ETV Bharat / state

ହୋଲିରେ ରସାୟନିକ ରଙ୍ଗ ବିକ୍ରି ନେଇ ଧରପଗଡ, ରାଜଧାନୀରେ ପୋଲିସର ଚଢାଉ - Adulterated colour

author img

By ETV Bharat Odisha Team

Published : Mar 25, 2024, 8:20 PM IST

RAID ON HOLI MARKET
RAID ON HOLI MARKET

Adulterated colour seized: ରାଜଧାନୀ ଭୁବନେଶ୍ବରରେ ରସାୟନ ରଙ୍ଗ ବିକ୍ରି ନେଇ ପୋଲିସର ଚଢାଉ । ରସାୟନିକ ରଙ୍ଗ ଯୋଗୁଁ ଚର୍ମରୋଗ ଭଳି ସମସ୍ୟାର ଆଶଙ୍କା ରହୁଥିବାରୁ ଧରପଗଡ଼କୁ ଜୋରଦାର କରିଛି ପୋଲିସ । ଅଧିକ ପଢନ୍ତୁ

ହୋଲିରେ ରସାୟନିକ ରଙ୍ଗ ବିକ୍ରି ନେଇ ଧରପଗଡ, ରାଜଧାନୀରେ ପୋଲିସର ଚଢାଉ

ଭୁବନେଶ୍ବର: ବଜାରରେ ବେଆଇନ ରଙ୍ଗ ବିକ୍ରି ଉପରେ ରୋକ । ରାଜଧାନୀରେ ପୋଲିସର ରସାୟନିକ ରଙ୍ଗ ଧରପଗଡ । ବିଭିନ୍ନ ଥାନା ଅଞ୍ଚଳରେ ବୁଲୁଛନ୍ତି ସ୍ପେଶାଲ ସ୍କ୍ବାର୍ଡ ଟିମ । ମୁଣ୍ଡଫଟା, ବାର୍ନିସ ଭଳି କଲର ସ୍ପ୍ରେ ଜବତ କରିଛି ପୋଲିସ ଟିମ । ପଲ୍ୟୁନ କଣ୍ଟ୍ରୋଲ ବୋର୍ଡ ଅଧିକାରୀଙ୍କ ସହ ମିଶି ରେଡ କରୁଛନ୍ତି କମିଶନରେଟ ପୋଲିସ ସ୍ବତନ୍ତ୍ର ଟିମ । ଏହି ସମୟରେ ରାଜଧାନୀର ହୋଲି ମାର୍କେଟରୁ ଅନେକ ରସାୟନିକ ରଙ୍ଗକୁ ଜବତ କରିଛି ପୋଲିସ ।

ହୋଲି ପର୍ବକୁ ନେଇ ବଜାରରେ ବିକ୍ରି ହେଉଛି ରଙ୍ଗ । ବିଭିନ ପ୍ରକାରର ରଙ୍ଗ ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେଉଛି । ହେଲେ ରଙ୍ଗ ସମ୍ପର୍କରେ ଅବଗତ ନଥାଇ ରଙ୍ଗ କିଣୁଛନ୍ତି ଲୋକେ । ଫଳରେ ରସାୟନିକ ରଙ୍ଗ ଯୋଗୁଁ ଚର୍ମରୋଗ ଭଳି ସମସ୍ୟାର ଆଶଙ୍କା ରହୁଛି । ବଜାରରେ ଏଭଳି ରସାୟନିକ ରଙ୍ଗ ବିକ୍ରି ନେଇ ଆଗରୁ ଦିଆଯିଥିଲା ଚେତାବନୀ । ବେଆଇନ ରଙ୍ଗ ବା ରସାୟନିକ ରଙ୍ଗ ବିକ୍ରି କଲେ ହେବ ଚଢ଼ାଉ ଜୋରଦାର । ଯାହାର କ୍ରମରେ ଡିସିପି ଅଫିସର ଏସିପି ହେଡକ୍ବାର୍ଟର ଅମିତାଭ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ମହିଳା ପୋଲିସ ଅଧିକାରୀଙ୍କ ସହ ପଲ୍ୟୁସନ ଅଧିକାରୀ ବିଭିନ ସ୍ଥାନରେ ଚଢାଉ କରିଥିଲେ ।

