 23, 2024, 7:48 PM IST

ବଦଳିଲା ରାଜ୍ୟରେ ପାଣିପାଗ
ବଦଳିଲା ରାଜ୍ୟରେ ପାଣିପାଗ

Odisha Weather Update: ତାତିରେ ଲାଗିଲା ବ୍ରେକ୍ । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ଅନୁଭୁତ ହୋଇଛି । ଅଧିକ ପଢ଼ନ୍ତୁ,

ବଦଳିଲା ରାଜ୍ୟରେ ପାଣିପାଗ

ଭୁବନେଶ୍ବର: ତାତିରେ ଲାଗିଲା ବ୍ରେକ୍ । କମିଲା ଖରା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ଅନୁଭୁତ ହୋଇଛି । ପଶ୍ଚିମ ଝଡ ପ୍ରଭାବରେ ଆଜିଠାରୁ ରାଜ୍ୟର ପାଗରେ ପରିବର୍ତ୍ତନ ଦେଖାଦେଇଛି। ଆସନ୍ତା କାଲିଠାରୁ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଛି । ଗତ ତିନିଦିନ ଧରି ରାଜ୍ୟରେ ବଢୁଥିବା ତାତିରେ ବ୍ରେକ୍ ଲାଗିଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି।

ଆସନ୍ତାକାଲି ପଶ୍ଚିମ ଝଡର ସର୍ବାଧିକ ପ୍ରଭାବ ରହିବ। ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହାସହ ଦେବଗଡ, ସୁନ୍ଦରଗଡ, ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଓଡ଼ିଶାର ଅନ୍ୟାନ ଜିଲ୍ଲାରେ ପାଗ ଶୁଖିଲା ରହିବ। ୨୫ ତାରିଖରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ରାୟଗଡା, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ହାଲୁକା ବର୍ଷା ହେବ।

ଏହା ମଧ୍ୟ ପଢ଼ନ୍ତୁ.... ରାଜ୍ୟରେ ଡହ ଡହ ଖରା ସହ ବଢୁଛି ତାପମାତ୍ରା, କାଲିଠୁ ବର୍ଷା ସମ୍ଭାବନା

୨୬, ୨୭ ଏବଂ ୨୮ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମ ରହିଲେ ମଧ୍ୟ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅନ୍ୟପଟେ ବର୍ଦ୍ଧିତ ଖରାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଅଂଶୁଘାତ ନିରାକରଣର ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯାଇଛି। ୧୦ଟି ବେଡ ଯୁକ୍ତ ସ୍ବତନ୍ତ୍ର ସହ ହିଟ ଷ୍ଟ୍ରୋକ ୱାର୍ଡ ବା ଅଂଶୁଘାତ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ଓଆରଏସ ଓ ମେଡିସିନ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ଏଥିସହ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି । ଆବଶ୍ୟକତା ନଥିଲେ ଲୋକ ମାନେ ଘର ବାହାରକୁ ନବାହାରିବା, ବାହାରକୁ ଯିବା ସମୟରେ ଛତା ଓ ପାଣି ବୋତଲ ସହ ସତର୍କତାର ସହ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.