ETV Bharat / state

ରଥଯାତ୍ରା ପାଇଁ ବସିଲା ପ୍ରଥମ ପ୍ରସ୍ତୁତି ବୈଠକ - Preparatory Meeting For Rathyatra

author img

By ETV Bharat Odisha Team

Published : Mar 30, 2024, 8:55 PM IST

Preparatory Meeting
Preparatory Meeting

Preparatory Meeting For Rathyatra: ଜୁଲାଇ ୭ ରେ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥି ପାଇଁ ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଅଧିକ ପଢନ୍ତୁ

Preparatory Meeting

ପୁରୀ: ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ । ଆସନ୍ତା ମେ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଏବଂ ଜୁନ ୨୨ରେ ଦେବସ୍ନାନ ପୂର୍ଣ୍ଣିମା। ସେହିପରି ଜୁଲାଇ ୭ ରେ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜୁଲାଇ ୧୫ ରେ ବାହୁଡ଼ା ଏବଂ ୧୭ ତାରିଖରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ। ତେବେ ୨୦୨୪ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ଦିନ, ନୀତିକୁ ନେଇ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଓ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ ନେଇ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାକୁ ନଜରରେ ରଖି ସମସ୍ତ ନିୟମକୁ ଅନୁପାଳନ କରି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ଯୋଗୁ ରଥଯାତ୍ରାରେ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବା ନେଇ ପ୍ରଶାସନ ଆକଳନ କରିଛି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବଡ଼ଦାଣ୍ଡରେ ରଥ ନିର୍ମାଣ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପଶ୍ଚିମ ଦ୍ଵାରରେ ଅଘଟଣ, ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ 2 ମହିଳା ଆହତ - Devotees Injured Due To Crowd

ସହରରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ 'ଆଣ୍ଟି କ୍ରାଇମ୍' ଡ୍ରାଇଭ ଚାଲୁ ରହିଛି। ପୌର ପ୍ରଶାସନ ସହ ଆଲୋଚନା କରି ସହରରେ ପାର୍କିଂ ସ୍ଥଳ ଗୁଡିକ ନିରୁପରଣ କରିବା ପାଇଁ ବୈଠକ କରାଯିବ ବୋଲି ଏସ୍ପି କହିଛନ୍ତି।‌ ସେହିପରି ବଡ଼ଦାଣ୍ଡରେ ଥିବା ଅସୁରକ୍ଷିତ କୋଠା ଗୁଡିକୁ ଚିହ୍ନଟ କରି ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ବାରା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ନିର୍ମାଣ ନେଇ ଅସୁବିଧା ଯେପରି ନହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବାବେଳେ ଏସି ଟନେଲକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଏସପି କହିଛନ୍ତି। ସେପଟେ ରଥଯାତ୍ରା ପୂର୍ବରୁ ସହରରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି। ପୁରୀ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ, ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.