ETV Bharat / state

ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ

author img

By ETV Bharat Odisha Team

Published : Jan 20, 2024, 10:25 PM IST

ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ , ମୁଣ୍ଡରେ ଗଭୀର ଆଘାତ
ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ , ମୁଣ୍ଡରେ ଗଭୀର ଆଘାତ

Attack On Journalist: ରାଇରଙ୍ଗପୁର ଟଉନ ଥାନାର ମୁଖ୍ୟ ଫାଟକ ନିକଟରେ ଜଣେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ । ଫଳରେ ସାମ୍ବାଦିକ ରାଜେଶ ଶର୍ମାଙ୍କ ମୁଣ୍ଡ ଫାଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସେ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି । ଅଧିକ ପଢନ୍ତୁ

ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ , ମୁଣ୍ଡରେ ଗଭୀର ଆଘାତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଘଟିଛି ଏକ ଅଭାବନୀୟ ଘଟଣା । ଗଣମାଧ୍ୟମ ପ୍ରତିନିଧିଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ସାମ୍ନାକୁ ଆସିଛି । ଆକ୍ରମଣରେ ଗଣମାଧ୍ୟମ ପ୍ରତିନିଧି ଜଣଙ୍କର ମୁଣ୍ଡ ଫାଟି ଯାଇଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଆହତ ହୋଇଥିବା ଗଣମାଧ୍ୟମ ପ୍ରତିନିଧି ଜଣକ ହେଲେ ରାଇରଙ୍ଗପୁର ସହରର ରାଜେଶ କୁମାର ଶର୍ମା ।

ସେ ଗୋଟିଏ ପ୍ରିଣ୍ଟ ମିଡିଆରେ କାର୍ଯ୍ୟରତ ସାମ୍ବାଦିକ ଅଛନ୍ତି । ରାଜେଶ କୁମାର ଶର୍ମାଙ୍କ କହିବା ଅନୁଯାୟୀ, ସକାଳ ସମୟରେ ଘରେ ଥିବା ସମୟରେ କିଛି ଯୁବକ ତାଙ୍କୁ ଫୋନ କରି ରାଇରଙ୍ଗପୁର ମେଡିକାଲକୁ ଡାକିଥିଲେ । ରାଇରଙ୍ଗପୁର ଡାକ୍ତରଖାନାରେ ଗତକାଲି ଜଣେ ନବ ବିବାହିତା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ସେ ସମ୍ପର୍କରେ କଥାବାର୍ତ୍ତା ହେବା ପାଇଁ କିଛି ଯୁବକମାନେ ରାଜେଶଙ୍କୁ ଡାକିଥିଲେ । ତେବେ ଆଜି ଦିନ ପାଖାପାଖି ୧୦.୫୦ ସମୟରେ ରାଜେଶ ଶର୍ମା ବାଇକ ଯୋଗେ ଯାଉଥିବା ସମୟରେ ରାଇରଙ୍ଗପୁର ଟାଉନ ଥାନାର ମୁଖ୍ୟ ଫାଟକ ନିକଟରେ ପ୍ରାୟ ୧୦ ରୁ ୧୫ ଜଣ ଯୁବକ ତାଙ୍କୁ ଘେରି ଯାଇ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହିତ ମାରପିଟ୍ କରିଥିଲେ । ଏଥି ସହିତ କୌଣସି ଏକ ଶକ୍ତ ଜିନିଷରେ ରାଜେଶଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ରାଜେଶ ଶର୍ମାଙ୍କ ମୁଣ୍ଡ ଫାଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

ପରେ ସେଠାରୁ ମରଣାନ୍ତକ ଆକ୍ରମଣ କରିଥିବା ଯୁବକମାନେ ଫେରାର ହୋଇଯାଇଥିଲେ । ରାଜେଶ ଶର୍ମାଙ୍କୁ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ିଥିବା ଦେଖି ଅନ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସର୍ଜରି ୱାର୍ଡ଼ରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ........ସାଙ୍ଗ ସାଜିଲା ସୈତାନ: ଚେନ୍ନାଇରେ ହତ୍ୟା, ଓଡ଼ିଶାରେ ଆତ୍ମସମର୍ପଣ

ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ସୁଚନ୍ଦ୍ର ମହାଳିକ ଡାକ୍ତରଖାନା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ନେଇ ରାଇରଙ୍ଗପୁର ସାମ୍ବାଦିକ ସମୂହ ରାଇରଙ୍ଗପୁର ଟାଉନ ଥାନା ପୋଲିସ ନିକଟରେ ଦାବି କରିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ।

ଇଟିଭି ଭରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.