ETV Bharat / state

ସରିଲା ଏକାମ୍ର ଉତ୍ସବ, ଶେଷ ସନ୍ଧ୍ୟାରେ ଜୁବିନଙ୍କ ଗୀତର ଧୁନରେ ଝୁମିଲା ଭୁବନେଶ୍ୱର

author img

By ETV Bharat Odisha Team

Published : Feb 10, 2024, 7:43 AM IST

Updated : Feb 10, 2024, 8:09 AM IST

Ekamra Utsav Concluded
ଶେଷ ହେଲା ଏକାମ୍ର ଉତ୍ସବ

Ekamra Utsav Concluded: ଶେଷ ହେଲା ଏକାମ୍ର ଉତ୍ସବ । ଶେଷଦିନରେ ବଲିଉଡ କଣ୍ଠଶିଳ୍ପୀ ଜୁବିନଙ୍କ ଗୀତର ଧୁନରେ ନାଚିଲା ଗାଇଲା ଓ ଝୁମିଲା ଭୁବନେଶ୍ୱର । ଅଧିକ ପଢନ୍ତୁ

ଶେଷ ହେଲା ଏକାମ୍ର ଉତ୍ସବ

ଭୁବନେଶ୍ୱର: ଶେଷ ହେଲା ଏକାମ୍ର ଉତ୍ସବ । ଶେଷ ସନ୍ଧ୍ୟାରେ ଜୁବିନଙ୍କ ଗୀତର ଧୁନରେ ନାଚିଲା ଗାଇଲା ଓ ଝୁମିଲା ଭୁବନେଶ୍ୱର । ରାଜଧାନୀରେ ୭ ଦିନ ଧରି ଚାଲିଥିବା ଏକାମ୍ର ଉତ୍ସବ ଶେଷ ହୋଇଛି । ସପ୍ତମ ତଥା ଶେଷ ସନ୍ଧ୍ୟାରେ ବଲିଓଡ଼ କଣ୍ଠଶିଳ୍ପୀ ଜୁବିନ ନୌଟିୟାଲଙ୍କ ଲାଇଭ ପ୍ରଦର୍ଶନ ରହିଥିବା ବେଳେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଷ୍ଟେଜରେ ଓଡ଼ିଆ ଓ ଅନେକ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ଜୁବିନ ।

ଜୁବିନ ଷ୍ଟେଜରେ ଅନେକ ହିଟ୍ ହିନ୍ଦୀ ଗୀତଗୁଡିକୁ ଗାଇଥିବା ବେଳେ ଶେଷରେ ଜଗନ୍ନାଥଙ୍କୁ ସମର୍ପିତ 'ତୁମେ ଚାହିଁଲ ବୋଲି ଚକାଆଖି' ଗାଇ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ । ପରେ ପରେ 'ରାମ ଆୟେଙ୍ଗେ' ଗାଇ ଲାଇଭ ବ୍ୟାଣ୍ଡର ପ୍ରଦର୍ଶନକୁ ଶେଷ କରିଥିଲେ । ଜୁବିନଙ୍କ ପୂର୍ବରୁ ଶେଷ ସନ୍ଧ୍ୟାରେ ଓଲିଉଡ଼ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ଶୁଭାଶିଷ ଅନେକ ହିଟ୍ ଓଡ଼ିଆ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ୭ ଦିନର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରବାସୀଙ୍କୁ ନିଆରା ଏକ ଅନୁଭୂତି ଦେଇଥିବା ବେଳେ ପୁରା ଭୁବନେଶ୍ୱର ବ୍ୟାଣ୍ଡର ତାଳେ ତାଳେ ବେଶ ନାଚିଥିଲେ ଝୁମିଥିଲେ ଓ ଗାଇଥିଲେ । ଆଉ ଖୁସିର ସମୟକୁ ନିଜ କ୍ୟାମେରାରେ କଏଦ କରି ରଖିଛନ୍ତି ।

ତେବେ ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଚଳିତ ଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ ହୋଇଥିଲା । ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଆୟୋଜିତ ଏହି ଉତ୍ସବ ରାଜଧାନୀବାସୀଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ଆକର୍ଷଣୀୟ ସାଜସଜ୍ଜା ସହ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ମନୋରଞ୍ଜନ ପାଇଁ ସଙ୍ଗୀତର ମୂର୍ଚ୍ଛନା ସନ୍ଧ୍ୟା ସହ ଭୁବନେଶ୍ଵର କାହାଣୀ ଉତ୍ସବ, ଆମ ବ୍ୟଞ୍ଜନ, ଏକାମ୍ର ୱାକ୍ସ, ଏକାମ୍ର ରାତ୍ରି ଫ୍ଲୀ ମାର୍କେଟ ଆୟୋଜନ କରାଯାଇଥିଲା ।

