ETV Bharat / state

ରତ୍ନଭଣ୍ଡାର ଅଳଙ୍କାର ତଦାରଖ ପାଇଁ କମିଟି ଗଠିତ; ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ

author img

By ETV Bharat Odisha Team

Published : Feb 29, 2024, 1:34 PM IST

Updated : Feb 29, 2024, 3:55 PM IST

High Level Committee for Puri Ratna Bhandar Inspection: ପୁରୀ ରତ୍ନ ଭଣ୍ଡାର ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ । କମିଟିର ଅଧ୍ୟକ୍ଷ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ । ଅଧିକ ପଢନ୍ତୁ,

ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସଙ୍ଗ
ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସଙ୍ଗ

ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସଙ୍ଗ

ଭୁବନେଶ୍ବର/ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ବଡ଼ ପଦକ୍ଷେପ । ରତ୍ନଭଣ୍ଡାର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ହୋଇଛନ୍ତି ।

ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ । ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ, 4 ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତ ହେବେ

ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା, ସେ ଏହି କମିଟିର ଉପାଧ୍ୟକ୍ଷ ଅଛନ୍ତି । ସେହିପରି ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡ. ବିଧୁଭୁଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ ସାବତ, ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ସେବକ ପ୍ରତିନିଧି ମାଧବ ଚନ୍ଦ୍ର ମହାପାତ୍ର, ସେବକ ପ୍ରତିନିଧି ଜଗନ୍ନାଥ କର, ଭଣ୍ଡାର ମେକାପ ସେବକ ଗଣେଶ ମେକାପ ଏବଂ ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିରର ଉପମୁଖ୍ୟ ପ୍ରଶାସକ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସଦସ୍ୟ ତଥା ଆବାହକ ଭାବରେ କାର୍ଯ୍ୟ କରିବେ । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ । ଆଗାମୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରରେ ଅବସ୍ଥାନ କରୁନଥିବା ବେଳେ ରତ୍ନ ଭଣ୍ଡାର ଖୋଲାଯିବା ଉପଯୁକ୍ତ ସମୟ ହେବ ବୋଲି ସେବାୟତ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମନ୍ଦିରର ଉନ୍ନତି ଓ ସୁରକ୍ଷା ପାଇଁ ସବୁବେଳେ ଚେଷ୍ଟିତ। ଏଣୁ ରତ୍ନଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି ଭଲରେ ହେବ ବୋଲି କହିଛନ୍ତି ମନ୍ଦିର ସେବାୟତ ।

ପ୍ରକାଶଥାଉକି, ରତ୍ନଭଣ୍ଡାରର ସମ୍ପତ୍ତି ତାଲିକା ପ୍ରସ୍ତୁତ ଏବଂ ରତ୍ନଭଣ୍ଡାର ଭିତର କାନ୍ଥର ମରାମତି ପ୍ରସଙ୍ଗରେ ପରିଚାଳନା କମିଟି, ଗତ ଅଗଷ୍ଟ 4ରେ ଗ୍ରହଣ କରିଥିବା ପ୍ରସ୍ତାବ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ସୁରକ୍ଷା ଏବଂ ପରିଚାଳନା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିଶ୍ବାସକୁ ନେବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଥିଲେ କୋର୍ଟ । କୋଟି କୋଟି ଲୋକଙ୍କର ଶ୍ରୀମନ୍ଦିର ଉପରେ ଗଭୀର ଆସ୍ଥା ରହିଥିବାରୁ ASI ଏବଂ SJTMC ମିଳିତ ଭାବରେ ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗରେ କାର୍ଯ୍ୟ କରିବେ ବୋଲି କୋର୍ଟ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

Last Updated :Feb 29, 2024, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.