ETV Bharat / state

BSKY ନବୀନ କାର୍ଡର ଶୁଭାରମ୍ଭ, ମେ ପହିଲାରୁ ଚିକିତ୍ସା ସୁବିଧା

author img

By ETV Bharat Odisha Team

Published : Mar 6, 2024, 4:14 PM IST

BSKY Nabin Card
BSKY Nabin Card

BSKY Nabin Card: ବିଏସକେଓ୍ବାଇ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ପହିଲାରୁ ଚିକିତ୍ସା ସୁବିଧା ପାଇବେ ଉପଭୋକ୍ତା । ଅଧିକ ପଢନ୍ତୁ

BSKY Nabin Card

ଭୁବନେଶ୍ବର: ଆଜିଠୁ ବିଏସକେଓ୍ବାଇ ନବୀନ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି । ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ଆଜିଠୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ମେ ପହିଲାରୁ ହିତାଧିକାରୀ ଏହାର ସୁବିଧା ପାଇବେ । ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି । ଆପଣମାନଙ୍କ ଖୁସି ମୋ ଖୁସି । ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି । ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି, ଆଗକୁ କରି ଚାଲିବି । ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ ସେ ନେଇ ବ୍ୟବସ୍ଥା କରିବି ।"

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ରହିଛନ୍ତି । ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ । ସେମାନେ କ୍ୟାସ ଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି । ମହିଳାମାନଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି । ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ କହିଛନ୍ତି, "5Tରେ କାର୍ଯ୍ୟକାରୀ ହେଉଥିବା BSKY ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି । ଆଜି ଗ୍ରାମାଞ୍ଚଳର ସବୁ ବଞ୍ଚିତ ହିତାଧିକାରୀ ଏଥିରେ ସାମିଲ ହେଲେ । 5T ହେଉଛି ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ଉନ୍ନତି କଳ୍ପନା । ଲୋକଙ୍କୁ ସେବା ଦେବାର କଳ୍ପନା । ଆଜି 5T ମନ୍ତ୍ରରେ ରାଜ୍ୟବାସୀଙ୍କ ଆସ୍ଥା ବଢିଛି । ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।"

ଅନ୍ୟପଟେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ BSKY ନବୀନ କାର୍ଡରେ ସାମିଲ କରାଯିବ । ଏହି ଯୋଜନାକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟକାରୀ କରିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ମୁଁ ଧନ୍ୟବାଦ ଜଣାଇଛି ।" 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଗ୍ରାମାଞ୍ଚଳର BSKY କାର୍ଡ ପାଇବାରୁ ବହୁ ବଞ୍ଚିତ ଲୋକ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ । ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶରେ ଅନୁପ୍ରାଣିତ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଏହି ନବୀନ କାର୍ଡ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: BSKY-ନବୀନ କାର୍ଡର ପଞ୍ଜିକରଣ ଅବଧି ବୃଦ୍ଧି, ଜାନୁଆରୀ ୨୬ ଶେଷ ଦିନ

ଭୁବନେଶ୍ୱର ବ୍ଲକରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ବଲପୁର ବାମଡା ବ୍ଲକରେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ରେଢାଖୋଲ ବିଧାୟକ ରୋହିତ ପୁଜାରୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀରାଣୀ ଗୁମାନ ସିଂ ଯୋଗ ଦେଇଥିଲେ । ସେମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ଆମ ରାଜ୍ୟ ଆଗକୁ ବଢିଛି । ସମାଜର ସବୁଠାରୁ ତଳ ଧାଡିରେ ରହୁଥିବା ବ୍ୟକ୍ତିର କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇଥାନ୍ତି । BSKY ଆଜି ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ ହୋଇଛି । ସ୍ୱାସ୍ଥ୍ୟସେବା ଓ ରାଜ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଓଡିଶାବାସୀ ସବୁବେଳେ ମନେ ରଖିବେ ବୋଲି ସେମାନେ କହିଛନ୍ତି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଛନ୍ତି । BSKY ସୋସାଇଟିର CEO ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.