ETV Bharat / state

ପୁରୀରେ ନିର୍ବାଚନୀ ହିଂସା, କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ! - Election Violence In Puri

author img

By ETV Bharat Odisha Team

Published : May 5, 2024, 9:53 PM IST

Election Violence: ପୁରୀ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ପ୍ରଚାର ବେଳେ ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପୁରା ଖବର ପଢନ୍ତୁ

Election Violence
Election Violence (Etv Bharat Odisha)

Election Violence (Etv Bharat Odisha)

ପୁରୀ: ପୁରୀରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପୁରୀ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ବସଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ନିଜ ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାରରେ ଥିବା ସମୟରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁସାରେ, ହଠାତ କିଛି ଯୁବକ ସଂଘବଦ୍ଧ ଭାବେ ଇଟା ଏବଂ କାଚ ବୋତଲରେ ଉମାବଲ୍ଲଭ ରଥଙ୍କ ମୁଣ୍ଡକୁ ମାଡ଼ କରିଥିଲେ । ଆକ୍ରମଣରେ ଉମା ଆହତ ହୋଇଥିବାବେଳେ ତାଙ୍କ ସମର୍ଥକମାନେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ଉମାଙ୍କ ମୁଣ୍ଡର ବାମ ପାର୍ଶ୍ବରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ପୁରୀ ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ଦଳ ସୁଜିତ ମହାପାତ୍ରଙ୍କୁ ଟିକଟ ଦେଇଥିଲା । ଗତକାଲି (ଶନିବାର) ସେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ । ଆଜି ତାଙ୍କ ଟିକଟକୁ ଦଳ ବାତିଲ କରି ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କୁ ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଏହି ଘଟଣାକୁ ନେଇ ସୁଜିତଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାର ପ୍ରତିବାଦରେ ସୁଜିତଙ୍କ ସମର୍ଥକ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ତେବେ ଏହି ଘଟଣା ଘଟିବାର କିଛି ଘଣ୍ଟା ମଧ୍ୟରେ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ କରାଯାଇଥିବାରୁ ଏହା ନିର୍ବାଚନ ହିଂସା ବୋଲି ସନ୍ଦେହ କରାଯାଉଛି ।

ଏହା ବି ପଢନ୍ତୁ...ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା, ସୁଜିତଙ୍କ ଟିକଟ କାଟି ଉମାବଲ୍ଲଭଙ୍କ ପ୍ରାର୍ଥିତ୍ବକୁ ବିରୋଧ - Congress Candidate Change

ଏହି ଘଟଣା ନେଇ ଉମାବଲ୍ଲଭ ରଥ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମୋତେ ଜୀବନରେ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା।" ତେବେ ଏଭଳି ଘଟଣା ପଛରେ କାହାର ହାତ ରହିଛି ସେନେଇ ପୋଲିସ ଅନୁସନ୍ଧାନ କରି ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି । ସୁଜିତଙ୍କ ସମର୍ଥକଙ୍କ ଏହି ଘଟଣାରେ ହାତ ରହିଛି କି ନାହିଁ ସେନେଇ ଉମା ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଘଟଣାର ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଏସପି । ଏନେଇ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଅତିରିକ୍ତ ଏସପି ସୁଶୀଲ ମିଶ୍ର କହିଛନ୍ତି ।" ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉମାଙ୍କ ଜୀବନକୁ ବିପଦ ଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯିବ" ବୋଲି କହିଛନ୍ତି ଅତିରିକ୍ତ ଏସପି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.