ଶେଷ ସନ୍ଧ୍ୟାରେ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ ନୌଟିୟାଲଙ୍କ ଲାଇଭ ପ୍ରଦର୍ଶନ ରହିଥିଲା । ଯାହାକୁ ଦେଖିବାକୁ ଶ୍ରୋତାଙ୍କ ଭିଡ଼ ବେଶ୍ ଜମିଥିଲା । ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆମ ବ୍ୟଞ୍ଜନ ଓ ରାତ୍ରୀକାଳୀନ ବଜାରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ ଏକାମ୍ର ରାତ୍ରୀ ଫ୍ଲୀ ମାର୍କେଟରେ ଯୋଗ ଦେଇଥିବା ଶିଳ୍ପୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ...ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା: ସୋନୁଙ୍କ ନିଗମଙ୍କ କଣ୍ଠର ଯାଦୁରେ ଝୁମିଲା ରାଜଧାନୀ

ଆମ ବ୍ୟଞ୍ଜନ: ସେହିପରି ଶୀତୁଆ ସନ୍ଧ୍ୟାରେ ଆମ ବ୍ୟଞ୍ଜନରେ ଖାଦ୍ୟର ଆସର ଜମିଥିଲା । ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟର ପସରା ଖୋଲିଥିଲା । ଷ୍ଟଲ୍ଗୁଡିକରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପରସା ଯାଇଥିଲା । ବିଶେଷ କରି ବନଯାତି ଖାଦ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । ସେହିପରି ପିଠା ଷ୍ଟଲ ସହ ପ୍ରଭୁଲାଲଙ୍କ ସରସତିଆ ଏଥର ଖାଇବାକୁ ଭିଡ଼ ଜମିଥିଲା । କାଇ ଚଟଣି, ନାଲି ଚାଉଳ ଖେଚୁଡ଼ି ଓ ପତ୍ର ପୋଡ଼ା ଆଇଟମ ସହ ମିଲେଟ୍ ମିଶନର ଖାଇବା ଖାଇଥିଲେ ଲୋକମାନେ ।

ଏକାମ୍ର ରାତ୍ରୀ ଫ୍ଲୀ ମାର୍କେଟ: ଏକାମ୍ର ରାତ୍ରୀ ଫ୍ଲି ମାର୍କେଟ ଏଥର ସ୍ଥାନୀୟ କାରିଗରଙ୍କୁ ବଡ଼ ସୁଯୋଗ ଦେଇଥିଲା । କଳାକାରଙ୍କ ଦ୍ୱାରା ନିର୍ମିତ ହସ୍ତକଳା ଏହି ହାଟରେ ଉପଲବ୍ଧ ହୋଇଥିଲା । ଘର ସାଜସଜ୍ଜାର ଉପକରଣ, ପଟ୍ଟଚିତ୍ର ଚାନ୍ଦୁଆଠାରୁ ଆରମ୍ଭ କରି ମେଟାଲ୍ ଗହଣା ପର୍ଯ୍ୟନ୍ତ ସାମଗ୍ରୀ ଦେଖିବାକୁ ମିଳିଥିଲା । ସେହିପରି କାରିଗରମାନେ କିଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହାକୁ ଦେଖିବାକୁ ଲାଇଭ ଡେମୋନଷ୍ଟ୍ରେସନ କରାଯାଇଥିଲା ।

ଏକାମ୍ର ୱାକ୍ସ: ସେହିପରି ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବାକୁ ଜାନୁଆରୀରୁ ଆରମ୍ଭ ହୋଇଛି ଏକାମ୍ର ୱାକ୍ସ । ଯାହା ମାର୍ଚ୍ଚ ଯାଏ ଚାଲିବ । ଭାଷା ସମ୍ମିଳନୀ ସହ ଏକାମ୍ର ଉତ୍ସବ ପାଇଁ ଏହି ୱାକ୍ସ ସହ ଓଡ଼ିଆ ଭାଷା ଗୌରବ ଗାଥା ଟ୍ରେଲ ଯୋଡ଼ା ଯାଇଥିଲା । ଏଥିସହ ଫୁଡ ଟ୍ରେଲ, ନେଚର୍ ଟ୍ରେଲ୍ ଆଦି ମଧ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Feb 10, 2024, 8:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.