ETV Bharat / state

ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ, 4 ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତ ହେବେ

author img

By ETV Bharat Odisha Team

Published : Feb 16, 2024, 8:37 PM IST

Ratna Bhandar Issue in High Court: ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ 4 ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ । ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ ଭାବେ କରାଯିବ ନିଯୁକ୍ତି । ଅଧିକ ପଢ଼ନ୍ତୁ

ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ
ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ

କଟକ: ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ । ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ 4 ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ । ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ ଭାବେ କରାଯିବ ନିଯୁକ୍ତି । ଏନେଇ ହାଇକୋର୍ଟଙ୍କୁ ଆଜି ଅବଗତ କରିଛନ୍ତି ରାଜ୍ୟ ସରକାର । ଗତ ୧୨ ତାରିଖରେ ମନ୍ଦିର ପ୍ରଶାସନର ଚିଠି ଆସିଥିଲା । ଏହା ପୂର୍ବରୁ ଚିଠି ମିଳିବାର 2 ମାସ ମଧ୍ୟରେ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମାମଲାର ଶୁଣାଣି ଆଜି ପୁଣିଥରେ ହାଇକୋର୍ଟରେ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ ନକରିବାରୁ ଆବେଦଦନକାରୀ 'ମିସ୍‌ କେସ' ଦାୟର କରିଥିଲେ । ଅଦାଲତଙ୍କ ନିର୍ଦ୍ଦେଶକୁ ୪ ମାସ ବିତିଥିଲେ ବି କାହିଁକି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ନାହିଁ ବୋଲି ଜବାବ ତଲବ କରିବାକୁ ଆବେଦନକାରୀ ପାର୍ଥନା କରିଥିଲେ । ଆବେଦନକାରୀ ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ଆବେଦନର ଗ୍ରହଣୀୟତା ପ୍ରସଙ୍ଗରେ କୋର୍ଟ କହିଥିଲେ ଯେ, ଯଦି ବି ମାମଲା ଖାରଜ କରାଯାଏ, ତଥାପି ଆବେଦନକାରୀ ଉଠାଇଥିବା ଦୁଇଟି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ବିଭିନ୍ନ ଅଳଙ୍କାର ଗୁଡିକର ତାଲିକା ପ୍ରସ୍ତୁତ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କ୍ଷମତାସମ୍ପନ୍ନ କମିଟି ଗଠନ କରିବା ଲାଗି ଯଦି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଏ, ତେବେ ଦୁଇ ମାସ ମଧ୍ୟରେ ସେନେଇ ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଇନ ମନ୍ତ୍ରୀଙ୍କ ସୂଚନା; ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର !

ସମ୍ପୃକ୍ତ କମିଟି ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଚିଠା ପ୍ରସ୍ତୁତ କରିବା ପାଇଁ ମନ୍ଦିର ପରିଚାଳନା କମିଟିକୁ ସହଯୋଗ କରିବାକୁ ରାୟରେ ସ୍ପଷ୍ଟ କରିଥିଲେ କୋର୍ଟ । ତେବେ ରତ୍ନଭଣ୍ଡାରର ସମ୍ପତ୍ତି ତାଲିକା ପ୍ରସ୍ତୁତ ଏବଂ ରତ୍ନଭଣ୍ଡାର ଭିତର କାନ୍ଥର ମରାମତି ପ୍ରସଙ୍ଗରେ ପରିଚାଳନା କମିଟି, ଗତ ଅଗଷ୍ଟ 4ରେ ଗ୍ରହଣ କରିଥିବା ପ୍ରସ୍ତାବ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ସୁରକ୍ଷା ଏବଂ ପରିଚାଳନା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିଶ୍ବାସକୁ ନେବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଥିଲେ କୋର୍ଟ । କୋଟି କୋଟି ଲୋକଙ୍କର ଶ୍ରୀମନ୍ଦିର ଉପରେ ଗଭୀର ଆସ୍ଥା ରହିଥିବାରୁ ASI ଏବଂ SJTMC ମିଳିତ ଭାବରେ ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗରେ କାର୍ଯ୍ୟ କରିବେ ବୋଲି କୋର୍ଟ କହିଥିଲେ । ଆବଶ୍ୟକତା ଅନୁସାରେ ରାଜ୍ୟ ସରକାର SJTMCକୁ ସହଯୋଗ କରିବେ ବୋଲି ମଧ୍ୟ କୋର୍ଟ ଆଶା ପ୍ରକଟ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.