ETV Bharat / state

ଶ୍ବଶୁର ଘରେ ଜୀବନ ହାରିଲେ ଜ୍ବାଇଁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By ETV Bharat Odisha Team

Published : Jan 21, 2024, 8:01 AM IST

Man found dead at in-laws' house: ଶ୍ବଶୁର ଘରେ ଜ୍ବାଇଁର ଆତ୍ମହତ୍ୟା ଜନିତ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଅଧିକ ପଢ଼ନ୍ତୁ

ଯୁବକଙ୍କ ଆତ୍ମହତ୍ୟା
ଯୁବକଙ୍କ ଆତ୍ମହତ୍ୟା

ଫୁଲବାଣୀ: ଶ୍ବଶୁର ଘରେ ଜୀବନ ହାରିଲେ ଜ୍ବାଇଁ । ହେଲେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ପରିବାର ଲୋକେ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାମ ବିକ୍ରମ ପାତ୍ର । ତାଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ତାଙ୍କ ଗାଁ ମାଝିପଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବିକ୍ରମଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କାଶିନୀପଦର ପଞ୍ଚାୟତ ଅଧୀନରେ ଥିବା ମାଝିପଡ଼ା ଗାଁର ଯୁବକ ବିକ୍ରମ ପାତ୍ରଙ୍କ ତାଙ୍କ ଶ୍ବଶୁର ଘରେ ମୃତ୍ୟୁ ହୋଇଛି । ଯୁବକ ଜଣକୁ ହତ୍ୟା କରାଯାଇଥିବା ନେଇ ମୃତ ଯୁବକଙ୍କ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ମୃତ ଯୁବକ ଜଣକ ଏକ ଠିକା ସଂସ୍ଥାର ଗାଡି ଚଳାଇ ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସେ ନିଜ ଶ୍ବଶୁର ଘରେ ରହୁଥିଲେ । ଗତ କିଛି ଦିନ ହେଲା ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଠାରୁ ଋଣ ଆଣିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଋଣ ପରିଶୋଧକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ରାତିରେ ମୃତ ଯୁବକ ଜଣକ ଡିୟୁଟିରୁ ଫେରିବା ପରେ ଏହି ଋଣକୁ ନେଇ ପୁଣିଥରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ବିକ୍ରମ ବାହାରୁ ଟିକେ ଆସୁଛି କହି ଘର ବାରଣ୍ଡାରେ ଝୁଲି ପଡିଥିବା ମୃତକଙ୍କ ସ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଧାନ ଅମଳ କମିବାରୁ ଘାରିଲା ଋଣ ଚିନ୍ତା, ଜୀବନ ହାରିଲେ ଚାଷୀ

ଘଟଣା ସମ୍ପର୍କରେ ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ଆସିବା ସମୟରେ ତାଙ୍କ ବେକରେ ଲାଗିଥିବା ରଶିକୁ କାଢି ଦିଆଯାଇ ଘର ଭିତରେ ଥିବା ଏକ ଖଟିଆରେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ଯାହାପାଇଁ ଯୁବକଙ୍କ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ବିକ୍ରମଙ୍କୁ ତାଙ୍କ ଶ୍ବଶରୁ ଘର ଲୋକେ ହତ୍ୟା କରିଥିବା ନେଇ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଖବର ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଗୋଛାପଡା ଥାନା ଅଧିକାରୀ ।

ସୂଚନା ମୁତାବକ, ମୃତକ ବିକ୍ରମ ପାତ୍ର ପ୍ରାୟ 8 ବର୍ଷ ତଳେ କନ୍ଧମାଳ ଜିଲ୍ଲାର ଅଞ୍ଜନା ମଳିକ ନାମକ ଏକ ଆଦିବାସୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ସେତେବେଳେ ଜାତିଆଣ ମତଭେଦକୁ ନେଇ ଉଭୟ ପରିବାର ଦୁହିଁଙ୍କର ପ୍ରେମକୁ ବାରଣ କରିଆସୁଥିଲେ । ହେଲେ ସେମାନେ ପରିବାର ଲୋକଙ୍କ କଥାକୁ ଅମାନ୍ୟ କରି ବିବାହ କରିଥିଲେ । ବିକ୍ରମ ପ୍ରେମ ବିବାହ କରିବା ପରେ ପରିବାର ଲୋକ ତାଙ୍କୁ ଘରେ ବାରଣ କରିବାରୁ ସେ ନିଜ ଶ୍ବଶୁର ଘରେ ରହିଆସୁଥିଲେ । ବେଶ ଖୁସିରେ ସଂସାର ମଧ୍ୟ ଚାଲିଥିଲା । ତାଙ୍କର ଗୋଟିଏ ଛଅ ବର୍ଷର ପୁଅ ଥିବାବେଳେ ଗୋଟିଏ ଦେଢ଼ ବର୍ଷର ଝିଅ ମଧ୍ୟ ଅଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.