ETV Bharat / state

ମୟୂରଭଞ୍ଜରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ - Trivendra Singh Rawat at Rairangpur

author img

By ETV Bharat Odisha Team

Published : May 4, 2024, 7:13 AM IST

Trivendra Singh Rawat at Rairangpur: ମୟୂରଭଞ୍ଜରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ନେତା ଓ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢ଼ନ୍ତୁ
Trivendra Singh Rawat at Rairangpur
Trivendra Singh Rawat at Rairangpur (ETV BHARAT ODISHA)

ରାଇରଙ୍ଗପୁର (ମୟୂରଭଞ୍ଜ): ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପିର କେନ୍ଦ୍ର ନେତୃତ୍ବଙ୍କ ଓଡ଼ିଶା ଗସ୍ତ ସେତିକି ବଢ଼ିବାରେ ଲାଗିଛି ।ମୟୂରଭଞ୍ଜ ଲୋକସଭା ସଂସଦୀୟ କ୍ଷେତ୍ର (ସଂରକ୍ଷିତ) ଏକ ଗୁରୁତ୍ବପୂର୍ଣ୍ଣ ଆସନ ହୋଇଥିବାରୁ ଗତ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ଦଳକୁ ଆହୁରି ମଜଭୁତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ବିଜେପିର ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ଗତ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ବିଜେପିରୁ ବିଶ୍ବେଶ୍ବର ଟୁଡୁ ବିଜୟୀ ହୋଇଥିବାବେଳେ ମୟୂରଭଞ୍ଜର ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ମୋରୋଡା, କରଞ୍ଜିଆ ଓ ବାଙ୍ଗିରିପୋଷିରେ ବିଜେଡି ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଥିଲେ । ବାକି ୬ଟି ଯଥା ରାଇରଙ୍ଗପୁର, ବାରିପଦା, ଯଶିପୁର, ଉଦଳା, ସାରସକଣା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଜେପି ଅକ୍ତିଆରକୁ ଯାଇଥିଲା ।

ହେଲେ ଚଳିତ ୨୦୨୪ ନିର୍ବାଚନରେ ବିଜେପି ଏହି ଲୋକସଭା ସମେତ ସମସ୍ତ ବିଧାନସଭା ଆସନ ନିଜ ଅକ୍ତିଆରକୁ ନେବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛି । ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଏବେଠୁ କେନ୍ଦ୍ରୀୟ ନେତାଙ୍କ ଜିଲ୍ଲା ଗସ୍ତ ଆରମ୍ଭ ହୋଇଯାଇଛି । ତେବେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ଦଳର କର୍ମୀ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରାଇରଙ୍ଗପୁରଠାରେ ପହଞ୍ଚିଥିଲେ । ମେ' ମାସର ୧ ତାରିଖରୁ ରାୱତ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିବା କୁହାଯାଉଛି । ବାଙ୍ଗିରିପୋଷି ଓ ବିଶୋଇଠାରେ କାର୍ଯ୍ୟକ୍ରମ ସାରି ସେ ଶୁକ୍ରବାର ରାଇରଙ୍ଗପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀଙ୍କ ସମେତ ବିଧାୟକ ପ୍ରାର୍ଥୀ, ବିଜେପିର ବରିଷ୍ଠ ନେତା ଓ କର୍ମୀମାନେ ସ୍ବାଗତ କରି ସଭାସ୍ଥଳକୁ ପାଛୋଟି ନେଇଥିଲେ । ପରେ ଆୟୋଜିତ ସଭାରେ ତାଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ଏହି ଅବସରରେ ରାଇରଙ୍ଗପୁରର ଶତାଧିକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ଆୟୋଜିତ ସଭାରେ କିଭଳି ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର ଗଢିବ, ସେନେଇ ରାୱତ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ଆୟୋଜିତ ସଭାରେ ଶହ ଶହ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ରହିଥିବାବେଳେ ବିଜେପି ପ୍ରଦେଶ ସଚିବ ନବୀନ ରାମ, ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜୋଲେନ ବାରଦା, ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା, ଯଶିପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିଆ ଓ ବରିଷ୍ଠ ବିଜେପି ନେତା ବାପି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସଭାରେ ଉପସ୍ଥିତ ପ୍ରାର୍ଥୀମାନେ ବିଜେଡି ସରକାର ଉପରେ ବର୍ଷିଥିଲେ । ଓଡିଶା ସରକାରଙ୍କୁ ଭ୍ରଷ୍ଟ ସରକାର କହି ଏ ସରକାର ଚଳିତ ଥର ବଦଳିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଚଳିତ ନିର୍ବାଚନରେ ବିଜେପିକୁ ବହୁ ସଂଖ୍ୟାରେ ଭୋଟ ଦେଇ ସମସ୍ତ ଆସନରେ ଜୟଯୁକ୍ତ କରାଇବାକୁ ନିବେଦନ କରାଯାଇଥିଲା । ଏଥି ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଜନ କଲ୍ୟାଣକାରୀ ଯୋଜନା, ମୋଦି ଗ୍ୟାରେଣ୍ଟି ବଖାଣିବା ସହ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ ୨୪ ବର୍ଷର ଶାସନରେ ବ୍ୟାପକ ଦୁର୍ନୀତି ବଢ଼ିଥିବା ନେଇ ବିଜେପି ସରକାର ଗଠନ ଦିଗରେ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଦିଆଯାଇଥିଲା । ତେବେ ଓଡ଼ିଶାରେ ଅଟକି ଯାଇଥିବା ବିକାଶ କେବଳ ଡବଲ ଇଞ୍ଜିନ ହିଁ ଆଗକୁ ନେଇ ପାରିବ ବୋଲି କହିଥିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳରୁ ନାମାଙ୍କନ ଭରିଲେ ରୁଦ୍ର ନାରାୟଣ ପାଣି, ସାଙ୍ଗରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ - RUDRA NARAYAN FILES NOMINATION

ସେପଟେ ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ କହିଥିବା ବାଘ ବାଘୁଣୀ କଥାରେ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ କହିଛନ୍ତି, "ସୁଦାମ କେଉଁଠିକାର ବାଘ ସର୍କସର ବାଘ ନା ଶିମିଳିପାଳର ବାଘ, ଆଉ ସେମାନେ ଯଦି ସର୍କସର ବାଘ ବାଘୁଣୀ ହୋଇଥିବେ ତେବେ ଆମେ ହେଉଛୁ ରିଙ୍ଗ ମାଷ୍ଟର, ଚାବୁକ ଆମ ହାତରେ ଅଛି । ଆମେ ଯେମିତି ନଚେଇବୁ ସେମାନେ ସେମିତି ନାଚିବେ ।" ଆଦିବାସୀ ହୋଇଥିବାରୁ ଶିକାର କରିବାର ଆମର ବି କ୍ଷମତା ରହିଛି ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.