ETV Bharat / state

ଶେଷ ହେଲା ମାଆ ନାକଟେଶ୍ଵରୀଙ୍କ ଯାତ୍ରା, 4 ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁ ହୋଇଥିଲେ ସାମିଲ - Natakeswar Yatra Concluded

author img

By ETV Bharat Odisha Team

Published : Mar 27, 2024, 7:59 AM IST

Maa Nakateswari Yatra
Maa Nakateswari Yatra

Maa Nakateswari Yatra: ମାଲକାନଗିରି ପ୍ରସିଦ୍ଧ ନାକଟେଶ୍ଵରୀ ମାଆଙ୍କ ଯାତ୍ରା ସମାପନ ହୋଇଛି । ଓଡିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ,ତେଲାଙ୍ଗାନା ରାଜ୍ୟର ଲକ୍ଷାଧିକ ଭକ୍ତ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ

Maa Nakateswari Yatra

ମାଲକାନଗିରି: ଜିଲ୍ଲାର ପ୍ରସିଦ୍ଧ ଶ୍ରୀଶ୍ରୀ ନାକଟେଶ୍ଵରୀ ମାଆଙ୍କ ଯାତ୍ରା ସମାପନ ହୋଇଛି । 4 ଦିନ ଦିନ ଚାଲିଥିବା ଏହି ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଲାଠି ଶୋଭାଯାତ୍ରା ଦେଖିବା ସହ ମିନାବଜାରର ବେଶ ମଜା ଉଠାଇଥିଲେ ଶ୍ରଦ୍ଧାଳୁ । ଅନ୍ୟପଟେ ଯାତ୍ରାର ଭିଡକୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ ପକ୍ଷରୁ ଯାତ୍ରା ସ୍ଥଳରେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଶ୍ରୀଶ୍ରୀ ନାକଟେଶ୍ଵରୀ ମାଆଙ୍କ ଯାତ୍ରା ଧୁମଧାମରେ ପାଳନ ହୋଇଯାଇଛି । ଶନିବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଗତକାଲି (ମଙ୍ଗଳବାର) ଦିନ ଶେଷ ହୋଇଛି । ତେବେ 4 ଦିନ ଧରି ଚାଲିଥିବା ଏହି ଯାତ୍ରାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ପ୍ରଥମ ଦିନରେ ଗଙ୍ଗାବରଣ କରାଯାଇ ପବିତ୍ର ଜଳ ଅଣାଯାଇ ବିରାଟ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରି ମାଆ ନାଟକେଶ୍ବରୀଙ୍କ ପୀଠକୁ ଅଣାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଉତ୍ସବ ମୁଖର ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ, ସ୍ବତନ୍ତ୍ର ନୀତିକାନ୍ତି ସହିତ ଖିରପଣା ଅର୍ପଣ - Puja At Shaktipithas Of Boudh

ବିଭିନ୍ନ ଦେବାଦେବୀ ପୀଠରୁ ଆବାହନ ହୋଇ ଆସିଥିବା ଲାଠି ଗୁଡିକୁ ଏକତ୍ରିତ କରାଯାଇ ସଂନ୍ଧ୍ୟାରେ ମାଉଲିମା ମନ୍ଦିର ନିକଟରୁ ମାଆ ନାକଟେଶ୍ବରୀଙ୍କୁ ସୁସଜ୍ଜିତ ବିମାନରେ ରଖାଯାଇ କୋୟା, ସିଙ୍ଗନାଟ, ରଣପାନାଟ, ପାରମ୍ପାରିକ ନୃତ୍ୟ, କାଳଶୀ ନାଚ ସହ ଆତସବାଜି ଫୁଟାଇ ସହର ପରିକ୍ରମା କରାଯାଇଥିଲା । ବିଭିନ୍ନ ସାହି ବସ୍ତିରେ ମାଆଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା । ରାତ୍ରରେ ମାଆଙ୍କୁ ନିଜ ମନ୍ଦିରକୁ ନିଆଯାଇଥିଲା ।

ଏହି ଶୋଭା ଯାତ୍ରାରେ କେବଳ ଜିଲ୍ଲାର ନୁହେଁ ବରଂ ଓଡିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ,ତେଲାଙ୍ଗାନା ରାଜ୍ୟର ଲକ୍ଷାଧିକ ଭକ୍ତ ଯୋଗଦେଇ ଠାକୁରଙ୍କ ଲାଠି ଧରି ସହର ପରିକ୍ରମା କରିଥିଲେ । ଏହି ଯାତ୍ରାରେ ଚିଦାନନ୍ଦସାହି, ତଳସାହି, ଦୁର୍ଗାଗୁଡି ସାହି, କୁମୁଟିଗୁଡା, ବୁଟିଗୁଡା, ନୁଆଗୁଡା, ଗନ୍ଦିପାଲୀ, ତଣ୍ଡିକି, ବୁରୁଦି, ଚାଲାଣଗୁଡା, ମୁନୁସା, ବରକୋଳିଗୁଡା, ତାଳଗୁଡା, ମୁନୁସ କୋଣ୍ଡା, ହାଣ୍ଡିଆଗୁଡା, କୁକୁଡାଗୁଡା, ସିନ୍ଧିରିମାଳ, ଭିମାରାଙ୍ଗିଣି, ତମସା, ମାଲକାନଗିରି, ପେଡାକୋଣ୍ଡା, ପାଲକୋଣ୍ଡା ଆଦି ଗ୍ରାମ ସହ ୬୫ଟି ମୁଠା ଆଦିବାସୀ ଗ୍ରାମ ଗୁଡିକର ଦେବାଦେବୀଙ୍କ ପୀଠରୁ ଶତାଧିକ ଲାଠି ଧରି ସିରୁଆ, ଦିସାରି, ଗୁଣିଆମାନେ ମାଆ ନାକଟେଶ୍ଵରୀଙ୍କ ପୀଠରେ ପହଞ୍ଚିଥିଲେ ।

ଏହି ଯାତ୍ରା ଦ୍ଵାରା ଗାଁର ମଙ୍ଗଳ ହେବା ସହ ଜମିରେ ଭଲଫସଲ ଓ ବର୍ଷା ହୋଇଥାଏ । ଗ୍ରାମ ଉପରେ ରୋଗ ବାଧକ ଓ ବିପଦ ଆସିନଥାଏ ବୋଲି ଲୋକ ବିଶ୍ୱାସ ରହିଛି । ଏହି ଯାତ୍ରା 4 ଦିନ ଧରି ଚାଲିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିଛି ମିନାବଜାର ଓ ବାହାରୁ ଆସିଥିବା ଦୋକାନ ବଜାର । ଏହି ମିନାବଜାର ଦେଖିବା ପାଇଁ ସଂନ୍ଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାକାର ମିନାବଜାର ଆସନ୍ତା ୩୦ ତାରିଖ ଯାଏଁ ରହିବ କହିଛନ୍ତି ପରିଚାଳନା କମିଟି ସଭାପତି । ଅନ୍ୟପଟେ ଯାତ୍ରାର ଭିଡକୁ ଦେଖି ମାଲକାନଗିରି ପୋଲିସ ପକ୍ଷରୁ ଯାତ୍ରା ସ୍ଥଳରେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.