ETV Bharat / politics

‘ଶୀର୍ଷ ନେତୃତ୍ବଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଓ କଳା ଟଙ୍କା ବ୍ୟବହାର ନିର୍ବାଚନୀ ହିଂସାର କାରଣ’ - Violence during election

author img

By ETV Bharat Odisha Team

Published : May 22, 2024, 7:22 AM IST

Violence during election increases: ରାଜ୍ୟରେ ବଢ଼ୁଛି ନିର୍ବାଚନୀ ହିଂସା । ତେବେ ଶୀର୍ଷ ନେତୃତ୍ବଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଓ କଳା ଟଙ୍କା ବ୍ୟବହାର ନିର୍ବାଚନୀ ହିଂସାର କାରଣ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

Violence during election increases
Violence during election increases (ETV Bharat Odisha)

Violence during election increases (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଦୁଇଟି ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଏହି ଦୁଇ ପର୍ଯ୍ୟାୟର ମତଦାନରେ ରାଜ୍ୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ ବ୍ୟକ୍ତି ମୃତାହତ ହୋଇଥିବାବେଳେ ବ୍ୟାପକ ଧନ ନଷ୍ଟ ହୋଇଛି । କ୍ରମାଗତ ଭାବେ ନିର୍ବାଚିନୀ ହିଂସା ଓଡିଶାରେ ବଢିବାରେ ଲାଗିଛି । ତାହା ବଡ଼ ଚିନ୍ତାର କାରଣ ସାଜିଛି । ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ବଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଓ କଳା ଟଙ୍କାର ପ୍ରବଳ ବ୍ୟବହାର ନିର୍ବାଚନୀ ହିଂସାର ବଡ଼ କାରଣ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ର ।

ଓଡିଶାରେ ଦୁଇଟି ପର୍ଯ୍ୟାୟରେ 9 ଲୋକସଭା ଓ ଏହା ଅନ୍ତର୍ଗତ 63 ବିଧାନସଭା କ୍ଷେତ୍ରରେ ମତଦାନ ଶେଷ ହୋଇଛି । ନିର୍ବାଚନ ଯେତେ ଆଗକୁ ଯାଉଛି, ନିର୍ବାଚନୀ ହିଂସା ରାଜ୍ୟରେ ସେତେ ବଢିବାରେ ଲାଗିଛି । ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଓ ହଣାକଟା ସାଧାରଣ ଘଟଣା ହୋଇଗଲାଣି । ବିଭିନ୍ନ ସ୍ଥାନରେ ହତ୍ୟା ଘଟଣା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀକୁ ଉଦାହରଣ ଭାବେ ନିଆଯାଇପାରିବ । ପୋଷ୍ଟର ମରାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ସେହିପରି ପୋଲିସ ଉପସ୍ଥିତରେ ବିଭିନ୍ନ ସ୍ଥାନରେ ମାରପିଟ, ବୁଥ ରିଗିଂ ଓ ଏହାକୁ ନେଇ ଆକ୍ରମଣ ଘଟଣା ନଜରକୁ ଆସିଛି ।

ନିର୍ବାଚନୀ ହିଂସାକୁ ନେଇ ରାଜନୀତି ସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ପରି ଓଡିଶାରେ ହିଂସାତ୍ମକ କାର୍ଯ୍ୟକଳାପ ନିର୍ବାଚନ ସମୟରେ ପରିଲକ୍ଷିତ ହୁଏନାହିଁ । ପଡୋଶୀ ରାଜ୍ୟ ତୁଳନାରେ ନିର୍ବାଚନୀ ହିଂସା ଆଚରଣ ଓଡିଶାରେ କମ ଦେଖିବାକୁ ମିଳୁଥିଲା । କିନ୍ତୁ ଗତ କିଛିବର୍ଷ ତଥା ନିର୍ବାଚନରେ ଓଡିଶାରେ ମଧ୍ୟ ରାଜନୈତିକ ହିଂସା ବିଶେଷ କରି ନିର୍ବାଚନକାଳୀନ ହିଂସା ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନରେ ପ୍ରଚୁର ଅର୍ଥ ବଳର ବ୍ୟବହାର ହେଉଛି । କଳା ଟଙ୍କାର ବ୍ୟବହାର ନିର୍ବାଚନରେ ହିଂସା ବୃଦ୍ଧିର ପ୍ରମୁଖ କାରଣ ସାଜିଛି । ତୃଣମୂଳର ଭୋଟଙ୍କୁ ହାତେଇବା ଲାଗି ନିର୍ବାଚନ ସମୟରେ ନିଶା ଓ ଆମିଷର ବିଶେଷ ବ୍ୟବହାର ହେଉଛି । ନିଶାସକ୍ତ ଅବସ୍ଥା କିଛି ହିଂସାତ୍ମକ ଆଚରଣ କରୁଛନ୍ତି । ନିର୍ବାଚନ ବ୍ୟୟବହୁଳ ହୋଇଯାଇଥିବାରୁ ଏଭଳି ଅଘଟଣ ଦେଖାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସା ଘଟଣା, ପରସ୍ପରକୁ ଦୋଷ ଲଦି CEOଙ୍କୁ ଭେଟିଲେ ୩ ଦଳ - BJD BJP and Congress met CEO Odisha

ସେ ଆହୁରି ମଧ୍ୟ କହିଛନ୍ତି, "ଆଗରୁ ହିଂସା ହେଉନଥିଲା ବୋଲି କୁହାଯାଇନପାରେ । ଆଗରୁ ମଧ୍ୟ ହିଂସା ହେଉଥିଲା । ତୁଳନାତ୍ମକ ଭାବେ କମ ହେଉଥିଲା । ଏବେ ବହୁଳ ମାତ୍ରାରେ ହେଉଛି । ସାମାଜିକ ଗଣମାଧ୍ୟମ ଓ ମିଡିଆର ବହୁଳ ବ୍ୟବହାର ଯୋଗୁଁ ତତ୍କାଳ ପ୍ରଚାର ପ୍ରସାର ହୋଇଯାଉଛି । ଆଗରୁ ହିଂସାତ୍ମକ ଆଚରଣ ହେଉଥିଲେ ବି ତାହାର ପ୍ରଚାର ପ୍ରସାର ହୋଇପାରୁନଥିଲା । ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ବ ଆଜିକାଲି ବେଶୀ ଉତ୍ତେଜନାପୂର୍ଣ୍ଣ ଭାଷଣ ଓ ଅଭିଭାଷଣ ରଖୁଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ଅଧିକ ଉତ୍ସାହିତ କରିବା ଲାଗି ଏହା କରାଯାଉଛି । ଏମିତି ଅତୀତରେ ଦେଖାଯାଉନଥିଲା । ଶୀର୍ଷ ନେତୃତ୍ବ ଦେଶ ତଥା ରାଜ୍ୟର ବୃହତର ସ୍ବାର୍ଥ, ବିଭିନ୍ନ ବର୍ଗର ହିତ ଦୃଷ୍ଟିରୁ ଅଭିଭାଷଣ ପ୍ରଦାନ କରୁଥିଲେ । ଏବେ ଜାତି ଜାତି, ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ସୃଷ୍ଟି କରିବା ପାଇଁ ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ ରଖାଯାଉଛି । ତାହାର ଗଭୀର କୁ-ପ୍ରଭାବ ସମାଜ ଉପରେ ପଡୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ବୁଥରେ ଚାପା ଉତ୍ତେଜନା, ବିଜେଡି-ବିଜେପି କର୍ମୀ ମୁହାଁମୁହିଁ - Poll Violence In Rourkela

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.