ETV Bharat / state

ପୋଲ ଧାରରେ ଚାଲୁଛି ଜୀବନ, ସୁକୁ ପୋଲ ନିର୍ମାଣକୁ ନେଇ ଜବାବ ମାଗିଲେ NHRC

author img

By ETV Bharat Odisha Team

Published : Feb 12, 2024, 10:25 PM IST

Etv Bharat
Etv Bharat

NHRC Seeks Report From Odisha Chief Secy: କୋଲାବ ଜଳଭଣ୍ଡାର ଉପରେ ସଡକ ପୋଲ ନିର୍ମାଣକୁ ନେଇ ଜବାବ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ । ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ନିର୍ଦେଶ । ଅଧିକ ପଢନ୍ତୁ

ପୋଲ ଧାରରେ ଚାଲୁଛି ଜୀବନ , ସୁକୁ ପୋଲ ନିର୍ମାଣକୁ ନେଇ ଏନଏଚଆରସି ମାଗିଛି ଜବାବ

କୋରାପୁଟ: କୋଲାବ ଜଳଭଣ୍ଡାର ଉପରେ ସଡକ ପୋଲ ନିର୍ମାଣକୁ ନେଇ ଜବାବ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ । ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ କୋରାପୁଟ ଜିଲ୍ଲାପାଳଙ୍କୁ ଦିଆଯାଇଛି ସମୟ । ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନଏଚଆରସିରେ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ ଯେ, କୋରାପୁଟରୁ ବିଶାଖାପାଟଣା ମଧ୍ୟ ଦେଇ ଯାଇଥିବା ରେଳପୋଲକୁ ବ୍ୟବହାର କରି କୋଲାବ ଜଳଭଣ୍ଡାର ଉପର ଦେଇ ବିପଦଜନକ ଭାବେ ୫ଟି ପଞ୍ଚାୟତର ସ୍ଥାନୀୟ ଲୋକମାନେ ଯାତ୍ରା କରିଥାନ୍ତି । ବଡସୁକୁ, ଉମ୍ବେଲ, ବନମାଳିପୁଟ, କୁମାରଗନ୍ଧଣା ଓ ଟିକରପଡା ପଞ୍ଚାୟତର ଶହ ଶହ ପରିବାର ପାଇଁ ଏହି ପୋଲ ଜୀବନଯାତ୍ରାର ଏକ ଅଭିନ୍ନ ଅଙ୍ଗ । ଜିଲ୍ଲା ସଦର ମହକୁମା କୋରାପୁଟକୁ ଯେକୌଣସି କାର୍ଯ୍ୟରେ ଆସିବାକୁ ହେଲେ ଏହି ବାଟ ବ୍ୟତୀତ ସେମାନଙ୍କୁ 50-60 କିଲୋମିଟର ବୁଲାଣି ରାସ୍ତାରେ ନନ୍ଦପୁର ବାଟ ଦେଇ ଆସିବାକୁ ହୋଇଥାଏ । ତେଣୁ ପ୍ରାଣବିକଳରେ ଭଗବାନଙ୍କୁ ଡାକି ଡାକି ପ୍ରତିଦିନ ଚାଲି ଚାଲି ହେଉ ବା ମଟରସାଇକେଲ ଯୋଗେ ହେଉ ଏହି ପୋଲ ଉପର ଦେଇ ଚଳପ୍ରଚଳ କରିବା ପାଇଁ ବାଧ୍ୟ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଏଗାର ଆହତ

ଏପରିକି ଅନେକ ସମୟରେ ମଟର ସାଇକଲ ପୋଲ ଉପରୁ ପାଣି ମଧ୍ୟକୁ ଖସିଯାଇଛି । ତେବେ ବର୍ଷ ବର୍ଷ ଧରି ରେଳ ପୋଲ ପାର୍ଶ୍ବ ଦେଇ ଗାଡି ମଟର ଯାଇପାରୁଥିବା ଏକ କଂକ୍ରିଟ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇଆସିଛି । ଅନେକବାର ରେଳରୋକ ଭଳି ଆନ୍ଦୋଳନାତ୍ମକ ପନ୍ଥା ନିଆଯିବା ପରେ ଏକ ବ୍ରିଜ ନିର୍ମାଣ କରିବା ନେଇ ଗତ ନିର୍ବାଚନ ପୂର୍ବବର୍ତ୍ତୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲା ଯୋଜନା ବୋର୍ଡରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନା କରାଯିବା ପରେ ବିଜୁ ସେତୁ ଯୋଜନାରେ ରାଜ୍ୟ ସରକାର 82 କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ଓ ଏଦିଗରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପାଡାଲ୍ ଜଣାଇଛନ୍ତି । କିଛିଦିନ ମଧ୍ୟରେ ବ୍ରିଜ କାର୍ଯ୍ୟ ଆରମ୍ଭ ହୋଇଯିବ ଏବଂ ଲୋକଙ୍କ ଯାତାୟାତ ର ସମସ୍ୟା ଦୂର ହୋଇପାରିବ ବୋଲି ପାଡାଲ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.