ପ୍ରଥମେ ଖାରବେଳ ନଗର ଥାନା ଅଞ୍ଚଳର 4 ନମ୍ବର ମାର୍କେଟରେ ଥିବା ରଙ୍ଗ ଦୋକାନରେ ରେଡ ହୋଇଥିଲା । ପ୍ରଥମ ଦୋକାନରୁ ବିପୁଳ ପରିମାଣର ବେଆଇନ ରଙ୍ଗ ଜବତ କରାଯାଇଥିଲା । ଏପରିକି ସ୍ପ୍ରେ ମଧ୍ୟ ଜବତ କରାଯାଇଥିଲା । ତେବେ ରେଡ ପରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅଧିକାରୀ ରେବତିକାନ୍ତ ମିଶ୍ର କହିଛନ୍ତି, "ଅନେକ ଚିକ ଚିକ କରୁଥିବା ଡବା ଓ ପାଉଡର ରଙ୍ଗ ବିକ୍ରି ହେଉଛି । ଯାହାକି ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ । ସେସବୁ ରଙ୍ଗ ନେଇ ଚେକିଂ ହେଉଛି । ବିଭିନ୍ନ ଦୋକାନରେ ଏଭଳି ରଙ୍ଗ ବେଶ ଭାରି ମାତ୍ରାରେ ବିକ୍ରି ହେଉଛି । ଯାହାକି ଅନେକ ଛୋଟ ପିଲା ଓ ଲୋକେ ଅଜଣାତରେ କିଣି ନେଉଛନ୍ତି । ଏହା ଚର୍ମ ପାଇଁ ବିପଦଜନକ ଓ ହାନିକାରକ । ଏଭଳି ରଙ୍ଗ ବ୍ୟବହାର ଯୋଗ୍ୟ ନୁହେଁ ସେ ନେଇ ରେଡ ବେଳେ ଜବତ କରାଯାଉଛି ।"

ଏହା ବି ପଢନ୍ତୁ- ପାଣିକୁ ଡେଇଁଲେ ଅଟକାଇବ ଖାକି, ହୋଲି ପାଇଁ ଅଗ୍ନିଶମ ଟିମ ପ୍ରସ୍ତୁତ

ଅଧିକାରୀ ରେବନ୍ତିକାନ୍ତଙ୍କ କହିବା କଥା ଗୁଲାବ ରଙ୍ଗର କ୍ବାଲିଟି ଅଲଗା । କିନ୍ତୁ ରସାୟନିକ ଯୁକ୍ତ ରଙ୍ଗ ଗୁଣ୍ଡ ଗୋଡି ପରି ଦାନା ପରି ଚିକ ଚିକ । ଯାହାକି ବ୍ୟବହାର ଉପଯୋଗୀ ନୁହେଁ । ରଙ୍ଗ କିଣିବା ବେଳେ ଭଲ ରଙ୍ଗ କିଣିବା କଥା । ଦାମ ଦେଇ ରଙ୍ଗ ଯଦି କିଣୁଛନ୍ତି, ତେବେ ଭଲ ରଙ୍ଗ କିଣନ୍ତୁ । ଏଭଳି ରଙ୍ଗ ବ୍ୟବହାର ଦ୍ବାରା ଶରୀର ଉପରେ ପ୍ରଭାବ ପଡିବ । ଚର୍ମ କୁଣ୍ଡାଇ ହେବ, ନାକ ବାଟେ ତାର‌ ଉତ୍କଟ ଗ୍ୟାସ ପଶିବା ମଧ୍ୟ କ୍ଷତିକାରକ, ଆଖିର ପାଓ୍ବାର ନଷ୍ଟ କରିଦେବ, ଚୁଟି ଉପୁଡିବ ।

ସେପଟେ ଏନେଇ ଏସିପି ଅମିତାଭ ମହାପାତ୍ର କହିଛନ୍ତି, "ଏକ୍ସପର୍ଟଙ୍କ ସହ ଟିମ ଏବେ ଚଢ଼ାଉ କରୁଛି । ଯେଉଁ ରଙ୍ଗ ହାନିକାରକ ତାହା ଚିହ୍ନଟ କରି ଜବତ କରାଯାଉଛି । ସେସବୁକୁ ଥାନାକୁ ନିଆଯାଉଛି ।" ରଙ୍ଗ ବିକ୍ରି ବେଳେ ଜବତ ହୋଇଥିବା ଦୋକାନ ମାଲିକ କହିଛନ୍ତି, " 4 ହଜାର ଟଙ୍କାର ଜିନିଷ ଜବତ କରିଛନ୍ତି । ଯେଉଁଠି ଏସବୁ ହୋଲସେଲ ବିକ୍ରି ହେଉଛି ସେଠି ରେଡ କରିବା କଥା । ଆମେ ତ ଜାଣିନୁ ଏବେ ଆଉ ବିକିବୁ ନାହିଁ । ପ୍ରଥମ ଥର ଦୋକାନ କରିଛନ୍ତି ଜାଣି ନଥିଲୁ ଏସବୁ କେମିକାଲ ରଙ୍ଗ ବୋଲି ।" ଏନେଇ କେବଳ ଖାରବେଳ ନଗର ନୁହେଁ କ୍ୟାପିଟାଲ ଥାନା, ଖଣ୍ଡଗିରି, ଚନ୍ଦ୍ରଶେଖରପୁର ଆଦି ଥାନା ଅଞ୍ଚଳରେ ଚଢ଼ାଉ କରାଯାଉଛି । ପୋଲିସ ଥରେ‌ ରେଡ କରିବା ପରେ ଦ୍ବିତୀୟ ଥର ଆସି ମଧ୍ୟ ଚେକ୍ କରୁଛନ୍ତି । ସେଭଳି ରଙ୍ଗ ବିକ୍ରି ହେଉଥିଲେ ଦୋକାନ ବନ୍ଦ କରିବାକୁ କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.